ନାଇରୋବି: କେନିୟା ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଭାରତୀୟ ଶିଳ୍ପସଂସ୍ଥା ‘ଟାଟା କେମିକାଲ’ର କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ସହ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନିୟା ରାଷ୍ଟ୍ରପତି ବିଲିୟମ୍ ରୁଟୋ। ସ୍ଥାନୀୟ କାଜିଆଡୋ ଜିଲ୍ଲାର ମାଗାଡି ହ୍ରଦ ଅଞ୍ଚଳରେ ଚାଲିଥିବା ସୋଡ଼ା ଆସ୍ ଉତ୍ପାଦନ ଓ ଖନନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୋକାଯାଇଛି।
କାଜିଆଡୋ ଅଞ୍ଚଳ ଗସ୍ତ ସମୟରେ ଜନସାଧାରଣଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ରୁଟୋ କହିଛନ୍ତି, “ଟାଟା କମ୍ପାନୀ ନିକଟରେ ୧୦୦ ବର୍ଷର ଚୁକ୍ତି ଥିଲା, କିନ୍ତୁ ସେମାନେ କାଜିଆଡୋରେ କୌଣସି କାରଖାନା କିମ୍ବା ବଡ଼ ଶିଳ୍ପ ପ୍ରତିଷ୍ଠା କଲେ ନାହିଁ। ଆମର ପ୍ରାକୃତିକ ସମ୍ପଦକୁ କେବଳ ବାହାର ଦେଶକୁ ରପ୍ତାନି କରାଯାଉଛି। ଆମେ କ’ଣ ଅନ୍ୟମାନଙ୍କର ଦାସ ?”
ରୁଟୋଙ୍କ କହିବା ଅନୁଯାୟୀ, କେନିୟାରେ ପ୍ରାକୃତିକ ସମ୍ପଦରୁ କେବଳ କଞ୍ଚାମାଲ୍ ନେଇ ଅନ୍ୟ ଦେଶରେ ପ୍ରକ୍ରିୟାକରଣ କରିବା ପରିବର୍ତ୍ତେ, ଦେଶ ଭିତରେ ହିଁ ନିର୍ମାଣ ଓ ପ୍ରକ୍ରିୟାକରଣ ହେବା ଆବଶ୍ୟକ। ଏହାଦ୍ୱାରା ସ୍ଥାନୀୟ ଯୁବକମାନଙ୍କୁ ରୋଜଗାର ମିଳିବ।
ସରକାର ଟାଟା କେମିକାଲ୍ସ ବଦଳରେ ଦୁଇଟି ନୂଆ କମ୍ପାନୀକୁ ଏହି ଦାୟିତ୍ୱ ଦେବାକୁ ଯୋଜନା କରିଛନ୍ତି। ନୂଆ କମ୍ପାନୀଗୁଡ଼ିକୁ କାଜିଆଡୋରେ ବୃହତ୍ କାଚ କାରଖାନା ଏବଂ କେମିକାଲ୍ ପ୍ଲାଣ୍ଟ ବସାଇବାକୁ ଅନୁମତି ଦିଆଯିବ।
ସୂଚନାଅନୁସାରେ, ଜୁଲାଇ ମାସରେ କେନିୟାରେ ସରକାର ନିୟମ ଅନୁପାଳନ ଓ ରାଜସ୍ୱ ବିବାଦକୁ ନେଇ ଟାଟାର ଖନନ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖିଥିଲେ। ଏବେ ରାଷ୍ଟ୍ରପତିଙ୍କ ଏହି କଡ଼ା ନିଷ୍ପତ୍ତି ପରେ କେନିୟା ଓ ଭାରତୀୟ ନିବେଶକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।


Comments are closed.