କଟକ: ଆସନ୍ତା ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଏବଂ କ୍ଲବ୍ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଗଣେଶ ଭସାଣି ବା ବିସର୍ଜନ ଶୋଭାଯାତ୍ରା ବେଳେ ଡିଜେ ମ୍ୟୁଜିକ୍ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।
ଏହି ଉଚ୍ଚସ୍ତରୀୟ ବୈଠକରେ କଟକ ମହାନଗର ନିଗମ (ସିଏମସି) ମେୟର, କମିଶନର, ଚୌଦ୍ୱାର-କଟକ ବିଧାୟକ, ପୋଲିସ କମିଶନର, ଅତିରିକ୍ତ କମିଶନର, କଟକ ଡିସିପି, ସମସ୍ତ ଜୋନ୍ର ଏସିପି ଏବଂ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ଚଳିତ ବର୍ଷ ସମଗ୍ର କଟକ ସହରରେ ପ୍ରାୟ ୧୨୦୦ଟି ସ୍ଥାନରେ ଗଣେଶ ପୂଜା ଆୟୋଜନ କରାଯିବ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ୪ଟି ରବିବାର ଅର୍ଥାତ୍ ସେପ୍ଟେମ୍ବର ୨୦ ଓ ୨୭ ଏବଂ ଅକ୍ଟୋବର ୪ ଓ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ନିଷ୍ପତ୍ତି ମୁତାବକ, ପ୍ରତ୍ୟେକ ପୂଜା କମିଟି ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୪ଟି ଟ୍ରଲି ସହିତ କେବଳ ୬ଟି ସାଉଣ୍ଡ ବକ୍ସ ବ୍ୟବହାର କରିପାରିବେ। ଏହାବ୍ୟତୀତ ଡିଜେ ମ୍ୟୁଜିକ୍ ଓ ଲେଜର ଲାଇଟ୍ ଉପରେ କଟକଣା ରହିବ ।
ପୋଲିସ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ରାସ୍ତା ଅବରୋଧ କରିବା କିମ୍ବା ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରୁଥିବା ଲୋକଙ୍କୁ ମଧ୍ୟ ବକ୍ସାଯିବ ନାହିଁ ବୋଲି ପୋଲିସ କହିଛି ।
ଅନ୍ୟପକ୍ଷରେ, ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ପୂଜା କମିଟି ଓ କ୍ଲବ୍ ସଦସ୍ୟମାନେ ‘ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍’ ମାଧ୍ୟମରେ ପୂଜା ଲାଇସେନ୍ସ ଏବଂ ଅନ୍ୟାନ୍ୟ ଅନୁମତି ପ୍ରଦାନ କରିବାକୁ ଦାବି କରିଥିଲେ । ଭସାଣି ବେଳେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ରାସ୍ତାଘାଟ, ଛକ ଓ ବଜାର ଅଞ୍ଚଳରେ ଝୁଲି ରହିଥିବା ବିପଦସଙ୍କୁଳ ବିଦ୍ୟୁତ୍ ତାରଗୁଡ଼ିକୁ ସଜାଡ଼ିବାକୁ ସେମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ସହରର ରାସ୍ତାଘାଟ ସଫା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସିଏମସି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

