Latest Odisha News

BREAKING NEWS

Baaz Battalions: ସୀମାରେ ‘ବାଜ୍ ନଜର’, ଧରାପଡିବ ଚୀନ-ପାକିସ୍ତାନର ସବୁ ଚାଲ୍!

ନୂଆଦିଲ୍ଲୀ: ସୀମାରେ ଉଡ଼ିବ ‘ବାଜ୍’

ଶତ୍ରୁ ଉପରେ ରଖିବ ତୀକ୍ଷ୍ଣ ନଜର!

ଏବେ ଭାରତରେ ପ୍ରତିରକ୍ଷାର ଚିତ୍ର ବଦଳିଯାଇଛି। ଆଉ କେବଳ ଟ୍ୟାଙ୍କ କିମ୍ବା ଯୁଦ୍ଧ ବିମାନ ନୁହେଁ… ଏବେ ଡ୍ରୋନ୍ ହିଁ ହେଉଛି ସବୁଠୁ ବଡ଼ ଅସ୍ତ୍ର। ରୁଷ-ୟୁକ୍ରେନ୍ ଯୁଦ୍ଧ ହେଉ କି ଭାରତ-ଚୀନ ସୀମା ବିବାଦ…ପ୍ରତ୍ୟେକ ଯୁଦ୍ଧ ଏହା ପ୍ରମାଣ କରିଛି ଯେ, ଆକାଶରେ ଯାହାର ନଜର ସବୁଠୁ ତୀକ୍ଷ୍ଣ, ଯୁଦ୍ଧକ୍ଷେତ୍ରରେ ସେ ହିଁ ଶକ୍ତିଶାଳୀ। ଆଉ ସେଥିପାଇଁ ଭାରତୀୟ ସେନା ଗଢ଼ୁଛି ଏକ ସ୍ୱତନ୍ତ୍ର ହାଇଟେକ୍ ୟୁନିଟ୍… ଯାହାର ନାଁ ହେଉଛି, ‘ବାଜ୍ ବାଟାଲିୟନ’। ହିନ୍ଦୀରେ ବାଜ୍ ପକ୍ଷୀ ଚଞ୍ଚାଣକୁ କୁହାଯାଏ, ଯିଏ ତାର ତୀକ୍ଷ୍ଣ ନଜର ଏବଂ ଦ୍ରୁତ ଉଡିବା କ୍ଷମତା ପାଇଁ ବେଶ୍ ପରିଚିତ ।

ସେହିପରି ସେନାର ଏହି ନୂତନ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ସୀମାର ଟିକନିଖ୍ ଖବର, ଶତ୍ରୁର ପ୍ରତିଟି ପଦକ୍ଷେପ ଏବଂ ଆଉ ଯୁଦ୍ଧକ୍ଷେତ୍ରର ପ୍ରତି ସେକେଣ୍ଡର ସୂଚନା ପ୍ରଦାନ କରିବ । ଯାହାକୁ ଭାରତୀୟ ସେନା ଖୁବଶୀଘ୍ର ଭାରତର ସୀମାରେ ମୁତୟନ କରିବାକୁ ଯାଉଛି । ଯାହାଦ୍ବାରା ରିଅଲ୍ ଟାଇମରେ ସେନା ପାଖରେ ସବୁ ଖବରକୁ ପହଞ୍ଚାଇବ ‘ବାଜ ବାଟାଲିୟନ’। ଭାରତୀୟ ସେନାର ଏହି ନୂଆ ୟୁନିଟ୍ ବିଶେଷ କରି ପ୍ରକୃତ ନିୟନ୍ତ୍ରଣ ରେଖା (LAC) ସମେତ ସମ୍ବେଦନଶୀଳ ସୀମା ଅଞ୍ଚଳରେ ଆକାଶପଥରୁ କଡ଼ା ନଜର ରଖିବ।

‘ବାଜ ବାଟାଲିୟନ’ର ସବୁଠୁ ବଡ଼ ଅସ୍ତ୍ର ହେବ ରିମୋଟଲି ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ (RPA)। ଅର୍ଥାତ୍ ଏଭଳି ଡ୍ରୋନ୍, ଯାହା କୌଣସି ପାଇଲଟ୍ ଦ୍ବାରା ପରିଚାଳିତ ହେବ ନାହିଁ । ଶହ ଶହ କିଲୋମିଟର ଦୂରରୁ ଏହାକୁ ରିମୋଟ୍ ମାଧ୍ୟମରେ ଉଡ଼ାଯାଏ। ଏହା ଶତ୍ରୁର ଗତିବିଧି ଉପରେ ନଜର ରଖି ତୁରନ୍ତ ସୂଚନା ସେନା ପାଖକୁ ପଠାଇବ। ଏହା ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ମଧ୍ୟ ଏକ ବଡ ବଳ ଭାବେ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି । ଏହି ବାଟାଲିୟନକୁ ସମ୍ଭବତଃ ଆର୍ମି ଏଭିଏସନ କୋର୍ ଅଧୀନରେ ରଖାଯିବ। ଯେଉଁଥିରେ ବିଶେଷ ତାଲିମପ୍ରାପ୍ତ ଡ୍ରୋନ୍ ଅପରେଟର ରହିବେ।

ତେବେ ଆଜିର ଯୁଦ୍ଧରେ ପ୍ରଥମେ ଗୁଳି ନୁହେଁ, ଉଡ଼ୁଛି ଡ୍ରୋନ୍। ଯାହା ବିଗତ ଯୁଦ୍ଧ କୌଶଳମାନଙ୍କରେ ପରିଲିକ୍ଷିତ ହୋଇଛି । ରୁଷ-ୟୁକ୍ରେନ୍ ଯୁଦ୍ଧ ଦେଖାଇଦେଇଛି ଯେ, କୋଟି କୋଟି ଟଙ୍କାର ଟ୍ୟାଙ୍କକୁ ମଧ୍ୟ ଛୋଟ ଡ୍ରୋନ୍ ଧ୍ୱଂସ କରିପାରେ। ଖାଲି ସେତିକି ନୁହେଁ, ଭାରତ-ଚୀନ LAC ବିବାଦ, ଏବଂ ପାକିସ୍ତାନ ବିରୋଧରେ ‘ଅପରେସନ୍ ସିନ୍ଦୁର’ର ଅନୁଭୂତିରୁ ମଧ୍ୟ ଭାରତୀୟ ସେନା ବଡ଼ ଶିକ୍ଷା ନେଇଛି।

ସେଥିପାଇଁ ଦେଶର ପ୍ରତିରକ୍ଷା ବିଭାଗ ଏବେ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛି । ଡ୍ରୋନ୍, ଏଆଇ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ କିପରି ସୁଦୃଢ ହେବ ଭାରତ । କେବେ ସୀମାରେ ବଙ୍କର୍ ଥିଲା…ଆଜି ରହିବ ଡ୍ରୋନ୍। ପୂର୍ବରୁ ସୈନିକ ଆଖିରେ ଶତ୍ରୁକୁ ଖୋଜାଯାଉଥିବା ବେଳେ ଏବେ AI ଓ ଡ୍ରୋନ୍ ମିଶି ଶତ୍ରୁର ପ୍ରତିଟି ଚାଲିଚଳନ ଉପରେ ନଜର ରଖିବେ। ଯେଉଁଥିରେ ‘ବାଜ୍ ବାଟାଲିୟନ’ କେବଳ ଏକ ନୂଆ ୟୁନିଟ୍ ନୁହେଁ, ବରଂ ଏହା ଭାରତୀୟ ସେନାର ଡ୍ରୋନ୍ ଫାଷ୍ଟ ଓ୍ବାରଫେୟାର ଡକ୍ଟରିନ୍(Drone First Warfare Doctrine) ଆଡ଼କୁ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି। ଭାରତର ‘ବାଜ୍ ବାଟାଲିୟନ’ ନୂଆ ସାମରିକ ଚିନ୍ତାଧାରାର ପ୍ରତୀକ, ଯାହା ଆଗାମୀ ଦିନରେ ଚୀନ ଓ ପାକିସ୍ତାନ ସୀମାରେ ଭାରତର ତୀକ୍ଷ୍ଣ ନଜର ଓ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ।

ଭାରତୀୟ ସେନାର ନିବର୍ତ୍ତମାନ ସେନାପ୍ରମୁଖ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ମାତ୍ର ଦୁଇ ବର୍ଷ ପୂର୍ବରୁ ଭାରତୀୟ ସେନା ପାଖରେ କିଛି ଶହ ଡ୍ରୋନ୍ ଥିଲା। କିନ୍ତୁ ଏବେ ଏହି ସଂଖ୍ୟା ୫୦ ହଜାରରୁ ଅଧିକ ଏବଂ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦୁଇଗୁଣା ହୋଇପାରେ। ଯାହା ସ୍ପଷ୍ଟ କରୁଛି ଯେ, ଭାରତୀୟ ସେନା ଭବିଷ୍ୟତର ଡ୍ରୋନ୍ ଯୁଦ୍ଧ ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତି କରୁଛି।

Leave A Reply

Your email address will not be published.