Latest Odisha News

BREAKING NEWS

୩ CJP ନେତାଙ୍କ ନାଁରେ ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ର ତିନି ପ୍ରମୁଖ ନେତା— ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ନାଁରେ ମୁମ୍ବାଇ ପୁଲିସ ପକ୍ଷରୁ ଲୁକ୍‌ଆଉଟ୍ ସର୍କୁଲାର (LOC) ଜାରି କରାଯାଇଛି। ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଦାଦର ସ୍ଥିତ ଶିବାଜୀ ପାର୍କରେ ପୁଲିସର ବିନା ଅନୁମତିରେ ‘ଚଲୋ ମୁମ୍ବାଇ’ ବିକ୍ଷୋଭ ଆୟୋଜନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଅକ୍ଟୋବର ୩ ତାରିଖରେ ସିଜେପି ନେତା ଓ ୪୦୦ରୁ ଅଧିକ ସମର୍ଥକଙ୍କ ବିରୋଧରେ ବେଆଇନ ସମାବେଶ ଓ ସରକାରୀ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏତଲା (FIR) ରୁଜୁ ହୋଇଥିଲା।

ଚାଲିଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଏହି ନେତାମାନେ ଯେପରି ଦେଶ ଛାଡ଼ି ବିଦେଶକୁ ପଳାୟନ ନ କରିପାରିବେ, ସେଥିପାଇଁ ବିମାନବନ୍ଦର ଓ ସୀମାବର୍ତ୍ତୀ ଅଞ୍ଚଳକୁ ସତର୍କ କରାଇବାକୁ ଏହି ଲୁକ୍‌ଆଉଟ୍ ନୋଟିସ୍ ଜାରି ହୋଇଛି। ଏହି ନୋଟିସ୍ ଆଧାରରେ ଗତ ନଭେମ୍ବର ୨୩ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ଇମିଗ୍ରେସନ୍ ଅଧିକାରୀମାନେ ସିଜେପି ମୁଖପାତ୍ର ସୌରଭ ଦାସଙ୍କୁ ଲଣ୍ଡନ ଯିବାରୁ ଅଟକାଇଥିଲେ।

ବିଦେଶ ଯାତ୍ରାରେ କଟକଣାକୁ ଚାଲେଞ୍ଜ କରି ସୌରଭ ଦାସ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଦିନ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି ଯେ ମୁମ୍ବାଇ ପୁଲିସର ଅନୁରୋଧ କ୍ରମେ ଏହି ସର୍କୁଲାର ଜାରି ହୋଇଛି ଏବଂ ସୌରଭ ଦାସଙ୍କ ପାସପୋର୍ଟ ତଥ୍ୟରେ (ଜନ୍ମସ୍ଥାନ ଓ ଅନ୍ୟାନ୍ୟ ବିବରଣୀ) ତ୍ରୁଟି ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.