Latest Odisha News

BREAKING NEWS

ଭୋଗମଣ୍ଡପର କାରୁକାର୍ଯ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଶ୍ରୀଜଗନ୍ନାଥ ମନ୍ଦିରରେ ନାଟ୍ୟ ମନ୍ଦିରର ସଂଲଗ୍ନ ହୋଇ ପୂର୍ବ ଦିଗକୁ ରହିଛି ପଞ୍ଚରଥ ଶୈଳୀରେ ଗଠିତ ପିଢ଼ ବା ପିରାମିଡ଼ ଶିଖର ଶୋଭିତ ଭୋଗମଣ୍ଡପ । ଏହାର ପଶ୍ଚିମ ପାଶ୍ୱର୍ ନାଟ୍ୟମଣ୍ଡପ ସହିତ ସଂଯୁକ୍ତ ରହିବା ସହିତ ଦକ୍ଷିଣରେ ଛେକବୁହା ବାଟ ରହିଥିବାରୁ ପୂର୍ବ ଓ ଉତ୍ତର ପାଶ୍ୱର୍ର ବାଡ଼ରେ ପାରମ୍ପରିକ ସୂକ୍ଷ୍ମ ଭାସ୍କର୍ଯ୍ୟ ପରିପୂର୍ଣ୍ଣ ହୋଇ ରହିଛି । ବିମାନର ଆଭ୍ୟନ୍ତରରେ ପୋଖରିଆ ବ୍ୟତିତ ମୁଖଶାଳା (ଜଗମୋହନ) ଓ ସଳଖ ଧାରରେ ରହି-ପ୍ରତ୍ୟେକଙ୍କ ଆଭ୍ୟନ୍ତର ଚଟାଣ ଓ ପୀଠ ସଙ୍ଗେ ସାମାନ୍ୟ ନିମ୍ନ ସ୍ତରରେ ଥିବାବେଳେ ନାଟ୍ୟ ମନ୍ଦିର ସହିତ ଭୋଗମଣ୍ଡପର ଚଟାଣ ଓ ପୀଠ ସହିତ ସମାନ ସ୍ତର ସୃଷ୍ଟି କରିଛି । ଭିତର ପରିକ୍ରମା ବା କୂର୍ମବେଢ଼ାରେ ପଶ୍ଚିମରୁ ପୂର୍ବକୁ କ୍ରମଶଃ ଢାଲୁ ହୋଇଥିବାରୁ ଜଗମୋହନ, ନାଟମଣ୍ଡପ ଅପେକ୍ଷା ଭୋଗମଣ୍ଡପ ପୀଠର ଉଚ୍ଚତା ପରିକ୍ରମା ଚଟାଣ ଉପରୁ ସର୍ବାଧିକ ହୋଇଥିବା ଜଣାଯାଏ ।

ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ଦ୍ୱୟର ଗଠନ ଶୈଳୀରେ ଅନେକ ସାମଞ୍ଜସ୍ୟ ରହିଛି । ଏହି ଦୁଇ ମନ୍ଦିରରେ ଭୋଗ ମଣ୍ଡପ ରହିଥିବାର ଦେଖାଯାଏ । ଭୋଗମଣ୍ଡପର ଚଟାଣ ବର୍ଗାକାର କ୍ଷେତ୍ର ଅଟେ । ଭିତରେ ନିର୍ମାଣ ପ୍ରକ୍ରିୟାର ଜ୍ୟାମିତିକ ସୂତ୍ର
ଅନୁସାରେ ସମବ୍ୟବଧାନ ରକ୍ଷା କରି ଚାରୋଟି ବିରାଟକାୟ ଶକ୍ତ ଖମ୍ବ ପ୍ରତିଷ୍ଠିତ । ଏହି ଖମ୍ବଗୁଡ଼ିକ ପିଢ଼ ଛାତର ଭୀମଭାରକୁ ଦୃଢ଼ ଭାବରେ ବହନ କରିଛନ୍ତି । ଏହାର ଭିତର ପାଶ୍ୱର୍ କାନ୍ଥ ଓ ସ୍ତମ୍ଭଗୁଡ଼ିକ ସଂପୂର୍ଣ୍ଣ ରୂପେ କାରୁକାର୍ଯ୍ୟ ବିହୀନ । ନାଟ୍ୟ ମଣ୍ଡପ
ଭଳି ଏଥିରେ କୌଣସି କାରୁକାର୍ଯ୍ୟ ରହେନାହିଁ । ଏହା ଭିତରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ନଥିବା ହୁଏତ ଏହାର କାରଣ । କେବଳ ଦକ୍ଷିଣ-ପଶ୍ଚିମ ଖମ୍ବର ଉତ୍ତର ପାଶ୍ୱର୍ରେ ପ୍ରାୟ ଛ’ଫୁଟ ଉଚ୍ଚରେ କିଛି ମୂର୍ତ୍ତି ରହିଥିବାର ଦେଖାଯାଏ । ଭୋଗ ମଣ୍ଡପର ଚତୁଃପାଶ୍ୱର୍ରେ ଚାରିଗୋଟି ଦ୍ୱାର ମଧ୍ୟରୁ ଦକ୍ଷିଣ ଦିଗରେ ଥିବା ଦ୍ୱାର ଓ ବାଡ଼ ସମ୍ପୂର୍ଣ୍ଣ ରୂପେ ଲୁକ୍‌କାୟିିତ । ଅନ୍ୟ ତିନି ପାଶ୍ୱର୍ର ପଥରର କାରୁକାର୍ଯ୍ୟ ମଣ୍ଡିତ ଦ୍ୱାରବନ୍ଧ ସହିତ ସୁସଜ୍ଜିତ କବାଟ ରହିଛି । ଦକ୍ଷିଣ ପାଶ୍ୱର୍ ଦ୍ୱାର ଦେଇ ରୋଷଘରୁ ଅମୁଣିଆ ଛେକ ଆସି ରଖାଯାଇଥାଏ । ନାଟ୍ୟମଣ୍ଡପ ସହିତ ସଂଯୁକ୍ତ ପଶ୍ଚିମ ପାଶ୍ୱର୍ ଦ୍ୱାର କେବଳ ପୂଜା ପାଇଁ ଉଦ୍ଦିଷ୍ଟ । ଏହି ଦ୍ୱାର ନିକଟରେ(୨୦୨୦-୨୧) ସଂପୂର୍ଣ୍ଣ ରୂପେରୂପାଛାଉଣୀ କରାଯାଇଛି । ବାକି ପୂର୍ବ ଓ ଉତ୍ତର ଦ୍ୱାର ବାଟେ ଭୋଗ ବଢ଼ିବା ପରେ ମହାପ୍ରସାଦ ବାହାରିଥାଏ ।


ଭୋଗ ମଣ୍ଡପ ଅବିକଳ ଜଗମୋହନ ସଦୃଶ ପଞ୍ଚରଥ ପିଢ଼ ଶୈଳୀରେ ସମ୍ପୂର୍ଣ୍ଣ  ବଉଳ ମାଳିଆ ପଥରରେ ନିର୍ମିିତ । ପ୍ରାୟ ୫୮ଢ ୫୮ଫୁଟ ଭୂମି ଉପରେ ଏହାର ପୀଠ ଅବସ୍ଥିତ । ଜଗମୋହନଠାରୁ ଉଚ୍ଚତା ଓ ଆକାରରେ ସାମାନ୍ୟ ଛୋଟ ହେଲେ ମଧ୍ୟ ଏହାର ତିନି ପାଶ୍ୱର୍ରେ ଥିବା ବାଡ଼ରେ ରହିଥିବା ସୂକ୍ଷ୍ମ ଭାସ୍କର୍ଯ୍ୟ ସମୁହକୁ ଅବଲୋକନ କଲେ ଏହାର ଶ୍ରେଷ୍ଠତ୍ୱ ବୁଝିହୁଏ । କେହି କେହି ଏହାକୁ କଳିଙ୍ଗ ଶୈଳୀର ଶ୍ରେଷ୍ଠ ଭାସ୍କର୍ଯ୍ୟର ଅନ୍ୟତମ ନମୁନାର ମାନ୍ୟତା ଦେଇଛନ୍ତି । ପ୍ରତ୍ୟେକ ପାଶ୍ୱର୍ରେ ସାଢ଼େ ଛଅ ଫୁଟ ପୀଠ ଉପରେ ପ୍ରାୟ ଷୋହଳ ଫୁଟ ଉଚ୍ଚତା ବିଶିଷ୍ଟ ବାଡ଼ର ସର୍ବାଙ୍ଗରେ ଶିଳ୍ପୀଙ୍କ ନିହଣ ମୁନରେ ଅଙ୍କିତ ସୂକ୍ଷ୍ମ କାରୁକାର୍ଯ୍ୟ ଭରି ରହିଛି । ବାଡ଼ର ମଧ୍ୟବର୍ତ୍ତି ସ୍ଥାନରେ ରହିଥିବା ଦ୍ୱାରବନ୍ଧ କ୍ଳୋରାଇଟ ପଥରରେ ପାରମ୍ପରିକ ଶୈଳୀରେ ନିର୍ମିିତ ।

ପୂର୍ବ ପାଶ୍ୱର୍ରେ ଥିବା ଦ୍ୱାରବନ୍ଧର ଦୁଇ ପାଶ୍ୱର୍ରେ ସୁଦୃଶ୍ୟ ଖମ୍ବର ମଧ୍ୟ ଭାଗରେ ଗଙ୍ଗା ଓ ଯମୁନାଙ୍କ ମୂତ୍ତି ଏବଂ ବନ୍ଧନାର ନିମ୍ନରେ କ୍ଷୁଦ୍ର ଜୟ ବିଜୟ ମୂର୍ତ୍ତି ଶୋଭାପାଉଛି । ଉତ୍ତର ଦିଗରେ ରହିଥିବା ପ୍ରବେଶ ପଥର ଦ୍ୱାରବନ୍ଧର ଦୁଇପାଶ୍ୱର୍ ସ୍ତମ୍ଭରେ ଜୟ ବିଜୟଙ୍କ ମୂର୍ତ୍ତି ମଝିରେ ରହି ନିମ୍ନରେ କ୍ଷୁଦ୍ରକାୟ ଗଙ୍ଗାଯମୁନା ରହିଛନ୍ତି । ମଧ୍ୟ ଭାଗରେ ତିନି ପାଶ୍ୱର୍ରେ ଛ’ଥାକିଆ ଭିନ୍ନ ଅଙ୍କନରେ ସମୃଦ୍ଧ ବନ୍ଧନୀଯୁକ୍ତ
ତୋରଣର ଉପରିଭାଗର ମଝିରେ ଗଜଲକ୍ଷ୍ମୀ ଶୋଭା ପାଇ ଏହାର ଶାସ୍ତ୍ରୀୟତା ପ୍ରମାଣିତ କରିଥାଏ । ଦୁଆର ବନ୍ଧର ସୂକ୍ଷ୍ମ କାରୁକାର୍ଯ୍ୟ ସମଗ୍ର ବାଡ଼ର କେନ୍ଦ୍ରରେ ରହି ଆକର୍ଷଣର ମୁଖ୍ୟ ଉପାଦାନ ହୋଇଛି । ପୂର୍ବ ଓ ଉତ୍ତରପାଶ୍ୱର୍ରେ ଏହିଭଳି ଦ୍ୱାରବନ୍ଧକୁ ଲାଗି ପାହାଚ ଶ୍ରେଣୀ ରହିଅଛି । ଏହି ପାହାଚ ଶ୍ରେଣୀ ପୀଠର ରାହା ପାଗରେ ଥିବା କିଛି କାରୁକାର୍ଯ୍ୟକୁ ଘୋଡ଼ାଇ ଦେଉଛି । ଭୋଗମଣ୍ଡପର କାରୁକାର୍ଯ୍ୟ ମଣ୍ଡିତ ସ୍ଥାପତ୍ୟକୁ ଅଧ୍ୟୟନ କରିବା ପୂର୍ବରୁ ଏହାର ନିର୍ମାଣ ସମ୍ପର୍କିତ ମୌଳିକ ଶାସ୍ତ୍ରୀୟତା ତଥା ବ୍ୟାକରଣକୁ ବୁଝିବା
ଆବଶ୍ୟକ ।

ପଞ୍ଚରଥ ଶୈଳୀର ମନ୍ଦିର ନିର୍ମାଣ ପ୍ରକ୍ରିୟାରେ ମୂଳ ପୀଠ ସ୍ତରରୁ ନିୟମାନୁସାରେ ବିଭାଜନ ଆରମ୍ଭ ହୋଇଥାଏ । ସେହି ଶାସ୍ତ୍ରୀୟ ବିଧିରେ କାମ ଶିଖର ପର୍ଯ୍ୟନ୍ତ ଅନୁସୃତ ହୁଏ । ପ୍ରତି ପାଶ୍ୱର୍କୁ ଯେଉଁ ପାଞ୍ଚ ଭାଗରେ ବିଭକ୍ତ କରାଯାଏ । ତାହା ହେଲା କେନ୍ଦ୍ରର ପ୍ରମୁଖ ଭାଗ ରାହାପାଗ, ତା’ର ବାହ୍ୟ ପାଶ୍ୱର୍ରେ ଅନୁରଥ ପାଗ ଓଶେଷ ବାହ୍ୟ ଅଂଶ କୋଣକ ପାଗ ଭାବରେ ଅଭିହିତ । ଏହି ବିଭାଜନ ଉଲମ୍ବ ଭାବରେ ନିମ୍ନରେ ପୀଠ ସ୍ତରରୁ ଆରମ୍ଭ ହୋଇ ବରଣ୍ଡ ଅଥବା ଗଣ୍ଡିର ନିମ୍ନ ପର୍ଯ୍ୟନ୍ତ ରହି ପୁନଶ୍ଚ ଗଣ୍ଡିରେ ଥିବା ପୀଢ଼ଗୁଡ଼ିକର ମଧ୍ୟ କେନ୍ଦ୍ର ଆଡ଼କୁ କ୍ରମ କ୍ଷୟମାନ ହୋଇ ଘଣ୍ଟା ବା ଅଁଳା ପର୍ଯ୍ୟନ୍ତ ଅନୁରୂପ ଜ୍ୟାମିତିକ ସୂତ୍ରର ଅବଲମ୍ବନରେ ରହିଥାଏ ।

ପ୍ରଥମେ ବାଡ଼ରେ ଆନୁଭୂମିକ ବିଭାଜନ ତର୍ଜମା କରାଯାଇପାରେ । ଏହାର ନିମ୍ନରୁ ଉପରକୁ ପ୍ରଥମେ ପୀଠ, ପାଭାଗ, ତଳ ଜଙ୍ଘା, ବନ୍ଧନା, ଉପର ଜଙ୍ଘା ଓ ବରଣ୍ଡ ଏହିଭଳି ସ୍ତରରେ ବିଭକ୍ତ । ପ୍ରତ୍ୟେକ ପଗ ଯଥା ରାହାପାଗ, ଅନୁରଥ ପାଗ ଓ କୋଣକ ପାଗର ବାମ ଓ ଦକ୍ଷିଣ ପାଶ୍ୱର୍ରେ ପା’ ପାଗର କର୍ମ ଯଥା ଖୁରା, କୁମ୍ଭ, ପଟା, କଣି ଓ ବସନ୍ତ, ଆଶିଂକ ଭାବରେ ଦୃଶ୍ୟମାନ ହୁଏ । ପାଭାଗର ଏହି ନିୟମ ବିମାନ କ୍ଷେତ୍ରରେ ଅଧିକ ଗଭୀର ଭାବରେ ପରିସ୍ଫୁଟ ହୋଇଥିବାର ଦେଖାଯାଏ ମାତ୍ର ଭୋଗ ମଣ୍ଡପରେ ଏହାର ନକ୍ସା ଅପେକ୍ଷାକୃତ ଛୋଟ ହୋଇ ସମଗ୍ର ବାଡ଼କୁ ଅତିରଞ୍ଜିତ କଲାଭଳି ମନେହୁଏ । ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରାବଲ୍ୟରେ ଶିଳ୍ପୀମାନେ ଏହି ବାଡ଼କୁ ଏତେ ଘଞ୍ଚ କରିଛନ୍ତି ଯେ କେଉଁଠାରେ ମଧ୍ୟ କାରୁକାର୍ଯ୍ୟ ବିହୀନ ଖାଲି ପଥରର ସାମାନ୍ୟତମ ଅଂଶ ଦୃଷ୍ଟିଗୋଚର ହୁଏ ନାହିଁ । ଭୋଗମଣ୍ଡପ ବାଡ଼ରେ ଅନ୍ୟତମ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଆକର୍ଷଣ ହେଉଛି ପୀଠ ଉପରୁ ଉପର ଜଙ୍ଘା ପର୍ଯ୍ୟନ୍ତ ଉଲମ୍ବ ଭାବରେ ରହିଥିବା ଅତି ସୂକ୍ଷ୍ମ କାରୁକାର୍ଯ୍ୟ ମଣ୍ଡିତ ଖମ୍ବ ସମୁହ । ଏହି ଖମ୍ବମାନ ବାଡ଼ର ପ୍ରତ୍ୟେକ ପାଗର ଆରମ୍ଭ ଓ ଶେଷରେ ଗୋଟିଏ ଲେଖାଏଁ ରହିଛି । ଶିଖରରେ ପୀଢ଼ର ପ୍ରଥମ ସୋପାନ ପ୍ରାୟ ତିନି ଫୁଟ ଆଗକୁ ବଢ଼ି ରହିଥିବାରୁ ଏବଂ ଏହାର ପଥରକୁ ଏହି ଖମ୍ବ ସ୍ପର୍ଶ କରିଥିବାରୁ ଏଗୁଡ଼ିକ କିଛି କାଂଶରେ ଅଗ୍ରମୁଖୀ ପୀଢ଼ର ଅଂଶକୁ ଆଶ୍ରା ଦେଇଥିବା ଭଳି ମନେହୁଏ । ପୁନଶ୍ଚ ଏଗୁଡ଼ିକର କାରୁକାର୍ଯ୍ୟ ଜନିତ କଳାତ୍ମକତା ସକାଶେ ବାଡ଼ର ସାମଗ୍ରିକ ଔଜଲ୍ୟ ବିକଶିତ ହୋଇଥାଏ । ପ୍ରକାରାନ୍ତରେ ଏହି ଖମ୍ବଗୁଡ଼ିକ ବାଡ଼ର କାରୁକାର୍ଯ୍ୟ ସମ୍ପନ୍ନ ହେବା ପରେ ଶୈଳ୍ପିକ ଆବଶ୍ୟକତା ଦୃଷ୍ଟିରୁ ସ୍ଥାପନ କରାଯାଇଥିବାର ଅନୁମେୟ କାରଣ ଏହି ଖମ୍ବ ପଛରେ ମଧ୍ୟ କିଛି କାରୁକାର୍ଯ୍ୟ ଛପି ଯାଉଥିବାର ଦେଖାଯାଏ । ଏତେ ବିସ୍ତୃତ ଭାବେ ସଂରଚନା କରିଥିବା ଶିଳ୍ପୀମାନେ ଏଭଳି କିଛି କାମ ଖମ୍ବ ଆଢ଼ୁଆଳରେ ସନ୍ଧିମାନଙ୍କରେ ରହିଯିବା ଭଳି ନକ୍ସା ବା ପ୍ରାକ୍ ଯୋଜନା କରିଥିବା ଅସମୀଚୀନ ମନେହୁଏ । ଏହିଭଳି ଖମ୍ବ ବାଡ଼ର ତିନି ପାଶ୍ୱର୍ରେ ଅନୁରଥ ପାଗରେ ଦୁଇଟି କରି ଚାରୋଟି ଏବଂ କୋଣିକ ପାଗରେ ମଧ୍ୟ ସେହିଭଳି ଚାରିଗୋଟି ଲେଖାଏଁ ରହିଛି । ରାହା ପାଗରେ ରହିଥିବା ଦ୍ୱାରବନ୍ଧର ଦୁଇ ପାଶ୍ୱର୍ରେ କ୍ଲୋରାଇଟ ପଥରର ସେହିଭଳି ନାତ୍ୟୁଚ୍ଚ ଖମ୍ବ ଦ୍ୱୟ ଭାସ୍କର୍ଯ୍ୟ ସମୃଦ୍ଧ ହୋଇ ପ୍ରତି ପାଶ୍ୱର୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed, but trackbacks and pingbacks are open.