Latest Odisha News

BREAKING NEWS

ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ପ୍ରିୟ କୁନି ପିଲାମାନେ

ଆଜି ହେଉଛି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ମାତା ସରସ୍ୱତୀଙ୍କର ଅନ୍ୟ ନାମ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି ।

ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା – ସ୍ୱତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାରରୁ ଜ୍ଞାନର ପଥ ଦେଖାଇବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି। ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ । ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟିଯାକ ଆଦ୍ୟାଶକ୍ତିଙ୍କର ସ୍ୱରୂପ ।

ଆମ ପୁରାଣ ବର୍ଣ୍ଣିତ କଥା ଅନୁସାରେ ସରସ୍ୱତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରାଯାଇଛି । ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକ ବ୍ୟକ୍ତିର ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ । ବାକ୍‌ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ଓ ନିର୍ଜୀବ ବସ୍ତୁର ସର୍ଜନା କଲେ ।

ହିନ୍ଦୁ ଧର୍ମରେ ପ୍ରଚଳିତ ଚାରିଟି ବେଦ ମଧ୍ୟରୁ ଋକ ବେଦ ଅନୁସାରେ ମା’ ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ ଲେଖାଯାଇଛି ।

ଆମେମାନେ ଭକ୍ତିଭାବ ସହ ମାତା ସରସ୍ବତୀଙ୍କର ପୂଜା କରିବା ଏବଂ ମନ ଦେଇ ପାଠ ପଢିବା।

ଆଜି ତୁମେମାନେ ଜାଣିଲ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମାତା ସରସ୍ବତୀଙ୍କ ବିଷୟରେ । ଆରଥରକୁ ପୁଣି ଜାଣିବା ଆମର ଆଉ ଏକ ପୂଜା ପର୍ବ ବିଷୟରେ ।

Comments are closed, but trackbacks and pingbacks are open.