Latest Odisha News

BREAKING NEWS

ଟ୍ରାଫିକ ଜାଗିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା, ଆପେ କଟିବ ଚାଲାଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ରାଫିକରେ ଲାଗିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା । ଟ୍ରାଫିକ୍ ନିୟମର ଉଲ୍ଲଂଘନ ରୋକିବା ସହ ଚାଲାଣ କାଟିବା ପାଇଁ ଏହାକୁ ବ୍ୟବହାର କରାଯିବ । ରେଡ୍ ଲାଇଟ୍ ଜମ୍ପ୍, ଟ୍ରିପଲ୍ ରାଇଡିଂ, ସିଟ୍ ବେଲ୍ଟ ନ ପିନ୍ଧିବା, ଡ୍ରାଇଭିଂ ବେଳେ ମୋବାଇଲ୍ ବ୍ୟବହାର କରିବା, ଓଭରଲୋଡିଂ ଆଦି ସବୁ ନିୟମ ଉଲ୍ଲଂଘନ ତୁରନ୍ତ ଚିହ୍ନଟ ହେବ । ୧୯ଟି ବିଭିନ୍ନ ପ୍ରକାରର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଏଆଇ କ୍ୟାମେରା ଚିହ୍ନଟ କରି ଚାଲାଣ ପଠାଇବ ।

ଦିଲ୍ଲୀ ପରିବହନ ଭିତ୍ତିଭୂମି ବିକାଶ ନିଗମ ଏଆଇ ଆଧାରିତ କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ଜାରି କରିଛି। ଘରୋଇ କମ୍ପାନୀଗୁଡିକ ଏହି ସମ୍ପୂର୍ଣ୍ଣ ସିଷ୍ଟମ୍ ଇନଷ୍ଟଲ କରିବେ । ଦିଲ୍ଲୀର ପ୍ରାୟତଃ ଅନେକ ସ୍ଥାନରେ ନୂତନ କ୍ୟାମେରା ଲଗାଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆପେ ଚାଲାଣ କଟିଯିବ । ଏହାପରେ ଗାଡି ମାଲିକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ମେସେଜ ପଠାଯିବ । ଏହି କ୍ୟାମେରାଗୁଡ଼ିକର ସଠିକତା ୯୫ ପ୍ରତିଶତ ହେବ ବୋଲି କୁହାଯାଉଛି।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ୱରେ ପରିବହନ ଶିଳ୍ପରେ ପରିବର୍ତ୍ତନ ଆଣୁଛି । ଅନେକ ବଡ ବଡ ଦେଶ ଟ୍ରାଫିକକୁ ସୁରକ୍ଷିତ ଏବଂ ସ୍ମାର୍ଟ କରିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି । ଚୀନ୍, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ ଦେଶରେ ଏଆଇ ଆଧାରିତ କ୍ୟାମେରା ବ୍ୟବହୃତ ହେଉଛି ।ତେଣୁ ଏହି ଦେଶଗୁଡିକରେ ଟ୍ରାଫିକ ବ୍ୟବସ୍ଥାରେ ଅନେକ ଉନ୍ନତି ଆସିଛି ।
ଆମେରିକାର ଟେକ୍ସାସରେ, ଏକ ସ୍ୱତନ୍ତ୍ର ଏଆଇ ଟ୍ରାଫିକ୍ ସିଷ୍ଟମ୍ ୧୦୦ପ୍ରତିଶତ କାର୍ଯ୍ୟ କରୁଛି । ଏହା ଲାଇଭ ଟ୍ରାଫିକ ସୂଚନା ଦେବା ସହ କୌଣସି ଅସୁବିଧା ହେଲେ ତୁରନ୍ତ ଆଲର୍ଟ ପଠାଏ । ସେହିପରି ଚୀନରେ ସିଗନାଲ୍ କଣ୍ଟ୍ରୋଲ୍, ସେଲ୍ଫ ଡ୍ରାଇଭ୍ ପାର୍କିଂ ଏବଂ ଡ୍ରାଇଭିଂ ପାଇଁ ଏହାକୁ ବ୍ୟବହାର କରାଯାଉଛି । ଚୀନର ସାଂଘାଇ ସହରରେ, ଏଆଇ ଆଧାରିତ ସିଗନାଲ୍ କଣ୍ଟ୍ରୋଲ୍ ସିଷ୍ଟମ ଟ୍ରାଫିକକୁ ୧୫ ପ୍ରତିଶତ ହ୍ରାସ କରିବାରେ ସାହାଯ୍ୟ କରିଛି।
ଭାରତରେ ଟ୍ରାଫିକ୍ ଏକ ବଡ ସମସ୍ୟା । ବଡ ସହରରେ ଟ୍ରାଫିକ୍ ଜାମ୍ ଏକ ସାଧାରଣ କଥା । ଯଦିଓ ଭାରତରେ ଏଆଇ ଆଧାରିତ ଟ୍ରାଫିକ୍ ସିଷ୍ଟମର ବ୍ୟବହାର ଏବେ ବି ନୂଆ ତଥାପି ଏହାକୁ ଅନେକ ସହରରେ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଚାଲିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ବେଙ୍ଗାଲୁରୁରେ ୫୦୦ ଏଆଇ ଆଧାରିତ ଟ୍ରାଫିକ୍ ସିଗନାଲ ସ୍ଥାପନ କରିବାର ଯୋଜନା ଅଛି । ନିକଟରେ ଗୋଆରେ ଏଆଇ ଆଧାରିତ ଟ୍ରାଫିକ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।

Leave A Reply

Your email address will not be published.