Latest Odisha News

BREAKING NEWS

ଆର୍ତ୍ତବଲ୍ଲଭ ମହାନ୍ତି

ଆର୍ତ୍ତବଲ୍ଲଭ ମହାନ୍ତି

(୧୮୬୬-୧୯୬୩)
କ୍ଷେତ୍ର: ଭାଷା-ସାହିତ୍ୟ (ଗବେଷଣା, ସଂପାଦନା)

ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗଦାନ ଅବିସ୍ମରଣୀୟ । ଏକାଧାରରେ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ, ଅନୁବାଦକ ତଥା ସଂପାଦକ ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଓଡ଼ିଆ ସାହିତ୍ୟ ପରମ୍ପରା ଓ ପ୍ରକାଶନର ପୁନୋରୁଦ୍ଧାର କ୍ଷେତ୍ରରେ ତାଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ପ୍ରାଚୀନ ଦୁର୍ଲଭ ଗ୍ରନ୍ଥଗୁଡ଼ିକର ସଂପାଦନା କରି ତାକୁ ପାଠକ ଓ ଗବେଷକଙ୍କ ନିକଟରେ ସୁଲଭ କରିବା ଦିଗରେ ନିଜର ସମସ୍ତ ପାଣ୍ଡିତ୍ୟ ଓ ପ୍ରତିଭା ବିନିଯୋଗ କରିଥିବା ଆର୍ତ୍ତବଲ୍ଲଭ ମହାନ୍ତି ୧୮୬୬ ମସିହା ଅଗଷ୍ଟ ୧୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ନାଗଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ପରେ ୧୯୧୪ରେ କଲିକତା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଶିକ୍ଷା ଶେଷ କରି ସେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ରେଭେନ୍ସା ମହାବିଦ୍ୟାଳୟରେ । ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ବିଭାଗ-ମୁଖ୍ୟ ଭାବେ ତାଙ୍କର କାର୍ଯ୍ୟଧାରା ଥିଲା ବେଶ୍ ଉଲ୍ଲେଖନୀୟ । ୧୯୨୪ରେ ସେ ପ୍ରତିଷ୍ଠା କରିଥିଲେ ପ୍ରାଚୀ ସମିତି । ଓଡ଼ିଆ ଭାଷାର ପୋଥି, ପୁସ୍ତକ ଓ ମୌଳିକ ରଚନା ସଂଗ୍ରହ, ସଂକଳନ ଓ ସଂପାଦନା ସହିତ ଇତିହାସ, ଦର୍ଶନ, ଆୟୁର୍ବେଦର ବିଭିନ୍ନ ତତ୍ତ୍ୱ ଓ ତଥ୍ୟ ଅନୁସନ୍ଧାନ ପଛରେ ସେ ବିତେଇ ଦେଇଥିଲେ ସାରା ଜୀବନ । କେବଳ ସେତିକି ନୁହେଁ, ବକୃତା ଓ ଶାସ୍ତ୍ରାର୍ଥ ବ୍ୟାଖ୍ୟାର ବ୍ୟବସ୍ଥା, ଶିଳାଲିପି, ସ୍ମୃତିଫଳକ, ପ୍ରାଚୀନ ଚିତ୍ର, ମୂର୍ତ୍ତି, କୀର୍ତ୍ତିସ୍ତମ୍ଭ ଆଦିର ଆବିଷ୍କାର ଓ ସଂରକ୍ଷଣ ସହିତ ‘ପ୍ରାଚୀ’ ପତ୍ରିକାର ପ୍ରକାଶନ ମଧ୍ୟ ଥିଲା ତାଙ୍କ କାର୍ଯ୍ୟଧାରାର ଅଂଶବିଶେଷ । ନିଜେ ‘ପ୍ରାଚୀ ପ୍ରେସ୍’ ପ୍ରତିଷ୍ଠା କରି ଦୁଷ୍ପ୍ରାପ୍ୟ ଗ୍ରନ୍ଥସବୁ ପ୍ରକାଶନ କରିଥିଲେ ସେ । ମଥୁରା ମଙ୍ଗଳ, ଲାବଣ୍ୟବତୀ, ରସକଲ୍ଲୋଳ, ମାଦଳାପାଞ୍ଜି, ବିଷ୍ଣୁଗର୍ଭ ପୁରାଣ, ନିର୍ଗୁଣ ମହାତ୍ମ୍ୟ, ବ୍ରହ୍ମଶଙ୍କୋଳି, ବଟଅବକାଶ, ଚୈତନ୍ୟ ଭାଗବତ, ପ୍ରେମ ପଞ୍ଚାମୃତ ଆଦି ପ୍ରାଚୀନ ଓ ମଧ୍ୟଯୁଗୀୟ ଗ୍ରନ୍ଥଗୁଡ଼ିକ ତାଙ୍କର ସୁଦ୍ଧ ସଂପାଦନା, ମୁଖବନ୍ଧ ଓ ଟୀକା ସହିତ ପ୍ରକାଶ ପାଇ ସହଜଲଭ୍ୟ ହୋଇ ପାରିଥିଲା । ତାଙ୍କର ସାହିତ୍ୟ ସାଧନା ପାଇଁ ରାୟସାହେବ ଉପାଧି, ରାୟବାହାଦୁର, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡିଲିଟ୍ ଉପାଧି, ପଦ୍ମଶ୍ରୀ, ଆନ୍ଧ୍ର ଗବେଷଣା ସମିତି ପ୍ରଦତ୍ତ ବିଦ୍ୟାଭୂଷଣ, ଓଡ଼ିଶା ସାହିତ୍ୟ ଏକାଡେମୀ ସାରସ୍ୱତ ସମ୍ମାନ ଆଦିରେ ଭୂଷିତ ହୋଇଥିଲେ ସେ । ଓଡ଼ିଶା ସରକାରଙ୍କ ଦ୍ୱାରା ଶବ୍ଦକୋଷ ସଂକଳନ କମିଟିର ଅଧ୍ୟକ୍ଷ, ଉତ୍କଳ ସାହିତ୍ୟ ସମାଜର ସଭାପତି, ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ସେ । ୧୯୬୩ ମସିହା ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ତିରୋଧାନ ହୋଇଥିଲା ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.