Latest Odisha News

ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍

ନୂଆଦିଲ୍ଲୀ : ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି ଘଟଣା ରାଜଧାନୀ ରାଜନୀତିକୁ ଏବେ ଉଷ୍ମ କରିଛି। ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ  ପାଇଁ ଆମ ଆଦମୀ ପାର୍ଟି (ଆପ୍) ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ପଦଯାତ୍ରା ଚାଲିଥିବା ବେଳେ କେହି ଜଣେ ବ୍ୟକ୍ତି ଅଚାନକ କେଜରିୱାଲଙ୍କ ଉପରକୁ କିଛି ତରଳ ପଦାର୍ଥ ଫିଙ୍ଗିଥିଲା।

ଏହି ଘଟଣାରେ ଗୁରୁତର ଅଭିଯୋଗ ସହ ବିଜେପିକୁ ଦୋଷ ଲଦିଛି ଆପ।  ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବାର ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ଦଳ । ଅମିତ ଶାହ ଦିଲ୍ଲୀ ଆଇନଶୃଙ୍ଖଳା ପାଇଁ ପଦକ୍ଷେପ ନେଉ ନଥିବାରୁ ଏହା ବିପର୍ଯ୍ୟସ୍ତ ହୋଇଥିବା ଆପ କହିଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାରଲେନା ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ବିଜେପିକୁ ଦାୟି କରିଛନ୍ତି। ସେ ଲେଖିଛନ୍ତି, ଆଜି ସ୍ପଷ୍ଟ ଦିବାଲୋକରେ ବିଜେପି କାର୍ଯ୍ୟକର୍ତ୍ତା ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ କରିଛନ୍ତି। ତୃତୀୟ ଥର ଦିଲ୍ଲୀ ନିର୍ବାଚନ ହାରିବା ଆଶଙ୍କାରେ ବିଜେପି ଏପରି  ହେଉଛି। ଦିଲ୍ଲୀବାସୀ ବିଜେପିର ଏପରି ଆଚରଣର ପ୍ରତିଶୋଧ ନେବେ। ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ୮ଟି ଆସନ ମିଳିଥିଲା, ଏଥର ନିର୍ବାଚନରେ ଶୁନ୍ ସିଟ୍ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୩୫ ଦିନରେ କେଜରିୱାଲଙ୍କ ଉପରେ ଏହା ତୃତୀୟ ଆକ୍ରମଣ। ଏହା ପୂର୍ବକୁ ଅକ୍ଟୋବର ୨୫ ତାରିଖ ଦିନ ବିକାଶପୁରୀ, ନଭେମ୍ବର ୨୭ରେ ନାଙ୍ଗଲୋଇ ଓ ୩୦ ନଭେମ୍ବର ଶନିବାର ଗ୍ରେଟର କୈଳାଶରେ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ଗ୍ରେଟର କୈଳାଶରେ ପଦଯାତ୍ରା କରୁଥିଲେ।

ତେବେ କେଜରିୱାଲ ନିଜ ଉପରେ ନିଜେ ଆକ୍ରମଣ କରି ବିଜେପି ଉପରେ ଦୋଷ ଲଦୁଥିବା ବିଜେପି କହିଛି। ଆଗକୁ ପରାଜୟ ଆଶଙ୍କାରେ ଆପ ଏପରି କରୁଛି। ଦିଲ୍ଲୀ ପୋଲିସ ମାମଲାର ଯାଞ୍ଚ କରି ସତ୍ୟତା ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ବିଜେପି କହିଛି।

Comments are closed.