Latest Odisha News

BREAKING NEWS

ଜେଲରେ କେଜ୍ରିୱାଲ: ବିଜେପିର ଲାଭ ନା କ୍ଷତି ?

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରୀ । ଦିଲ୍ଲୀ ଲୋକସଭା ନିର୍ବାଚନରେ ଆସିବ କି ଆପ୍ ସୁନାମୀ ? ଆମ ଆଦମୀ ପାର୍ଟିକୁ ମିଳିବ କି ସହାନୁଭୁତି ଭୋଟ୍ ? ଫଳାଫଳ ଦେଖିବ କି କେଜ୍ରିୱାଲ କରିସ୍ମା ? ବିଜେପିର ଲାଭ କେତେ, କ୍ଷତି କେତେ ? ଇଡି ଅସ୍ତ୍ର ଅଭିଯୋଗ, ଓଲଟା କ୍ଷତି ସହିବ କି ବିଜେପି ? ନା ଦୁର୍ନୀତି ବିରୋଧରେ ଅଭିଯାନ ପାଇଁ ବିଜେପି ଜିତିବ ଭୋଟରଙ୍କ ମନ ?

ସହାନୁଭୁତି ଭୋଟ୍ ହାତେଇବ ଆପ୍ !
ସାଧାରଣ ନିର୍ବାଚନ ଠିକ୍ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଗିରଫଦାରୀକୁ ସାରା ଦେଶରେ ଜୋରଦାର ବିରୋଧ କରୁଛି ଆମ ଆଦମୀ ପାର୍ଟି । କେଜ୍ରିୱାଲଙ୍କୁ ଗିରଫ ପଛରେ କେନ୍ଦ୍ରର ବିଜେପି ସରକାରଙ୍କ ରାଜନୈତିକ ଅଭିସନ୍ଧିକୁ ପ୍ରସଙ୍ଗ କରିଛି ଦଳ । ନିର୍ବାଚନ ମାହୋଲରେ ପ୍ରସଙ୍ଗକୁ ତତାଇ ସହାନୁଭୁତି ଭୋଟ୍ ହାତେଇବାକୁ ଉଦ୍ୟମ କରୁଛି ଆପ୍ । କେଜ୍ରିୱାଲଙ୍କ ଅନୁପସ୍ଥିତିରେ ପଞ୍ଜାବରେ ସିଏମ୍ ଭାଗବନ୍ତ ମାନ୍ ଓ ଦିଲ୍ଲୀରେ ଅତିସୀ ଓ ସୌରଭ ଭରଦ୍ୱାଜ ନିର୍ବାଚନ ରଣନୀତିକାର କମାଣ ସମ୍ଭାଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦିଲ୍ଲୀରୁ ହରିୟାଣା…ଆପକୁ ଫାଇଦା!
ଦିଲ୍ଲୀ ବିଧାନସଭାରେ ଯଦିଓ ଆପର କବଜା ରହିଛି, ତେବେ ଲୋକସଭାରେ ଖାତା ଖୋଲିନି ଦଳ । ଉଭୟ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଆପ୍ ଗୋଟିଏ ବି ଆସନ ଜିତିପାରିନି । ଏଥର ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢୁଛି ଆପ୍ । ଏମିତିରେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ସହାନୁଭୁତି ଲହର ଆସିଲେ ଦଳକୁ ଭଲ ଫାଇଦା ହେଇପାରେ । ଗତ ଲୋକସଭା ନିର୍ବାଚନରେ ପଞ୍ଜାବରେ ଆପକୁ ମାତ୍ର ଗୋଟିଏ ସିଟ୍ ମିଳିଥିଲା । ଏଥର ସଂଖ୍ୟା ବଢାଇବାକୁ ଉଦ୍ୟମ କରୁଛି ଅପ୍ । ତେବେ ପଞ୍ଜାବରେ ଏକାକୀ ଲଢୁଛି ଦଳା ଦିଲ୍ଲୀ ଓ ପଞ୍ଜାବ ସୀମାରେ ଥିବା ହରିୟାଣା ଉପରେ ବି ଦଳର ନଜର ରହିଛି । ଲୋକସଭା ସାଙ୍ଗକୁ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରୁଛି ଆପ ।

କେଜ୍ରିୱାଲଙ୍କ ପାଇଁ ବିରୋଧୀ ଏକାଠି
କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ସମସ୍ତ ବିପକ୍ଷ ଦଳ । କେନ୍ଦ୍ରର ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଆପ ସହ କଂଗ୍ରେସ, ଟିଏମସି, ଜେଏମଏମ ପ୍ରମୁଖ କେନ୍ଦ୍ରକୁ ଘେରିଛନ୍ତି । ପୂର୍ବରୁ ମଧ୍ୟ ରାଜନୈତିକ ସ୍ୱାର୍ଥ ପାଇଁ ତଦନ୍ତକାରୀ ଏଜେନ୍ସିକୁ ବିଜେପି ସରକାର ଅସ୍ତ୍ର କରୁଥିବା ବିରୋଧୀ ଅଭିଯୋଗ କରୁଥିଲେ । କେଜ୍ରିୱାଲ ଗିରଫ ହେବା ପରେ ବିରୋଧକୁ ବଳ ମିଳିଛି । କେଜ୍ରିୱାଲଙ୍କ ଗିରଫଦାରୀକୁ ନିର୍ବାଚନୀ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିପାରନ୍ତି ବିରୋଧୀ ।

କେଜ୍ରିୱାଲଙ୍କ ପାଇଁ ସହାନୁଭୁତି ଲହର ଆପକୁ ବଡ ଲାଭ ଦେବା ଯୁକ୍ତିକୁ ଗ୍ରହଣ କରୁନି ବିଜେପି । ଏପରିକି ଦୁର୍ନୀତି ବିରୋଧରେ ଅଭିଯାନ ପାଇଁ ଇଡି ଆକ୍ସନ୍ ବିଜେପି ପାଇଁ ବେଶୀ ଲାଭପ୍ରଦ ହେବ ବୋଲି ଦଳ କହିଛି । କେଜ୍ରିୱାଲଙ୍କୁ ରାହୁଲ ଗାନ୍ଧୀ ଖୋଲା ସମର୍ଥନ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ହେଲେ ଦିଲ୍ଲୀ ଓ ପଞ୍ଜାବ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ ଭିନ୍ନ ରହିଛି । ସେପଟେ କେଜ୍ରିୱାଲଙ୍କ ପାଇଁ ଜେଲରୁ ମୁକୁଳିବା ମୁସ୍କିଲ ହେଉଛି । ମଙ୍ଗଳବାର ଗିରଫଦାରୀ ବିରୋଧରେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ପରେ ବୁଧବାର ତତ୍କାଳ ଶୁଣାଣି ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ପାଇଁ କେଜ୍ରିୱାଲଙ୍କୁ ସପ୍ତାହେ ଅପେକ୍ଷା କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.