Latest Odisha News

BREAKING NEWS

ସ୍ମୃତିରେ ଅଶୋକ କୁମାର…

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ କଳାକାର ଅଶୋକ କୁମାରଙ୍କ ଜନ୍ମ ୧୩ ଅକ୍ଟୋବର ୧୯୧୧ରେ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ସମ୍ମାନରେ ସମ୍ମାନୀତ କରିଥିଲେ।

ଏହି ମହାନ୍‌ କଳାକାରଙ୍କ ମୂଳ ନାମ କୁମୁଦଲାଲ କୁଞ୍ଜୀଲାଲ ଗାଙ୍ଗୁଲୀ। ‘ଦାଦାମନି’ ଭାବେ ମଧ୍ୟ ସେ ବେଶ୍‌ ପରିଚିତ ଥିଲେ। ଫିଲ୍ମ ଦୁନିଆରେ ସଫଳ ହେବା ପାଇଁ ସେ ଅଶୋକ କୁମାର ନାମ ଗ୍ରହଣ କରିଥିଲେ।

ଇଲାହାବାଦ ବିଶ୍ୱ‌ବିଦ୍ୟାଳୟରୁ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେ ଚାକିରି ନ କରି ଫିଲ୍ମ ଜଗତ ସହ ଯୋଡି ହେବାକୁ ଚାହିଁଥିଲେ। ନିର୍ଦେଶକ ବନିବା ଥିଲା ତାଙ୍କର ଲକ୍ଷ୍ୟ। ହେଲେ ତାଙ୍କ ଭାଗ୍ୟରେ ବୋଧହୁଏ ଆଉ କିଛି ଲେଖାଥିଲା।

୧୯୩୬ରେ ‘ବମ୍ବେ ଟକିଜ୍‌’ ପକ୍ଷରୁ ‘ଜୀବନ ନୈୟା’ ନାମକ ଫିଲ୍ମରେ ଅଶୋକ କୁମାର ଅଭିନେତ୍ରୀ ଦେବୀକାଙ୍କ ସହ ଅଭିନୟ କରିଥିଲେ। ଦୁହିଁଙ୍କ ଯୋଡ଼ି ସୁପର‌୍‌-ହିଟ୍‌ ସାବ୍ୟସ୍ତ ହୋଇଥିଲା।

ପଦାର୍ପଣର ପ୍ରଥମ ବର୍ଷ ୧୯୩୬ରେ ଅଶୋକ କୁମାରଙ୍କର ତିନି ତିନିଟି ଫିଲ୍ମ ମୁକ୍ତିଲାଭ କରିଥିଲା। ଅନ୍ୟ ଦୁଇଟି ହେଉଛି ‘ଅଛୂତ କନ୍ୟା’ ଓ ‘ଜନ୍ମ ଭୂମି’। ସେ ପ୍ରାୟ୨୭୫ଟି ଫିଲ୍ମରେ ଅଭିନୟ କରିଥିବା ଜଣାଯାଏ।

୧୯୯୭ରେ ମୁକ୍ତିଲାଭ କରିଥିବା ‘ଆଖୋଁ ମେଁ ତୁମ ହୋ’ ତାଙ୍କର ଶେଷ ଫିଲ୍ମ ଥିଲା। ଅଶୋକ କୁମାର ଭଲ ଚିତ୍ର ଆଙ୍କୁଥିଲେ ଓ ଅବସର ସମୟରେ ରୋଗୀଙ୍କୁ ହୋମିଓପାଥି ଔଷଧ ମଧ୍ୟ ଦେଉଥିଲେ। ତାଙ୍କୁ ‘ଦାଦା ସାହେବ ଫାଲ୍‌କେ’ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.