Latest Odisha News

BREAKING NEWS

ମୃତ୍ୟୁ ପଥରେ ନଦୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଖରା ଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ । ବର୍ଷା ଋତୁ ଆରମ୍ଭ ହେଉ ହେଉ ଅଧିକାଂଶ ରାଜ୍ୟ ବନ୍ୟାର ଦାଉରେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି । ଖରା ଦିନେ ଶୁନ୍ୟଗର୍ଭା ଥିବା ନଦୀମାନେ ବର୍ଷା ଦିନେ ଅସମ୍ଭବ ଭାବେ ଫୁଲି ଉଠୁଛନ୍ତି । ଲୋକମାନେ ପାଣି ଅଭାବରୁ ମରୁଡ଼ିର ଶିକାର ହେବା ପରେ ପରେ ପୁଣି ବନ୍ୟାର ଦାଉ ସହିବାକୁ ପଡ଼ୁଛି । ରାସ୍ତା, ଘାଟ, ଗାଁ, ଭୂଇଁ ସବୁ ଜଳମୟ ହୋଇଯାଉଛି । ଫସଲ ଉଜୁଡ଼ି ଯାଉଛି । ଅନେକ ଧନ ଜୀବନ ନଷ୍ଟ ହେଉଛି । ଏପରି ପରିସ୍ଥିତି ପ୍ରାୟ ପ୍ରତି ବର୍ଷ ହେଉଥିବାର ଦେଖିବାକୁ ମିଳୁଛି । ଆମ ରାଜ୍ୟ ଓଡ଼ିଶାରେ ଆମେ ଗତ କିଛି ବର୍ଷ ହେବ ଏପରି ପରିସ୍ଥିତିକୁ ଅଙ୍ଗେ ଲିଭାଉଛନ୍ତି । କେତେବେଳେ ଲୋକମାନେ ପାଣି ପାଇଁ ହାହାକାର ହେଉଛନ୍ତି ତ କେତେବେଳେ ବନ୍ୟାରେ ସବୁ କିଛି ଧୋଇଯାଉଛି । ଏହା ଏକ ପ୍ରକାର ବିଡ଼ମ୍ବନା କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏସବୁ କେବଳ ପ୍ରାକୃତିକ କାରଣରୁ ହେଉନାହିଁ । ଏହା ପଛରେ ଆମର ତ୍ରୁଟିପୂର୍ଣ୍ଣ ନଦୀ ପରିଚାଳନା ହିଁ ଦାୟୀ ।

ଆମ ଦେଶରେ ନଦୀର ଅଭାବ ନାହିଁ । ଆମେ ଜାଣିଛେ ଯେ ବର୍ଷା ଦିନେ ବର୍ଷାର ପାଣିକୁ ଯଦି ନଦୀ ବାଟ ଦେଇ ଆମେ ସମୁଦ୍ର ମଧ୍ୟକୁ ଛାଡ଼ିଦେବା ତେବେ ପୁନଶ୍ଚ ଖରାଦିନେ ପାଣିର ଅଭାବ ହେବ ହିଁ ହେବ । ବର୍ଷା କେବଳ ପୃଥିବୀକୁ ଥଣ୍ଡାପଣ ନେଇ ଆସେନି, ବର୍ଷା ଆମ ପାଇଁ ସମୃଦ୍ଧି ଓ ସଂପନ୍ନତା ନେଇ ବି ଆସେ । କିନ୍ତୁ ଆମକୁ ସେହି ବର୍ଷାକୁ ତଥା ବର୍ଷା ଜଳକୁ ଅତ୍ୟନ୍ତ ସାବଧାନତାର ସହିତ ବ୍ୟବହାର କରିବାକୁ ହେବ । ମଣିଷ ସମାଜ ପାଇଁ ଏତେ ସବୁ ସମୃଦ୍ଧି ନେଇ ଆସୁଥିବା ବର୍ଷାରେ ମଣିଷ ସମାଜର ବିପତି ବି ଲୁଚି ରହିଛି । ସଂପ୍ରତି ପରିସ୍ଥିତି ଏପରି ହୋଇଛି ଯେ, ଯଦି କେବେ ଟିକେ ଅଧିକ ବର୍ଷା ହେଉଛି, ଦିନେ ଦୁଇ ଦିନ ଭିତରେ ନଦୀ ସବୁ ଫୁଲି ଉଠୁଛି ଓ ପରିଣାମ ସ୍ୱରୁପ ତାହା ପ୍ରଳୟଙ୍କାରୀ ବନ୍ୟାର ରୁପ ନେଉଛି । କାରଣ ଆମ ଦେଶର ନଦୀର ଗର୍ଭ ଗୁଡ଼ିକ ପ୍ରାୟତଃ ପୋତି ହୋଇପଡ଼ିଲାଣି । ସାମାନ୍ୟ ବି ଅଧିକ ବର୍ଷା ଜଳକୁ ତାହା ଆଉ ରଖିପାରୁ ନାହିଁ । ପରିଣାମ ସ୍ୱରୁପ କେଉଁଠି ବନ୍ଧ ଭାଙ୍ଗୁଛି ତ କେଉଁଠି ନଦୀବନ୍ଧର ଗେଟ୍ ଖୋଲିବାକୁ ପଡ଼ୁଛି । ପରିଣାମ ସ୍ୱରୁପ ବନ୍ୟା ହିଁ ଭୋଗିବାକୁ ପଡ଼ୁଛି । ଆମ ଦେଶର ଭିନ୍ନ ଭିନ୍ନ ସହରମାନଙ୍କରେ ପ୍ରତି ବର୍ଷ ହେଉଥିବା ବନ୍ୟାର ଘଟଣାରୁ ଆମେ ତଥାପି ବି କିଛି ଶିକ୍ଷା ଲାଭ କରୁଥିବା ପରି ଜଣାପଡ଼ୁନାହିଁ ।

୨୦୧୫ରେ ଚେନ୍ନାଇ ସହରରେ ଯେଉଁ ବଡ଼ ବନ୍ୟା ହୋଇଥିଲା ଓ ଲୋକମାନଙ୍କ ଘରେ ପାଣି ପଶି ଯାଇଥିଲା ତାର ଏକମାତ୍ର କାରଣ ହେଉଛି, ସହରର ଲୋକମାନେ ନଦୀ ଗର୍ଭକୁ ଅଳିଆ ଆବର୍ଜ୍ଜନାରେ ଭରି ଦେଇଥିଲେ ଓ ସାମାନ୍ୟ ଅଧିକ ବର୍ଷା ହେବାରୁ ନଦୀ ଗର୍ଭରେ ପାଣି ଜାଗା ଧରିଲା ନାହିଁ ଓ ପାଣି ଲୋକଙ୍କ ଘରେ ପଶିଲା । ବାଣିଜ୍ୟ ନଗରୀ ମୁମ୍ବାଇ ତ ଏବେ ବନ୍ୟାର ନଗରୀ ଭାବେ ପରିଗଣିତ ହେଲାଣି । ପ୍ରତି ବର୍ଷ ବର୍ଷା ଦିନେ ବନ୍ୟା ମୁମ୍ବାଇ ବାସୀଙ୍କ ପାଇଁ ଏକ ନିୟମିତ ସମସ୍ୟାରେ ପରିଣତ ହେଲାଣି । ଏହାର କାରଣ ବି ସମାନ । ମୁମ୍ବାଇ ବାସୀ ପ୍ରତିଯୋଗିତାର ସହ ତାଙ୍କ ଚାରିପଟେ ଥିବା ନଦୀ ଗୁଡ଼ିକୁ ପୋତିବାରେ ଲାଗିଛନ୍ତି । ରାଜଧାନୀ ଦିଲ୍ଲୀ ବି ଏହି ସମସ୍ୟାରୁ ମୁକ୍ତ ନୁହେଁ । ଦିଲ୍ଳୀର ଯମୁନା ନଦୀରେ ପ୍ରତି ଦିନ ଟନ୍ ଟନ୍ ଆବର୍ଜ୍ଜନା ପଡ଼ୁଛି ଓ ଦିନକୁ ଦିନ ଯମୁନା ପୋତି ହେବାରେ ଲାଗୁଛି । ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଦିଲ୍ଲୀ ମେଟ୍ରୋ ସମେତ ଅନେକ ଅନୁଷ୍ଠାନକୁ ଏଥିନେଇ ଚେତେଇବା ସତ୍ୱେ ବି ପରିସ୍ଥିତିରେ ସୁଧାର ହେଉଥିବାର ଦେଖାଯାଉନାହିଁ । ନିର୍ମାଣ କାମରୁ ବାହାରୁଥିବା ମାଟି ଓ ଅନ୍ୟାନ୍ୟ ଆବର୍ଜ୍ଜନାକୁ ଯମୁନା ନଦୀରେ ପକେଇବା ସାଧାରଣ ଘଟଣା ହୋଇଗଲାଣି ।

ଆମେ ସମସ୍ତେ ଜାଣିଛେ ଯେ, ସମଗ୍ର ଦେଶରେ ଆବର୍ଜ୍ଜନାର ପରିମାଣ ପ୍ରଚୁର ପରିମାଣରେ ବଢ଼ୁଛି ଓ ଆବର୍ଜ୍ଜନାକୁ ପକେଇବାର ସ୍ଥାନ ନିଅଂଟ ପଡ଼ୁଛି । ସାରା ଦେଶରେ ସମସ୍ତ ପ୍ରକାର ଆବର୍ଜ୍ଜନାକୁ ନଦୀ ମଧ୍ୟକୁ ଛାଡ଼ି ଦିଆଯାଉଛି । ନଦୀ ସବୁ ପୋତି ହୋଇ ପଡ଼ିବାର ଏହା ହିଁ ପ୍ରମୂଖ କାରଣ । ନଦୀ ଗୁଡ଼ିକର ଏପରି ପରିସ୍ଥିତିର ସବୁଠାରୁ ଅଧିକ କୁପ୍ରଭାବ ପଡ଼ିବ ମଣିଷ ସମାଜ ଉପରେ । ଏହା ନିଃସନ୍ଦେହ । ସଂପ୍ରତି ଆମ ନଦୀ ଗୁଡ଼ିକ ସାମ୍‌ନାରେ ତିନୋଟି ମୂଖ୍ୟ ସମସ୍ୟା ଦେଖାଦେଉଛି । କମ୍ ପାଣି, ପୋତି ହୋଇପଡ଼ୁଥିବା ନଦୀ ଗର୍ଭ ଓ ପ୍ରଦ୍ୟୁଷଣ । ଜଳବାୟୁ ପରିବର୍ତନ ଯୋଗୁ ବୃଷ୍ଟିପାତରେ ଭୀଷଣ ଅନିୟମିତତା ଦେଖାଦେଉଛି । ଯେତିକି ଦିନ ଧରି ଓ ଯେତିକି ପରିମାଣର ବର୍ଷା ହେବା କଥା ସେତିକି ଦିନ ଓ ସେତିକି ପରିମାଣର ବର୍ଷା ହେଉନାହିଁ । କେଉଁଠି ପ୍ରଚୁର ବର୍ଷା ହେଉଛି ତ କେଉଁଠି ବହୁତ କମ୍ ବର୍ଷା ହେଉଛି । ଏସବୁ ପରିସ୍ଥିତି ନଦୀ ପାଇଁ ଅସ୍ତିତ୍ୱର ସଂକଟ ଠିଆ କରିଛି । ବ୍ରହ୍ମପୁତ୍ର, ଗଙ୍ଗା, ମହାନଦୀ ଓ ବ୍ରାହ୍ମଣୀ ଆଦି ବଡ଼ ନଦୀ ମାନଙ୍କ ରାସ୍ତାରେ ପ୍ରଚୁର ବର୍ଷା ହେଉଛି ଓ ଏଥିରେ ସର୍ବନିମ୍ନ ପ୍ରବାହ ୪.୭ ଲକ୍ଷ ଘନମିଟର ପ୍ରତି ବର୍ଗ କିଲୋମିଟର ହେଉଛି । କୃଷ୍ଣା, ସିନ୍ଧୁ, ତାପ୍ତି, ନର୍ମଦା ଓ ଗୋଦାବରୀ ଆଦି ନଦୀ ମାନଙ୍କ ରାସ୍ତାରେ କର୍ମ ବର୍ଷା ହେଉଛି ଓ ଏଥିରେ ଜଳ ପ୍ରବାହ ୨.୬ ଲକ୍ଷ ଘନମିଟର ପ୍ରତି ବର୍ଗ କିଲୋମିଟର ହେଉଛି । କଂପାନୀ ମାନଙ୍କୁ ପାଣି, ଜଳସେଚନ, ବଡ଼ ବନ୍ଧ ନିର୍ମାଣ ଆଦି ଯୋଗୁ ନଦୀର ପ୍ରାକୃତିକ ସ୍ୱରୁପ ବିଗିଡ଼ିବାରେ ଲାଗୁଛି ଓ ପରିଣାମ ସ୍ୱରୁପ ନଦୀରେ ପାଣି କମ୍ ହେଉଛି ।

ଭାରତୀୟ ନଦୀମାନଙ୍କରେ ପ୍ରତି ବର୍ଷ ୧୬୪୫ ଘନ କିଲୋଲିଟର ପାଣି ପ୍ରବାହିତ ହୁଏ, ଯାହା ସାରା ବିଶ୍ୱର ୪.୪୪ ପ୍ରତିଶତ । ଜଳ ସଂପଦ କ୍ଷେତ୍ରରେ ଭାରତ ବର୍ଷ ସାରା ବିଶ୍ୱରେ ଅଧିକ ସମୃଦ୍ଧ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ସମଦାୟ ପାଣିର ୫୦ ପ୍ରତିଶତରୁ ଅଧିକ ବର୍ଷା ଋତୁ ତିନି ମାସରେ ସମୁଦ୍ରକୁ ଚାଲିଯାଉଛି ଓ ନଦୀ ଶୁଖିଲା ପଡ଼ୁଛି । ନଦୀ ନିଜ ପ୍ରବାହ ପଥରେ ମାଟି, ଗୋଡ଼ି, ପଥର ଆଦି ବୁହାଇ ନେଇଥାଏ । ଜଙ୍ଗଲ ଧ୍ୱଂସ, ଖଣି ଖନନ, ବିସ୍ଫୋଟକ ଆଦିର ବ୍ୟବହାର ଯୋଗୁ ଅନେକ ପ୍ରକାର ଆବର୍ଜ୍ଜନା ଯାଇ ନଦୀରେ ମିଶୁଛି । ତେଣୁ ନଦୀର ଗର୍ଭ ପୋତି ହେଉଛି । ଫଳରେ ଅଳ୍ପ ଟିକେି ବି ବର୍ଷା ହେଲେ ତାହା ବନ୍ୟାର ରୁପ ନେଉଛି । ବେଳେବେଳେ ନଦୀ ମରିଯାଉଛି ନଚେତ ତାର ଗତିପଥ ବଦଳି ଯାଉଛି । କଳ କାରଖାନାର ଆବର୍ଜ୍ଜନା, ଘରର ଆବର୍ଜ୍ଜନା, ଜମିରେ ବ୍ୟବହାର ହେଉଥିବା ବିଷାକ୍ତ ରାସାୟନିକର ଅବଶିଷ୍ଟାଂଶ ଆଦି ଯୋଗୁ ନଦୀର ପବିତ୍ର ଜଳ ମଧ୍ୟ ଦ୍ରୁତ ଗତିରେ ବିଷାକ୍ତ ହେବାରେ ଲାଗୁଛି ।

ଆଜି ଆମ ଦେଶର ୭୦ ପ୍ରତିଶତ ନଦୀ ପ୍ରଦ୍ୟୁଷିତ ଓ ମୃତ୍ୟୁ ପଥରେ । ଗୁଜୁରାଟର ଅମଲାଖେଡ଼ି, ସାବରମତୀ ଓ ଖାରୀ, ହରିୟାଣାର ମାରକଣ୍ଡା, ମଧ୍ୟପ୍ରଦେଶର ଖାନ୍‌, ଉତର ପ୍ରଦେଶର କାଲୀ ଓ ହିଣ୍ଡନ, ଆନ୍ଧ୍ରପଦେଶର ମୁଂସୀ, ଦିଲ୍ଲୀର ଯମୁନା ଓ ମହାରାଷ୍ଟ୍ରର ଭୀମା ଦେଶର ସବୁଠାରୁ ଅଧିକ ପ୍ରଦ୍ୟୁଷିତ ୧୦ଟି ନଦୀ । ପରିସ୍ଥିତି ଏପରି ହୋଇଛି ଯେ, ଆମ ଦେଶର ୨୭ଟି ନଦୀ, ନଦୀର ମାନକ ପୁରଣ କରୁନାହାନ୍ତି । ଏତଦ୍‌ବ୍ୟତୀତ ଗଙ୍ଗା ହେଉ କି ଯମୁନା, ମହାନଦୀ ହେଉ କି ଗୋଦାବରୀ, କୃଷ୍ଣା, କାବେରୀ, ବ୍ରହ୍ମପୁତ୍ର, ଝେଲମ୍ ସତଲେଜ, ରାବୀ ଆଦି ସମସ୍ତ ନଦୀ ସଂପ୍ରତି ପ୍ରଦ୍ୟୁଷିତ ଓ ନିଜ ଅସ୍ତିତ୍ୱର ସଂକଟରେ । ଗତ ପଚାଶ ବର୍ଷ ମଧ୍ୟରେ ଅନିୟନ୍ତ୍ରିତ ବିକାଶ, ଔଦେ୍‌୍ୟାଗୀକରଣ ଆଦି ଯୋଗୁ ମଣିଷର ଭାବନାରେ ବହୁତ ପରିବର୍ତନ ଆସିଛି । ଅତି ପବିତ୍ର ଭାବେ ଦେଖାଯାଉଥିବା ଏହି ସବୁ ନଦୀର ଜଳକୁ ଆଜି ପବିତ୍ର ନୁହେଁ କେବଳ ଏକ ସଂସାଧନ ଭାବେ ଦେଖାଯାଉଛି ଓ ତାକୁ କେତେ ଅଧିକ ଶୋଷଣ କରିହେବ ସେହି ବ୍ୟବସ୍ଥା ଚାଲୁଛି । ଆମେ ଭୂଲିଯିବା ଉଚିତ୍ ନୁହେଁ ଯେ, ନଦୀ ଉପରେ ସଂକଟ କେବଳ ନଦୀର ସଂକଟ ନୁହେଁ । ଏହା ସମଗ୍ର ମାନବ ସମାଜ ଓ ଜୀବଜଗତ ଉପରେ ସଂକଟ । କାରଣ ନଦୀ ସହିତ ଜଙ୍ଗଲ, ପାହାଡ଼, ଜୀବଜନ୍ତୁ, ଜନ ଜୀବନ ଆଦି ଅତି ଗଭୀର ଭାବେ ଜଡ଼ିତ । ତେଣୁ ନଦୀ ଗୁଡ଼ିକୁ ଉପଯୁକ୍ତ ଭାବେ ପରିଚାଳନା କରି ତାଙ୍କ ଅସ୍ତିତ୍ୱର ସୁରକ୍ଷା କରିବାକୁ ପଡ଼ିବ ଓ ଫଳସ୍ୱରୁପ ଏହା ମାନବ ସମାଜ ପାଇଁ ବରଦାୟକ ସାବ୍ୟସ୍ତ ହେବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
e-mail-bichitrabiswal@gmail.com

Leave A Reply

Your email address will not be published.