Latest Odisha News

ଗାଡ଼ି ଭାଙ୍ଗିଲେ, ପୋଲିସକୁ ମାଡ଼ ମାରି ବନ୍ଧୁକ ଛଡ଼ାଇନେଲେ

ପାରାଦୀପ: ପାରାଦୀପ ଅଭୟଚାନ୍ଦପୁର ଥାନା ଢ଼ିଙ୍କିଆ ଗ୍ରାମରେ ପୋଲିସକୁ ମାଡ । ଏହାସହ ବନ୍ଧୁକ ଛଡ଼ାଇ ନେଇଛନ୍ତି ଗ୍ରାମବାସୀ । ପୋଲିସର ଦୁଇଟି ବସର କାଚ ଭାଙ୍ଗିଛନ୍ତି । ଆଇଆଇସିଙ୍କ ସମେତ ୧୧ଜଣ ପୋଲିସ ଆହତ ହୋଇଥିବା ଜଗତସିଂହପୁର ଏସପି ଅଖିଳେଶ ସିଂ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ପ୍ରଭାତ ରାଉତଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼ କରାଯାଇଥିଲା । ପ୍ରଭାତ ଅଭୟଚାନ୍ଦପୁର ଥାନାରେ ଜଣାଇବା ସହିତ ବୋମାମାଡ଼ କରିଥିବା ଦୁଇଜଣ ଯୁବକଙ୍କୁ ପିଛା କରିଥିଲେ । ଖବର ପାଇ ଆଇଆଇସି ପୋଲିସ ଫୋର୍ସ ସହିତ ଗୋବିନ୍ଦପୁର ଯାଇ ଏକ ଅଫୁଟା ବୋମା ଜବତ କରିଥିଲେ । ଅଭିଯୁକ୍ତମାନେ କମ୍ପାନୀ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ଘରେ ଥିବା ସୂଚନା ପାଇଥିଲେ ।

ପୋଲିସ ଦେବେନ୍ଦ୍ର ସ୍ୱାଇଁଙ୍କ ଘର ନିକଟରେ ପହଞ୍ଚିବା କ୍ଷଣି ବିରୋଧୀମାନେ ଟେକା ପଥର ମାଡ଼ କରିଥିଲେ । ଏଥିରେ ଅଭୟଚାନ୍ଦପୁର ଥାନା ଆଇଆଇସି ପ୍ରଦୀପ୍ତ ସାମଲଙ୍କ ସମେତ ୧୧ଜଣ ପୋଲିସ ଆହତ ହୋଇଛନ୍ତି । ଆଇଆଇସିଙ୍କ ସର୍ଭିସ୍ ପିସ୍ତଲକୁ ମଧ୍ୟ ଛଡ଼ାଇ ନେଇଥିଲେ । ସେପଟେ ପ୍ରଭାତ କହିଛନ୍ତି ମୋତେ ଜନଶୁଣାଣୀରେ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ ଓ ତାଙ୍କ ସହଯୋଗୀ କମ୍ପାନୀକୁ ସମର୍ଥନ କଲେ ମାରିଦେବାକୁ ଧମକ ଦେବା ସହ ଶୁକ୍ରବାର ରାତିରେ ମଧ୍ୟ ଧମକ ଦେଇଥିଲେ ।

ଆକ୍ରମଣରେ ୨୫ରୁ ଅଧିକ ଲୋକ ସାମିଲ ଥିଲେ । ଅନ୍ଧାର ଯୋଗୁଁ ସମସ୍ତଙ୍କୁ ଚିହ୍ନି ହୋଇପାରିଲାନି । ଯେଉଁମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ନାମରେ କେସ ରୁଜୁ କରାଯାଇ ଗିରଫ କରାଯିବ । ତେବେ ସମ୍ପୂର୍ଣ୍ଣ ଘଟଣାରେ ପୋଲିସ କାହା ଉପରକୁ ମଧ୍ୟ ହାତ ଉଠାଇ ନଥିବା ଏସପି ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.