Latest Odisha News

BREAKING NEWS

ଝାଡ଼ଖଣ୍ଡ ପରେ ଏବେ କେରଳରେ ଡରାଉଛି ବାର୍ଡ ଫ୍ଲୁ

ଥିରୁଅନନ୍ତପୁରମ୍: ଝାଡଖଣ୍ଡ ପରେ ଏବେ କେରଳରେ ବାର୍ଡ ଫ୍ଲୁ ଆତଙ୍କ। ମନାରକାଡରେ ସରକାରୀ ଚାଳିତ ଆଞ୍ଚଳିକ କୁକୁଡ଼ା ଫାର୍ମରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ (H5N1) ସଂକ୍ରମଣ ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଛି। ଏହା ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇଛି । କୋଟାୟାମ ଜିଲ୍ଲା ପ୍ରଶାସନ ଏକ ବୟାନ ଜାରି କରିଛି। ପ୍ରଶାସନ କହିଛି ଯେ ବାର୍ଡ ଫ୍ଲୁ ପ୍ରକୋପ ପରେ କୁକୁଡ଼ା ଫାର୍ମ ଏକ କିଲୋମିଟର ଦୂରତା ମଧ୍ୟରେ ସମସ୍ତ ପକ୍ଷୀ ହତ୍ୟା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ପୋଲଟ୍ରି ଉତ୍ପାଦନର ବିକ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୟାନରେ କୁହାଯାଇଛି ଯେ ପ୍ରଭାବିତ ଅଞ୍ଚଳରେ କୀଟାଣୁଶୋଧକ ପଦକ୍ଷେପ ନିଆଯିବ ଏବଂ କୁକୁଡ଼ା ଫାର୍ମଠାରୁ ୧ ରୁ ୧୦ କିଲୋମିଟର ଦୂରତ୍ୱକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହା ବ୍ୟତୀତ ରାଜ୍ୟର କୋଟାୟାମ ଜିଲ୍ଲାରେ କୁକୁଡ଼ା, ବତକ ଏବଂ ଅନ୍ୟ ପକ୍ଷୀମାନଙ୍କର ଉତ୍ପାଦ ବିକ୍ରୟ ତଥା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜିଲ୍ଲାପାଳ ଭି ବିଗ୍ନେଶ୍ୱରୀ ପଶୁପାଳନ ବିଭାଗ ଦ୍ୱାରା ପରିଚାଳିତ ଏକ କୁକୁଡ଼ା ଫାର୍ମରେ ଏଭିଆନ୍ ଫ୍ଲୁ ବ୍ୟାପିବା ନିଶ୍ଚିତ ହେବା ପରେ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ଆନ୍ତଃ ବିଭାଗୀୟ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏଠାରେ ପ୍ରାୟ ନଅ ହଜାର କୁକୁଡ଼ା ପାଳିତ ହୋଇଥିଲା। ଯାହାକୁ ଏବେ ହତ୍ୟା କରାଯିବ।

ସୂଚନାଥାଉକି ବୁଧବାର ଝାଡଖଣ୍ଡରେ ଏକ କୁକୁଡ଼ା ଫାର୍ମରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ ଠାବ ହୋଇଛି। ଏହି ଭୂତାଣୁକୁ ନେଇ ଝାରଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ରାମ କୃଷ୍ଣ ଆଶ୍ରମ ପକ୍ଷରୁ ପରିଚାଳିତ ମୋରାବାଦି ସ୍ଥିତ କୁକୁଡ଼ା ଫାର୍ମ ଦିବ୍ୟାନ କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ୯୨୦ଟି ପକ୍ଷୀଙ୍କୁ ହତ୍ୟା କରାଯାଇଛି। ପକ୍ଷୀଙ୍କ ବ୍ୟତୀତ ୪,୩୦୦ ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି । ପକ୍ଷୀମାନଙ୍କ ନମୁନା ପରୀକ୍ଷା ପାଇଁ ଭୋପାଲରେ ଥିବା ICAR-National Institute of High Security Animal Diseases (NIHSAD) କୁ ପଠାଯାଇଥିଲା । ପରୀକ୍ଷାରୁ ପକ୍ଷୀଗୁଡ଼ିକ H5N1 ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । H5N1 ହେଉଛି ଆଭିଆନ ଇନଫ୍ଲୁଏଞ୍ଜାର ଗୋଟିଏ ଷ୍ଟ୍ରେନ।

Leave A Reply

Your email address will not be published.