Latest Odisha News

BREAKING NEWS

ଗୌରହରି ଦାସ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

ଭୁବନେଶ୍ୱର : ‘ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ’ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି । ଟାଇମ୍‍ପାସ୍‍ ପବ୍ଲିକେଶନ୍‍ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ପୁରସ୍କାର ବାବଦକୁ ଶ୍ରୀ ଦାସଙ୍କୁ ଉତ୍ତରୀୟ, ପ୍ରଶସ୍ତିପତ୍ର ଓ ଫଳକ ସହ ନଗଦ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଓ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି।

BjdElectrycity

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ହିନ୍ଦୀ ଲେଖକ ଉଦୟନ ବାଜପେୟୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ସାହିତ୍ୟ ସତ୍ୟ ସହିତ ପରିଚୟ କରାଇବା ସହ ପାଠକର ଅଦ୍ୱିତୀୟ ବିବେକକୁ ଜାଗ୍ରତ କରିବାରେ ସହାୟକ ହୁଏ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ଟ୍ରଷ୍ଟି ପାରମିତା ପଣ୍ଡା ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ବିଜୟ ମଲ୍ଲ ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସଂଯୋଜନାରେ ପୁରସ୍କୃତ ଲେଖକ ଡ. ଗୌରହରି ଦାସ ଏବଂ ମୁଖ୍ୟଅତିଥି ଉଦୟନ ବାଜପେୟୀଙ୍କ ମଧ୍ୟରେ ଏକ ଆଲୋଚନା ପର୍ବ ଅନୁଷ୍ଠିତ ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ୧୯୮୦ ମସିହାରୁ ପ୍ରଦାନ କରାଯାଇଆସୁଥିବା ଶାରଳା ପୁରସ୍କାର ବିଶିଷ୍ଟ ଶିଳ୍ପପତି ତଥା ବୈଜ୍ଞାନିକ ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ ଇଲା ପଣ୍ଡାଙ୍କର ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନକୁ ଏହି  ପରମ୍ପରାରେ ସାମିଲ କରାଯାଇଥିଲା ।

Leave A Reply

Your email address will not be published.