Latest Odisha News

BREAKING NEWS

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଇଭୋଲ୍‌ଭ’ ୬ଷ୍ଠ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର: ନିଜର କ୍ଷୁଦ୍ର, ମଧ୍ୟମ ଓ ଓ ଅତିକ୍ଷୁଦ୍ର (ଏମଏସ୍‌ଏମଇ) ଗ୍ରାହକଙ୍କ ପାଇଁ ଦେଶର ତୃତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଇଭୋଲ୍‌ଭ’ ୬ଷ୍ଠ ସଂସ୍କରଣ  ଅନୁଷ୍ଠିତ ହୋଇଯାଇଛି । ଏମଏସ୍‌ଏମଇ ଗ୍ରାହକଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ନିମନ୍ତେ ଏହା ଏକ ବାର୍ଷିକ ଆଲୋଚନାଚକ୍ର ଅଟେ ।

ଦେଶର ଅର୍ଥନୀତି ୫ ଟ୍ରିଲିୟନ ଡ଼ଲାରରେ ପହଂଚାଇବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଏମଏସ୍‌ଏମଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଚଳିତ ବର୍ଷ ‘ଇଭୋଲଭ’ରେ ଆଲୋଚିତ ହୋଇଛି । ଏହି ଆଲୋଚନାଚକ୍ରରେ ଗୁପ୍ତା ପାୱାର ଇନଫ୍ରାଷ୍ଟକଚର ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର ଗୁପ୍ତା ଉଦ୍‌ବୋଧନ ଦେଇ ଏହି ଲକ୍ଷ୍ୟ ହାସଲ ସଂପର୍କରେ ନିଜ ଅଭିଜ୍ଞତା ଓ ବିଶେଷ ଦୃଷ୍ଟିଭଙ୍ଗୀର ପରିପ୍ରକାଶ କରିଥିଲେ ।

ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କିଙ୍ଗ କଭରେଜ ଗ୍ରୁପର ବରିଷ୍ଠ ଉପସଭାପତି ମୋହିତ ଜୈନ କହିଥିଲେ ଯେ, ଆମର ଏମଏସ୍‌ଏମଇ ଓ ଏସ୍‌ଏମଇ ଗ୍ରାହକଙ୍କ ପାଇଁ ‘ଇଭୋଲ୍‌ଭ’ର ୬ଷ୍ଠ ସଂସ୍କରଣ ଆରମ୍ଭ କରି ଆମେ ଆନନ୍ଦିତ । ଏହି ଖୋଲା ମଂଚରେ ଗ୍ରାହକ ଶିକ୍ଷା ଲାଭ କରିବା ସହ ଶିଳ୍ପ ବିଶେଷଜ୍ଞଙ୍କ ସହ ମତ ବିନିମୟ କରିପାରିବେ । ସଂପ୍ରତି ଭାରତର ଜିଡ଼ିପି ପ୍ରତି ଏମଏସ୍‌ଏମଇର ଅବଦାନ ୩୦% ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଅଂଶ ଲକ୍ଷ୍ୟଧାର୍ଯ୍ୟ ୫୦%କୁ ନିଶ୍ଚିତ ଭାବେ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୧୯ରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଏମଏସ୍‌ଏମଇର ଅଭିବୃଦ୍ଧି ଘଟିବାର ଆବଶ୍ୟକତା ରହିଛି । ଇଭୋଲଭ ୬ଷ୍ଠ ସଂସ୍କରଣରେ ଏମଏସଏମଇ ଗୁଡ଼ିକୁ କେବଳ ଯେ ସେମାନଙ୍କ ଦକ୍ଷତା ସଂପର୍କରେ ଶିକ୍ଷିତ କରାଯିବ ସେକଥା ନୁହେଁ ବରଂ ସେମାନଙ୍କ ପ୍ରକୃତ ଦକ୍ଷତା ପଦାକୁ ଅଣାଯାଇ ୫ ଟ୍ରିଲିୟନ ଅର୍ଥନୀତିରେ ସେମାନଙ୍କ ଯୋଗଦାନ ସଂପର୍କରେ ସଚେତନ କରାଯିବ ବୋଲି ସେ କହିଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ ଅନୁଯାୟୀ ଦେଶରେ ପାଖାପାଖି ୬୩ ନିୟୁତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଏମଏସ୍‌ଏମଇ ରହିଛି । ଭାରତର ମୋଟ ଉଦ୍ୟୋଗ ମଧ୍ୟରେ ଏମାନଙ୍କ ସଂଖ୍ୟା ୯୦% ଅଟେ । ଏହି ଏମଏସ୍‌ଏମଇ ଗୁଡ଼ିକର ରାଜସ୍ୱ ଅବଦାନ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ମହତ୍ୱ ରଖିବ । ଦୁର୍ଗମ ଓ ପଛୁଆ ଅଞ୍ଚଳରେ ବ୍ୟବସାୟିକ କାର୍ଯ୍ୟ ଜରିଆରେ ସମ୍ବଳର ସନ୍ତୁଳିତ ବଣ୍ଟନ ଓ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ଭାରତୀୟ ଏମଏସ୍‌ଏମଇ  ଦକ୍ଷତା ରହିଛି । ନିରନ୍ତର ଓ ବର୍ଦ୍ଧିତ ଶିକ୍ଷା ଦ୍ୱାରା ଏମଏସ୍‌ଏମଇ ଓ ଏସ୍‌ଏମଇ ଗୁଡ଼ିକୁ ସଶକ୍ତିକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଉଦ୍ୟୋଗୀଙ୍କୁ ଉଚିତ୍ ଜ୍ଞାନ ପ୍ରଦାନ କରାଯିବ ଯଦ୍ୱାରା ସେମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ଘଟିବା ସହ ଉଦ୍ୟୋଗୀଙ୍କ ନିରନ୍ତର ବିକାଶ ଓ ପ୍ରଗତି ହୋଇପାରିବ ।

ଡ଼ୁନ ଏଣ୍ଡ ବ୍ରାଡ଼ଷ୍ଟ୍ରିଟ ସହଯୋଗରେ ମୁମ୍ବାଇ, ଜୟପୁର, ଭୋପାଳ, ଦିଲ୍ଲୀ, ଲକ୍ଷ୍ନୌ, କୋଚି, ଭୁବନେଶ୍ୱର, କୋଏମ୍ବାଟୁର ଆଦି ଦେଶର ୨୬ଟି ସହରରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଇଭୋଲଭ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଏହି ଜ୍ଞାନ ଶୃଙ୍ଖଳର ପ୍ରତ୍ୟେକ ଅଧିବେଶନରେ ନୂଆ ଯୁଗର କୌଶଳ, ବିଷୟ ଅନୁଧ୍ୟାନ, କାର୍ଯ୍ୟକାରିତାରେ ବିଶେଷ ଜ୍ଞାନର ଆବଶ୍ୟକତା, ନିୟାମକ ସଂସ୍ଥାର ନିୟମାବଳୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

ଏଥିସହ ଅଭିବୃଦ୍ଧି ପ୍ରକ୍ରିୟା ପାଇଁ ଜ୍ଞାନ ଓ ଦକ୍ଷତା ସଂପର୍କରେ ମତବିନିମୟ ହେବ । ୨୦୧୪ ମସିହାରେ ଇଭୋଲଭର ଶୁଭାରମ୍ଭ ହୋଇଥିଲା । ଚଳିତ ବର୍ଷ ଦେଶବ୍ୟାପୀ ୫୦୦୦ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଯୋଜନା କରାଯାଇଛି ।

Leave A Reply

Your email address will not be published.