Latest Odisha News

BREAKING NEWS

ନିର୍ମାଣର ୫ ବର୍ଷ ପରେ ବି ଆବଣ୍ଟନ ହୋଇନି ସରକାରୀ କ୍ୱାର୍ଟର, ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ

ଯାଜପୁର: ଗଛଲତା, ଉଇହୁଙ୍କାରେ ପରିପୂର୍ଣ୍ଣ ଘର । ପଡ଼ିଛି ଗଦା ଗଦା ମଦ ବୋତଲ ସାଙ୍ଗକୁ ସିଗାରେଟ୍ ଓ ଦିଆସିଲ୍ । ଆପଣ ଭାବୁଥିବେ ଏ ଦୃଶ୍ୟ ବୋଧେ କେଉଁ ଭୂତ କୋଠିର । ଆଜ୍ଞା ନା ଆପଣଙ୍କ ଅନୁମାନ ଭୁଲ୍ । ଏସବୁ ଘର ହେଉଛି ସରକାରୀ କ୍ୱାର୍ଟର । ଆପଣ ଦେଉଥିବା ଟିକସ ଟଙ୍କାରେ ସରକାର ଏସବୁ ଘର ଗଢ଼ିଛନ୍ତି ସରକାରୀ ଚାକିରିଆଙ୍କ ପାଇଁ ।

କିନ୍ତୁ ଘର ନିର୍ମାଣ ସରିବା ପରେ ପ୍ରଶାସନ କ୍ୱାର୍ଟର ଆଲଟମେଣ୍ଟ କରି ନାହିଁ । ଫଳରେ ଏଠି ପ୍ରତିଦିନ ଅସାମାଜିକଙ୍କ ଆଡ୍ଡା ଜମୁଛି । ଯାଜପୁର ଜିଲ୍ଲା ବ୍ୟାସନଗର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟକୁ ଲାଗି ଏ ସରକାରୀ କ୍ୱାର୍ଟର ରହିଥିଲେ ବି କାହାର ନିଘା ନାହିଁ । ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଭଳି ୭ଟି ସରକାରୀ କ୍ୱାର୍ଟର ନିର୍ମାଣ କରିଛି ଗ୍ରାମ୍ୟା ଉନ୍ନୟନ ବିଭାଗ । ନିର୍ମାଣର ଦୀର୍ଘ ବର୍ଷ ପରେ ବି କ୍ୱାର୍ଟରକୁ କାହାରିକୁ ଦେଇନି ପ୍ରଶାସନ ।

ଫଳରେ ଏଠାରେ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଉଛନ୍ତି । ନିକଟରେ ମହିଳା ବିଦ୍ୟାଳୟ ସହ ହଷ୍ଟେଲ ଓ ଜନବସତି ରହିଛି । ଅନେକ ସମୟରେ ଏଠାରେ ଅସାମାଜିକ ବ୍ୟକ୍ତି ନିଶା ଖାଇବା ସହ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । ତେବେ କ୍ୱାର୍ଟର ବାବଦରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ କିଛି ପ୍ରତିକ୍ରିୟା ରଖି ନଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ପଦକ୍ଷେପ ନିଆଯିବ ।

ଯାଜପୁର ଜିଲ୍ଲାପାଳ କହିଛନ୍ତି ୧୫ ଭିତରେ କ୍ୱାର୍ଟର ଆଲଟମେଣ୍ଟ ହୋଇଯିବ । ଦୀର୍ଘ ୫ ବର୍ଷ ଧରି ନିର୍ମାଣ ପରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା କ୍ୱାର୍ଟର ଗୁଡ଼ିକୁ ଯଥାଶୀଘ୍ର ଆବଣ୍ଟନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.