ପୁରୀ: ଆଜି ଆଡ଼ପ ଶେଷ ଦର୍ଶନ । ସନ୍ଧ୍ୟା ୬ଟା ଯାଏଁ ହେବ ଦର୍ଶନ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି,ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ। ଆସନ୍ତାକାଲି (ଶୁକ୍ରବାର) ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଶନିବାର ସୁନାବେଶ। ଏହି ଦୁଇ ଦିନ ଲାଗି ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।
ବାହୁଡ଼ାଯାତ୍ରା ପୂର୍ବ ଦିନ ଅର୍ଥାତ ୨୩ ତାରିଖ ରାତି ୧୨ ଟାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପରବର୍ତ୍ତୀ ସମୟରେ ଭିଡ଼ ଦେଖି ଟ୍ରାଫିକ କଟକଣା ପରିବର୍ତ୍ତନ ହୋଇପାରିବ ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।
ସେହିପରି ନିୟମିତ ଯାତ୍ରୀବାହୀ ବସ୍: ଭୁବନେଶ୍ୱର ଓ କଟକ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ଗୁଡିକ ମାଳତିପାଟପୁର ଓଭରବ୍ରିଜ୍ ଦେଇ ବାଇପାସ୍ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍ଷ୍ଟାଣ୍ଡ ପାର୍କିଂରେ ରହିବେ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ ଛକ, ଭୂଦାନଛକ, ଗ୍ରୀଡ ଷ୍ଟେସନ, ବାଇଦାସନଗର-ରାମଚଣ୍ଡୀ -କୋଣାର୍କ -ଗୋପ- ନିମାପଡା-ପିପିଲି ଓଭରବ୍ରିଜ୍ ଦେଇ ଭୁବନେଶ୍ୱର ଅଭିମୁଖେ ଯିବେ । ତାଳବଣିଆ ବସ୍ଷ୍ଟାଣ୍ଡ ପୂର୍ଣ୍ଣ ହୋଇଗଲେ ଭୂଦାନ ଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ । ଫେରିବା ସମୟରେ ସ୍ୱାମୀ ନାରାୟଣ ମନ୍ଦିରଭୂଦାନଛକ-ଗ୍ରୀଡ୍ ଷ୍ଟେସନ-ବାଇଦାସନଗର ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡା- ପିପିଲି ଓଭରବ୍ରିଜ୍ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ।
ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡିକ ଗିରଳ ଛକ ଦେଇ ମଙ୍ଗଳାଘାଟ ବ୍ରିଜ୍ରୁ ଯାଇ ସମଙ୍ଗ ପାର୍କିଂରେ ପାର୍କିଂ କରିବ । ସେଠାରୁ ବ୍ରହ୍ମଗିରି ଅଭିମୁଖେ ଫେରିବ । କୋଣାର୍କ ପାର୍ଶ୍ୱରୁ ଆସୁଥିବା ବସଗୁଡିକ ଚନ୍ଦ୍ରଭାଗା-ରାମଚଣ୍ଡୀ-ବାଲିଘାଇ-ବାଇଦାସନଗର ଗ୍ରୀଡଷ୍ଟେସନ, ଭୂଦାନ ଛକ, ଇନ୍ଡୋର ଷ୍ଟାଡିୟମ ଛକ ଦେଇ ତାଳବଣିଆରେ ପାର୍କିଂ କରିବ। ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ -ଭୂଦାନଛକ-ଗ୍ରୀଡ ଷ୍ଟେସନ ଦେଇ ବାଲିଘାଇ ଦେଇ ନିଜ ଗନ୍ତବ୍ୟସ୍ଥଳରେ ଯିବେ । ତାଳବଣିଆ ପାର୍କିଂ ପୂର୍ଣ୍ଣ ହୋଇଗଲେ ଭୂଦାନଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିରରେ ପାର୍କିଂ କରିବ ।