Latest Odisha News

BREAKING NEWS

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି।

ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ ବିଜେପି ପ୍ରମୁଖ ରାଜନୈତିକ ଅସ୍ତ୍ର କରିଥିବା ଦେଖାଯାଇଛି। କଂଗ୍ରେସ ପୂର୍ବରୁ ରାମ ମନ୍ଦିର ବିରୋଧରେ ଲଢେଇ କରୁଥିବା ବେଳେ ଏବେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କହୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ ଏଭଳି ଢଙ୍ଗରେ କଂଗ୍ରେସକୁ ଆକ୍ରମଣ କରିଛନ୍ତି।

ଏପରିକି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଏକ ନିର୍ବାଚନୀ ପ୍ରଚାର ଆରମ୍ଭରେ ଜୟ ବଜରଙ୍ଗ ବାଲି ସମ୍ବୋଧନରୁ ଆରମ୍ଭ କରିଥିବା ଦେଖିବକୁ ମିଳିଛି। କଂଗ୍ରେସର ବଜରଙ୍ଗ ଦଳକୁ ବ୍ୟାନ କରାଯିବା ପ୍ରସଙ୍ଗ ପରେ ବିଜେପି ନେତାମାନେ ଏହାକୁ ପ୍ରମୁଖ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚାଉଥିବା ଦେଖାଯାଉଛି। ଏପରିକି ବଜରଂଗ ଦଳର କାର୍ଯ୍ୟକର୍ତ୍ତାମାନେ କଂଗ୍ରେସ ବିରୋଧରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି ।

ଏ ପ୍ରସଙ୍ଗ ସହିତ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ସର୍ଟକର୍ଟ ରାଜନୀତି କରୁଥିବା କହିବା ସହ ସେମାନେ ଆଞ୍ଚଳିକ ଅସମାନତାକୁ ଦୃଷ୍ଟି ଦିଅନ୍ତି ନାହିଁ ବୋଲି କହିଛନ୍ତି। କିନ୍ତୁ ବିଜେପି ସମାନତା ସହ ବିକାଶକୁ ଗୁରୁତ୍ୱ ଦିଏ ବୋଲି ମାଦି କହିଛନ୍ତି। ସେପଟେ ପ୍ରଚାର ଶେଷ ହୋଇ ଆସୁଥିବାରୁ ବିଜେପି ଓ କଂଗ୍ରେସର ହେଭିୱେଟ ମାନେ ପ୍ରଚାରକୁ ଜୋରଦାର କରୁଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶ ସମେତ ଅନ୍ୟ ବହୁ ପ୍ରମୁଖ ବିଜେପି ନେତା ପ୍ରଚାର ଜୋରଦାର କରିଛନ୍ତି।

କଂଗ୍ରେସର ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖଡ଼ଗେ, ଡି କେ ଶିବକୁମାର, ସିଦ୍ଧରମେୟା ପ୍ରମୁଖ ଜୋରଦାର ପ୍ରଚାର କରୁଛନ୍ତି। ସେପଟେ ପରସ୍ପର ବିରୋଧୀ କଟୁ ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ଉଭୟ ଦଳର ନେତାଙ୍କୁ ନୋଟିସ ଜାରି କରିଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡେଗଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାଲାୟକ ବା ଅଯୋଗ୍ୟ ପୁଅ ଶବ୍ଦର ବ୍ୟବହାରକୁ ନେଇ ନିର୍ବାଚନ କମିଶନ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରିୟଙ୍କ ଦେଇଥିବା ବୟାନ ଅତ୍ୟନ୍ତ ଅସଭ୍ୟ ଓ ପ୍ରାଥମିକ ଭାବେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା କମିଶନ ନୋଟିସରେ କହିଛନ୍ତି। ଯଦି ସେ ନୋଟିସର କୌଣସି ଜବାବ ନ ଦେବେ ତାହେଲେ ନିର୍ବାଚନ କମିଶନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି।

ସେପଟେ କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା ମନ୍ତବ୍ୟ ପାଇଁ ବିଜେପି ନେତା ବି ପି ୟାଟନଲଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ମୋଦିଙ୍କ ବିରୋଧରେ ମନ୍ତବ୍ୟ ପାଇଁ ପ୍ରିୟଙ୍କ ଖଡ଼ଗେଙ୍କୁ ନୋଟିସ ହେବା ପରେ ପରେ ବିଜେପି ନେତାଙ୍କୁ ଏହି ନୋଟିସ ହୋଇଛି।

କର୍ଣ୍ଣାଟକ ନିର୍ବାଚନରେ ବ୍ୟକ୍ତିଗତ ଆକ୍ଷେପ ପ୍ରତିଆକ୍ଷେପ ତୀବ୍ର ହୋଇଛି । ଯାହାକୁ ନେଇ ସବୁଆଡେ ଜୋରଦାର ଚର୍ଚ୍ଚା। ପ୍ରଚାର ସରି ସରି ଆସୁଥିବା ବେଳେ ବିଜେପିର ବଜରଙ୍ଗ ଦଳ ପ୍ରସଙ୍ଗ ଓ କଂଗ୍ରେସର ୪୦ ପ୍ରତିଶତ କମିଶନ ପ୍ରସଙ୍ଗ ପ୍ରଚାରକୁ ବେଶ ରୋଚକ କରିଛି।

Leave A Reply

Your email address will not be published.