Latest Odisha News

BREAKING NEWS

ବାଲେଶ୍ୱର ଇଞ୍ଜିନିୟର ମୃତ୍ୟୁ ମାମଲା ନେଲା ନୂଆ ମୋଡ଼: ଫୋରେନ୍ସିକ୍ ଲ୍ୟାବ୍ ଗଲା ଉଦ୍ଧାର ହୋଇଥିବା ‘ସୁଇସାଇଡ୍ ନୋଟ୍’

ବାଲେଶ୍ୱର: ବାଲେଶ୍ୱରର ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ପରେ ପୋଲିସ ନିଜ ତଦନ୍ତକୁ ଜୋରଦାର କରିଛି। ଏହି କ୍ରମରେ ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଏକ ‘ସୁଇସାଇଡ୍ ନୋଟ୍‌’ ବା ଆତ୍ମହତ୍ୟା ପତ୍ରକୁ ଏବେ ଅଧିକ ଯାଞ୍ଚ ପାଇଁ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି।

 

ରଶ୍ମିରଞ୍ଜନଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ସିଧାସଳଖ ତାଙ୍କ ପତ୍ନୀ ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ରଶ୍ମିରଞ୍ଜନଙ୍କ ପତ୍ନୀ ନିଜେ ମଧ୍ୟ ଜଣେ ଇଞ୍ଜିନିୟର। ପାରିବାରିକ କଳହ ଓ ଅନ୍ୟ ସମ୍ପର୍କକୁ ନେଇ ସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ମିଶି ରଶ୍ମିରଞ୍ଜନଙ୍କୁ ରାସ୍ତାରୁ ହଟାଇ ଦେଇଥିବା ପରିବାର ପକ୍ଷରୁ ସଙ୍ଗିନ ଅଭିଯୋଗ କରାଯାଇଛି। ନିକଟ ଅତୀତରେ ରାଜ୍ୟ ତଥା ଦେଶରେ ପାରିବାରିକ ବିବାଦକୁ ନେଇ ଅନେକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିବା ବେଳେ ବାଲେଶ୍ୱରର ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

 

ମୃତଦେହ ଉଦ୍ଧାର ବେଳେ ପୋଲିସକୁ ମିଳିଥିବା ସୁଇସାଇଡ୍ ନୋଟ୍‌ରେ ରଶ୍ମିରଞ୍ଜନଙ୍କ ହସ୍ତାକ୍ଷର ଥିବା କୁହାଯାଉଛି। ତେବେ ଏହା ପ୍ରକୃତରେ ରଶ୍ମିରଞ୍ଜନ ଲେଖିଛନ୍ତି, ନା ତାଙ୍କୁ ହତ୍ୟା କରିବା ପରେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି, ତାହା ସ୍ପଷ୍ଟ କରିବାକୁ ପୋଲିସ ପଦକ୍ଷେପ ନେଇଛି। ପତ୍ରର ହସ୍ତାକ୍ଷର ମେଳ କରିବା ସହ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଏହାକୁ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଫୋରେନ୍ସିକ୍ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ବହୁ ମାତ୍ରାରେ ସ୍ପଷ୍ଟ ହୋଇଯିବ।

 

ପରିବାରର ଏତଲାକୁ ଭିତ୍ତି କରି ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିବା ସହ ଏକାଧିକ ଦିଗରୁ ଖୋଳତାଡ଼ ଜାରି ରଖିଛି। ଫୋରେନ୍ସିକ୍ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ରଶ୍ମିରଞ୍ଜନଙ୍କ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିବ। ଅନ୍ୟପଟେ, ନିଜ ବିରୋଧରେ ଆସିଥିବା ଏହି ସାଂଘାତିକ ଅଭିଯୋଗକୁ ନେଇ ରଶ୍ମିରଞ୍ଜନଙ୍କ ପତ୍ନୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.