Latest Odisha News

BREAKING NEWS

କଲବଲ କରୁଛି ତାତି, ସକାଳ ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ପାର୍

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସାରା ରାଜ୍ୟରେ ପ୍ରବଳ ଖରା । ଜଳୁଛି ରାଜଧାନୀ । ଆଜି ସକାଳୁ ସକାଳୁ ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ସକାଳ ସାଢେ ୮ଟା ସୁଦ୍ଧା ସେଠାରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ଵରରେ ସକାଳ ସାଢେ ୮ଟା ସୁଦ୍ଧା ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଆଉ ୯ ଟି ସହର ମଧ୍ୟ ୩୦ ଡିଗ୍ରୀ ଉପରେ ରହିଛି । ଚାନ୍ଦବାଲିରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୩୨.୪ ଡିଗ୍ରୀ, କେନ୍ଦୁଝରରେ ୩୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ାରେ ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ହୀରାକୁଦର ତାପମାତ୍ରା ୩୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସେହିପରି ସମ୍ବଲପୁରରେ ତାପମାତ୍ରା ୩୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୬ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ କରିହେବ । ତେଣୁ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ରୁ ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ ଯେ, ଗତକାଲି ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ରହିଥିବା ବେଳେ ବାରିପଦାରେ ସର୍ବାଧିକ ୪୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗତକାଲି ଭୁବନେଶ୍ବରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ଓ ନୂଆପଡ଼ାରେ ବି ପାରଦ ୪୧.୨ ଡିଗ୍ରୀ ରହିଥିଲା ।

Leave A Reply

Your email address will not be published.