ବାଲେଶ୍ୱର: ରୋଗୀଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ କରୁଣ ମୃତ୍ୟୁ ଘଟିଛି। ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାର ଜଳଙ୍ଗା ଛକ ନିକଟରେ ଦେଖିବାକୁ ମିଳିଛି । ଡାକ୍ତରଖାନା ଯାଇ ଜୀବନ ବଞ୍ଚାଇବାକୁ ଆଶା ବାନ୍ଧିଥିବା ଜଣେ ରୋଗୀ ଅଧାବାଟରେ ଏହି ଅଗ୍ନିକାଣ୍ଡର ଶିକାର ହୋଇ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁତର ଅବସ୍ଥାରେ ଥିବା ଜଣେ ରୋଗୀଙ୍କୁ ନେଇ ୧୦୮ ଆମ୍ବୁଲାନ୍ସଟି ଡାକ୍ତରଖାନା ଅଭିମୁଖେ ଯାଉଥିଲା। ତେବେ ବାଟରେ ସିମୁଳିଆ ଥାନା ଅନ୍ତର୍ଗତ ଜଳଙ୍ଗା ଛକ ନିକଟରେ ଗାଡ଼ିଟିରେ ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଦେଖୁ ଦେଖୁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଗାଡ଼ି ଭିତରେ ଥିବା ଲୋକେ କିଛି ବୁଝିବା ପୂର୍ବରୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଫଳରେ ଗାଡ଼ି ଭିତରେ ଥିବା ରୋଗୀଙ୍କର ଅତ୍ୟନ୍ତ କରୁଣ ଭାବରେ ମୃତ୍ୟୁ ଘଟିଛି ।
ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଖପାଖର ଲୋକେ ତୁରନ୍ତ ସେଠାରେ ରୁଣ୍ଡ ହୋଇଥିଲେ। ଖବର ପାଇ ସିମୁଳିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଆମ୍ବୁଲାନ୍ସରେ ନିଆଁ ଲାଗିଲା ଏବଂ ରକ୍ଷଣାବେକ୍ଷଣରେ କୌଣସି ଅବହେଳା ଥିଲା କି ନାହିଁ, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ କରୁଛି ।


Comments are closed.