ଇସଲାମାବାଦ: ପାକିସ୍ତାନ ପାଇଁ ଏବେ ଆସିଛି ସବୁଠାରୁ ବଡ଼ ଏବଂ ଭୟଙ୍କର ବିପଦ। ୧୯୭୧ ମସିହାରେ ବାଂଲାଦେଶ ଅଲଗା ହେବା ପରେ ଏବେ ପୁଣିଥରେ ପାକିସ୍ତାନର ମାନଚିତ୍ରରେ ଏକ ବିରାଟ ଫାଟ ସୃଷ୍ଟି ହେବାକୁ ଯାଉଛି। ଦୀର୍ଘ ଦଶନ୍ଧି ଧରି ଅତ୍ୟାଚାରର ଶିକାର ହୋଇଆସୁଥିବା ଏକ ବିରାଟ ଭୂଖଣ୍ଡ ଏବେ ନିଜକୁ ପାକିସ୍ତାନ ଠାରୁ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ଘୋଷଣା କରିଛି। କେବଳ ସେତିକି ନୁହେଁ, ସେମାନେ ନିଜ ଅଞ୍ଚଳ ଉପରେ ନିଜର ପ୍ରଶାସନିକ ନିୟନ୍ତ୍ରଣ ମଧ୍ୟ ଜାହିର କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନର ରାଜନୈତିକ ଏବଂ ସାମରିକ ମହଲରେ ଭୟର ବାତାବରଣ ଖେଳିଯାଇଛି।
ଏହି ବିଦ୍ରୋହର ନିଆଁ ଏବେ ଜଳୁଛି ବେଲୁଚିସ୍ତାନରେ। ରିପୋର୍ଟ ଅନୁଯାୟୀ, ବେଲୁଚିସ୍ତାନର ବିଦ୍ରୋହୀ ଗୋଷ୍ଠୀ ଓ ସ୍ଥାନୀୟ ନେତାମାନେ ପାକିସ୍ତାନ ସରକାରଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂଦେହି ଡାକରା ଦେଇ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛନ୍ତି। ସେମାନଙ୍କ ଦାବି ମୁତାବକ, ବେଲୁଚିସ୍ତାନର ଏକ ବିଶାଳ ଅଞ୍ଚଳ ଏବେ ସେମାନଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସେଠାରେ ପାକିସ୍ତାନୀ ପ୍ରଶାସନର କୌଣସି ଅସ୍ତିତ୍ୱ ନାହିଁ।
କାହିଁକି ଉଠିଲା ସ୍ୱାଧୀନତାର ସ୍ୱର?
ବେଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ଏବଂ ପ୍ରାକୃତିକ ସମ୍ପଦରେ ଭରପୂର ପ୍ରଦେଶ। କିନ୍ତୁ ଦୀର୍ଘ ଦିନ ଧରି ପାକିସ୍ତାନୀ ସେନା ସ୍ଥାନୀୟ ଲୋକଙ୍କ ଉପରେ ବର୍ବର ଅତ୍ୟାଚାର, ହତ୍ୟା ଏବଂ ମାନବାଧିକାର ଉଲ୍ଲଂଘନ କରିଆସୁଥିଲା।
ସେଠାକାର ଗ୍ୟାସ୍, କୋଇଲା ଓ ଖଣିଜ ସମ୍ପଦକୁ ଲୁଟି ପାକିସ୍ତାନ ସରକାର ଅନ୍ୟ ପ୍ରଦେଶର ବିକାଶ କରୁଥିବା ବେଳେ ବେଲୁଚ୍ ନାଗରିକଙ୍କୁ ଦାରିଦ୍ର୍ୟ ଭିତରେ ଛାଡି ଦିଆଯାଇଥିଲା।
ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ନାଁରେ ବେଲୁଚିସ୍ତାନର ଜମି ଏବଂ ଗ୍ୱାଦର ବନ୍ଦରକୁ ଚୀନ୍ ହାତରେ ଟେକି ଦେବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରୁଥିଲେ।
ଏହିସବୁ କାରଣରୁ ନିଜ ମାଟିର ଅଧିକାର ପାଇଁ ବେଲୁଚ୍ ନାଗରିକମାନେ ଲଗାତାର ଲଢେଇ କରୁଥିଲେ। ଏବେ ସେହି ଅସନ୍ତୋଷର ନିଆଁ ଏକ ବିସ୍ଫୋରକ ରୂପ ନେଇ ସ୍ୱାଧୀନତାର ଡାକରାରେ ପରିଣତ ହୋଇଛି।
ବେଲୁଚିସ୍ତାନର ଏହି ‘ସ୍ୱାଧୀନତା’ ଘୋଷଣା ପରେ ଇସଲାମାବାଦରେ ହଡ଼କମ୍ପ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ନିଦ ହଜିଯାଇଛି। କାରଣ ଯଦି ବେଲୁଚିସ୍ତାନ ସମ୍ପୂର୍ଣ୍ଣ ଭାବେ ହାତଛଡ଼ା ହୁଏ, ତେବେ ଦେଉଳିଆ ଅବସ୍ଥାରେ ଥିବା ପାକିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯିବ।
ଅନ୍ୟପଟେ ନିଜର ସୁରକ୍ଷା ପାଇଁ ଆଗାମୀ ଦିନରେ ବେଲୁଚ୍ ସ୍ୱାଧୀନତା ସଂଗ୍ରାମୀମାନେ ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ଲୋଡିବା ଆଶଙ୍କା ପାକିସ୍ତାନ ସରକାରଙ୍କୁ ଅଧିକ ଭୟଭୀତ କରିଦେଇଛି। ଦକ୍ଷିଣ ଏସିଆର ଭୂ-ରାଜନୀତିରେ ଏହି ଘଟଣା ଏବେ ଏକ ନୂଆ ମୋଡ଼ ନେବାକୁ ଯାଉଛି।