Latest Odisha News

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ: ଆଜି ୧୨ ଘଣ୍ଟିଆ ବରଗଡ଼ ସହର ବନ୍ଦ । କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାର ନ୍ୟାୟ ଦାବିରେ ସଚେତନ ନାଗରିକ ମଞ୍ଚଙ୍କ ସହ ବିରୋଧୀଙ୍କ ପକ୍ଷରୁ ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବ ବନ୍ଦ ପାଳନ । ଟାଉନରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ୪୮ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୀଡ଼ିତା ଏବେ ମଧ୍ୟ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବରଗଡ଼ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିଲେ ପୀଡ଼ିତା ଯୁବତୀ ଜଣଙ୍କ । ତେବେ ସେବେଠାରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ ତାଙ୍କର କୌଣସି ପତ୍ତ ମିଳିନଥିଲା । ଶେଷରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଏତଲା ଆଧାରରେ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଗତ ୧୪ ତାରିଖ ଦିନ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲ ମଧ୍ୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଯୁବତୀ ଜଣଙ୍କ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି।

ସେପଟେ ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାରେ ଅଛି ବୋଲି କହିଛନ୍ତି ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ଟିମ୍‌ ରାଜ୍ୟ ତଥା ରାଜ୍ୟ ବାହାରେ ଚଢ଼ାଉ କରୁଛନ୍ତି। ଗୋଟେପଟେ ପୀଡିତାଙ୍କ ମା’ ଝିଅକୁ ଅପରହରଣ କରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିବା ବେଳେ ସେପଟେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ବୋଲି କହିଛନ୍ତି ବୁର୍ଲା ଭିମସାର ମେଡିକାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ। ।

ଅନ୍ୟପଟେ ଏ ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ଘଟଣାକୁ ନେଇ ସରକାରୀ ଦଳ ଉପରେ ଦୋଷ ଲଦିଛି ବିରୋଧୀ ଦଳ । ତେବେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବାବେଳେ ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଡା. ନାୟକ ସୂଚନା ଦେଇଛନ୍ତି।

Comments are closed.