Latest Odisha News

BREAKING NEWS

ବର୍ଷର ଆଶା ଅଲିମ୍ପିକରେ ୫ ମେଡାଲ…

ସମ୍ବିତ୍ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଗୁଗଲୀ…

ଆରମ୍ଭ ହୋଇସାରିଛି ନୂଆବର୍ଷ । ଏହା କେବଳ ଗୋଟିଏ ବର୍ଷର ଆରମ୍ଭ ନୁହେଁ । ଏହା ଏକ ଦଶନ୍ଧିର ଆରମ୍ଭ ହୋଇଥିବାରୁ ୨୦୨୦ର ଗୁରୁତ୍ୱ ବେଶ ବେଶୀ । ଭାରତୀୟ କ୍ରୀଡ଼ା ସକାଶେ ୨୦୨୦ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‍ ଜୁଲାଇ-ଅଗଷ୍ଟରେ ଜାପାନର ଟୋକିଓ ସହରରେ ଆୟୋଜିତ ହେବାକୁ ଯାଉଛି । ଅଲିମ୍ପିକ୍‍ ବର୍ଷରେ ଖେଳ ସାଧାରଣତଃ ରହିଥାଏ ଅଧିକ ଫୋକସ୍‍ରେ । ତେଣୁ ଭାରତୀୟ କ୍ରୀଡ଼ା ପାଇଁ ଅଲିମ୍ପିକ୍‍ ବର୍ଷ କିପରି ରହିବ ତାହା ଦେଖିବା ପାଇଁ ସମସ୍ତଙ୍କ ଆଗ୍ରହ । ଏକାଧିକ ଅଲିମ୍ପିକ କ୍ରୀଡ଼ାରେ ୨୦୧୯ ଖୁବ୍‍ ଭଲ ରହିଥିଲା ଭାରତ ସକାଶେ । ଖାସ୍‍ କରି ସୁଟିଂ, ରେସଲିଂ ଏବଂ ବକ୍ସିଂ ସାଙ୍ଗକୁ ହକିରେ ଭଲ କରିଥିବାରୁ ୨୦୨୦ ଛୁଇଁଥିବା ଅବସ୍ଥାରେ ଆଶା ଆକାଶ ଛୁଆଁ ହୋଇଛି । ସେହିପରି ବିରାଟ କୋହଲିଙ୍କ ଦଳ ପାଖରୁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ରେ ଜବରଦସ୍ତର ପ୍ରଦର୍ଶନର ଧାରା ଦଶନ୍ଧି ପ୍ରାରମ୍ଭ ବର୍ଷରେ ।
ଟୋକିଓ ଅଲିମ୍ପିକ୍‍ରେ ଆମ ପ୍ରଦର୍ଶନ କିପରି ରହିବ ତାହା ହିଁ ଚର୍ଚ୍ଚାର ବିଷୟ ହୋଇଛି ବର୍ଷ ଆରମ୍ଭ ବେଳକୁ । ଯଦି ପହିଲା ଦିନର ସ୍ଥିତିକୁ ନେଇ କହିବା ତା’ହେଲେ ଟୋକିଓରେ ଦୁଇଅଙ୍କର ମେଡାଲ ଭାରତ ହାସଲ କରିନେଲେ କେହି ଆଶ୍ଚର୍ଯ୍ୟ ହେବାର କଥା ନୁହେଁ । କେବଳ ସୁଟିଂରୁ ୫ ମେଡାଲ ଆସିବାର ସମ୍ଭାବନା ସୃଷ୍ଟି ହୋଇସାରିଛି । ଟୋକିଓର ସୁଟିଂ ଇଭେଣ୍ଟ ସକାଶେ ୧୫ଜଣ ସୁଟର ଆମର ଯୋଗ୍ୟତା ହାସଲ କରିସାରିଛନ୍ତି । ଭାରତୀୟ ଅଲିମ୍ପିକ୍‍ ଇତିହାସରେ ଏତେ ସଂଖ୍ୟକ ସୁଟର କେବେ ବି ଆଗରୁ ଏକାଠି ଯାଇନାହାଁନ୍ତି ଗୋଟିଏ ଅଲିମ୍ପିକ୍‍କୁ । ୨୧ଟି ଇଭେଣ୍ଟରେ ପଦକ ପାଇଁ ଲଢିବେ ଏହି ୧୫ଜଣ ସୁଟର । ଯେଉଁପରି ଭାବରେ ସୌରଗ ଚୌଧୁରୀ, ମନୁ ଭାକର ଓ ସାଥୀମାନେ ଗତବର୍ଷକ ଧରି ପ୍ରଦର୍ଶନ କରିଛନ୍ତି ସେହି ଫର୍ମ ଯଦି ଅଲିମ୍ପିକ୍‍ ପର୍ଯ୍ୟନ୍ତ ବନିରହେ ତା’ହେଲେ ୫ ମେଡାଲ ଆସିବା କିଛି ବଡ଼ କଥା ହେବ ନାହିଁ । ସିନ୍ଧୁଙ୍କୁ ନେଇ ୨୦୨୦ରେ ଆଶା ବି ଅନେକ । ଖାସ୍‍ କରି ଅଲିମ୍ପିକ୍‍ରେ ସିନ୍ଧୁଙ୍କ ପାଖରୁ ସ୍ୱର୍ଣ୍ଣର ଆଶା ସମସ୍ତଙ୍କର ରହିଛି । ୨୦୧୯ରେ ବିଶ୍ୱ ଚମ୍ପିଆନ୍‍ ହୋଇଥିବା ପି.ଭି ସିନ୍ଧୁ ଗତ ରିଓ ଅଲିମ୍ପିକ୍‍ରେ ରୌପ୍ୟ ପଦକ ପାଇଥିଲେ ଫାଇନାଲରେ ହାରି । ଭାରତ ପାଖରେ ଅଲିମ୍ପିକ୍‍ କ୍ରୀଡ଼ାରେ ବ୍ରୋଞ୍ଜ ଏବଂ ରୌପ୍ୟ ପଦକ ସିଙ୍ଗିଲ୍ସରେ ଆସିସାରିଛି । ଏବେ ଅଭାବ ଥିବା ସ୍ୱର୍ଣ୍ଣଟି ଏବର୍ଷ ଟୋକିଓରେ ସିନ୍ଧୁଙ୍କ ମାଧ୍ୟମରେ ଆସିବା ଭଳି ମନେହୁଏ । ସିନ୍ଧୁଙ୍କ ବ୍ୟତିତ ୨୦୨୦ରେ ସ୍ୱାତ୍ତ୍ୱିକସାଇରାଜ- ଚିରାଗ ସେଠୀଙ୍କ ଡବଲ୍ସ ଯୋଡି କରିପାରେ କମାଲ । ସାଇନା ନେହେୱାଲ ମଧ୍ୟ ଜମାଣିଆ ପ୍ରଦର୍ଶନ ସକାଶେ ପ୍ରସ୍ତୁତ ହେଉଛନ୍ତି ।
ରେସଲିଂରେ ମଧ୍ୟ ସମ୍ଭାବନା ପ୍ରଚୁର ରହିଛି ବିଶେଷ କରି ବଜରଙ୍ଗ ପୁନିଆ ଚମକ୍ରାର ଲଢିଛନ୍ତି ଗତବର୍ଷ ସାରା । ତେଣୁ ତାଙ୍କ ପାଇଁ ଏବର୍ଷ ସଫଳତମ ବର୍ଷ ହେବାର ଆଶା କରାଯାଏ । ଦୀପକ ପୁନିଆ ଏବଂ ରବି ଦହିଆଙ୍କ ପରି ଖେଳାଳିମାନେ ମଧ୍ୟ ଭାରତୀୟ ରେସଲିଂ ଆକାଶରେ ଉଦୟ ହୋଇ ୨୦୨୦ ପାଦ ଥାପିଲା ବେଳକୁ ସମସ୍ତଙ୍କ ମନରେ ସେହି ଆଶାର କଥା ସୃଷ୍ଟି କରିସାରିଛନ୍ତି । ଭିନେଶ ପୋଗତ ମଧ୍ୟ ଯେପରି ଲୟରେ ଅଛନ୍ତି ସେଥିରୁ ଆଶା ଦୃଢିଭୂତ ହେଉଛି ଅଲିମ୍ପିକ୍‍ରେ କିଛି ଏକ ବଡ଼ ଘଟଣା ତାଙ୍କ ମାଧ୍ୟମରେ ଘଟିଯାଇପାରେ ।
ହକିକୁ ନେଇ ୨୦୨୦ରେ ଆଶା ସତରେ ଅସୁମାରୀ ଅବସ୍ଥା । ବହୁବର୍ଷ ପରେ ଅଲିମ୍ପିକ୍‍ର ମେଡାଲ କଥା ଜୋରରେ କହିବା ଆରମ୍ଭ କଲେଣି ଖେଳାଳି । ରିଓ ପରେ ଦୁଇଟିଯାକ ଦଳ ଅର୍ଥାତ୍‍ ଆମ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍‍ ଯୋଗ୍ୟତା ଟିକେଟ ପାଇସାରିଛନ୍ତି । ଟୋକିଓ ଠାରେ ମହିଳା ଦଳ ପାଖରୁ ପଦକର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ଥିଲା ବେଳେ ପୁରୁଷ ଦଳ କିନ୍ତୁ ୧୯୮୦ ପରେ ଆସିନଥିବା ପଦକ କଥାକୁ ସାକାର କରିଦେଇପାରେ । ଗତବର୍ଷ ଏକାଧିକ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ବଢିଆ ପ୍ରଦର୍ଶନ କରିଛି । ବିଶ୍ୱର ୫ ନମ୍ବର ଦଳ ଭାବରେ ଦୃଢତାର ସହ ରହିଥିବା ଭାରତୀୟ ପୁରୁଷ ହକି ଦଳ ତେବେ ବଡ଼ ଶକ୍ତିମାନଙ୍କ ବିରୋଧରେ ଲଢିବା ପାଇଁ ତୟାର ଅଛି । ତେବେ ଟୋକିଓ ଯିବା ଆଗରୁ ପ୍ରସ୍ତୁତି ଓ ବିଶ୍ରାମ ସମତୁଲତାରେ ହେବା ଦରକାର । ଭାରତୀୟ ଦଳ କେତେ ପ୍ରସ୍ତୁତ ଟୋକିଓ ପାଇଁ ତାହାର ଝଲକ୍‍ ଜାନୁଆରୀରୁ ଆରମ୍ଭ ହୋଇ ଜୁନ୍‍ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରୋ-ଲିଗ୍‍ରୁ ବେଶ ବୁଝାପଡିଯିବ । ଯଦି ବିନାକିଛି ଆଘାତଜନିତ ସମସ୍ୟାରେ ମନପ୍ରୀତ ସିଂଙ୍କ ଦଳ ଟୋକିଓ ଯାଏ ଓ ଆରମ୍ଭ ସେଠାରେ ଭଲ ହୋଇଯାଏ ତା’ହେଲେ ବ୍ରୋଞ୍ଜର କଥା ହୋଇଯାଇପାରେ ସାକାର । ଭାରତୀୟ କ୍ରିକେଟ ପାଇଁ ବଡ଼ ଚ୍ୟାଲେଞ୍ଜ ଭରା ରହିବାକୁ ଯାଉଛି ୨୦୨୦ । କାରଣ ଟି-୨୦ ବିଶ୍ୱକପ୍‍ ଅଷ୍ଟ୍ରେଲିଆରେ ହେବ । ୨୦୧୯ରେ ୫୦ ଓଭରିଆ ବିଶ୍ୱକପ୍‍ ଜିତିପାରିନାହିଁ ଭାରତ । ସେହି ମନଦୁଃଖର ଅବସ୍ଥା ଏବର୍ଷ ବଦଳାଇ ନେବାର ବନିଛି ସୁଯୋଗ । ତେବେ କେବଳ ଟି-୨୦ ବିଶ୍ୱକପ୍‍ ନୁହେଁ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ମଧ୍ୟ ଏଥର ଆହ୍ୱାନ ହେବାକୁ ଯାଉଛି । ଗତ ଗସ୍ତରେ ଟିମ୍‍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଟେଷ୍ଟ ସିରିଜରେ ପରାଜିତ କରିଥିଲା । ହେଲେ ସେ ଦଳରେ ଷ୍ଟିଭ୍‍ ସ୍ମିଥ୍‍ କିମ୍ବା ଡେଭିଡ ୱର୍ଣ୍ଣର ନଥିଲେ । ତେଣୁ ଏଥରର ସିରିଜ ବେଳେ ବିରାଟ କୋହଲିଙ୍କ ଦଳରର ସାମ୍ନା ପୂର୍ଣ୍ଣଶକ୍ତିଭରା ଅଷ୍ଟ୍ରେଲିଆ ଦଳ ସହ ହେବାକୁ ଯାଉଛି । ସେମାନେ ଏଥର ବିନା ଲଢେଇରେ ଛାଡିବେନି ଇଞ୍ଚେ । ତେଣୁ ଏକ ଘମାଘୋଟ ଲଢେଇର ସମ୍ଭାବନା ସୃଷ୍ଟି ହୋଇଛି ।
ବକ୍ସିଂରେ ଅମିତ୍‍ ପଙ୍ଘାଲ ଏବଂ ମ୍ୟାରିକମ୍‍ଙ୍କ ଫର୍ମ ଖୁବ୍‍ ଆଶା ସଂଚାରକାରୀ ହୋଇସାରିଛି । ସେମାନଙ୍କ ପାଇଁ ମଧ୍ୟ ଏବର୍ଷ ବ୍ୟକ୍ତିଗତ ଆହ୍ୱାନର ବର୍ଷ । ଭାରତୀୟ ଫୁଟବଲ ପାଇଁ ୨୦୨୦ ଏକ ଭିନ୍ନ ବର୍ଷ ହେବାକୁ ଯାଉଛି । ଗୋଟିଏ ପଟେ ୧୭ ବର୍ଷରୁ କମ୍‍ ଫିଫା ମହିଳା ବିଶ୍ୱକପ୍‍ ଆମେ ଆୟୋଜନ କରିବାକୁ ଯାଉଥିଲା ବେଳେ ଅନ୍ୟପଟେ ଆମ ଜାତୀୟ ପୁରୁଷ ଦଳ ନିଜ ଖସିଯାଉଥିବା ଅବସ୍ଥାରୁ ଉପରକୁ ଉଠିବା ପାଇଁ ସଂଘର୍ଷ କରିବ ଏବର୍ଷ । ବିଶ୍ୱକପ୍‍ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଫୁଟବଲ୍‍ ଦଳର ପ୍ରଦର୍ଶନ ବିଶେଷ ଭଲ ରହିନାହିଁ । ଟପ୍‍-୧୦୦ ରୁ ତଳକୁ ଖସିସାରିଛି ଭାରତ ।
ଟେନିସ୍‍ରେ ସୁମିତ ନାଗାଲଙ୍କ ବଢିଆ ଫର୍ମ ସାଙ୍ଗକୁ ଡେଭିସ୍‍କପ୍‍ ଦଳର ଚମକ୍ରାର ଖେଳ ୨୦୨୦ ପାଇଁ ଆଶା ବନାଇଛି । ତା’ସହ ଆଉ ଏକ ଆଶା ସାନିଆ ମିର୍ଜାଙ୍କ ମାଧ୍ୟମରେ ବି ଆସିଛି । କାରଣ ମା’ ହେବା ପରେ ବେଶ କିଛି ଦିନ ଟେନିସରୁ ବାହାରେ ରହିଥିବା ୩୩ବର୍ଷିୟା ସାନିଆ ନୂଆବର୍ଷରେ ଫେରୁଛନ୍ତି ଟେନିସ୍‍ ଦୁନିଆକୁ । ନିଜ ସମ୍ମାନ ବିଶ୍ୱ ଟେନିସ୍‍ ଦୁନିଆରେ ପୁଣି ଥରେ ଉଚ୍ଚା ରଖିବାର ଦୃଢତା ରହିଛି ତାଙ୍କ ମନରେ । ସାନିଆ ଫେରୁଥିଲା ବେଳେ ୨୦୨୦ରେ ବିଦାୟ ନେବାକୁ ଯାଉଛନ୍ତି ଲିଆଣ୍ଡର ପେସ୍‍ । ସେ କହିସାରିଛନ୍ତି ଟୋକିଓ ଅଲିମ୍ପିକ୍‍ ପରେ ତାଙ୍କର ଲମ୍ବା ପେସାଦାର କ୍ୟାରିୟରରୁ ସେ ନେଇଯିବେ ଅବସର । ମୋଟାମୋଟି ଭାବରେ ପ୍ରଥମ ଦିନରେ ଭାରତୀୟ କ୍ରୀଡ଼ାକୁ ଦେଖିଲା ବେଳେ ମନ ଆଶାରେ ଭରିଯାଇଛି ।

ପ୍ରମୋଦଙ୍କଠୁ ସ୍ୱର୍ଣ୍ଣ ଆଶା:

ନୂଆବର୍ଷର ପହିଲି ସକାଳରେ ଆଗାମୀ ୧୨ମାସର କଥା ଚିନ୍ତା କଲାବେଳେ ଓଡ଼ିଶା କ୍ରୀଡ଼ା ପାଇଁ ଅନେକ ପ୍ଳସ୍‍ ପଏଣ୍ଟ ମନକୁ ଆସୁଛି । ଅଲିମ୍ପିକ୍‍ ବର୍ଷରେ ଓଡ଼ିଆ ଖେଳାଳିମାନଙ୍କ ଚମକ କେତେ ଦୂର ଦେଖିବାକୁ ମିଳିବ ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହୋଇଛି । ଏ ପର୍ଯ୍ୟନ୍ତ ୧୦୦ କିମ୍ବା ୨୦୦ ମିଟରରେ ଆମ ଗୌରବ ଦୂତୀ ଚାନ୍ଦ ଅଲିମ୍ପିକ୍‍ ଟାଇମିଂ ଛୁଇଁ ନାହାନ୍ତି । ତେବେ ହାତରେ କିଛି ମାସର ସମୟ ଦୂତୀଙ୍କ ପାଖରେ ରହିଛି ଆଉ ସେ ମଧ୍ୟ କଡ଼ା ମେହନତ କରୁଛନ୍ତି ଟାଇମିଂ ଛୁଇଁବା ସକାଶେ । ତେବେ ବର୍ତ୍ତମାନର ଫର୍ମ ସେ ଆଉ କିଛି ମାସ ବଜାୟ ରଖିଲେ ବିଶ୍ୱ ର‌୍ୟାଙ୍କିଙ୍ଗ ଆଧାରରେ ତାଙ୍କୁ ମିଳିପାରେ ଟୋକିଓରେ ସୁଯୋଗ । ଆଥଲେଟିକ୍ସର କଥା କହିଲେ ଅମୀୟ ଏବଂ ଶ୍ରାବଣୀଙ୍କ ଲାଗି ମଧ୍ୟ ଅନେକ ସମ୍ଭାବନା ରହିଛି । କିନ୍ତୁ ନିଶ୍ଚିତତାର କଥା କହିଲେ ଅତି କମ୍‍ରେ ୫ ଜଣ ଓଡ଼ିଆ ଟୋକିଓରେ ଖେଳିବେ ବୋଲି ଆଜିଠୁ କହିହେବ । ସେ ଖେଳଟି ହେଉଛି ହକି । ଯେହେତୁ ଆମର ପୁରୁଷ ଓ ମହିଳା ଦଳ ଯୋଗ୍ୟତା ଟିକେଟ ହାସଲ କରି ନେଇଛନ୍ତି ତେଣୁ ମହିଳା ଦଳରେ ଅତି କମ୍‍ରେ ୩ ଏବଂ ପୁରୁଷ ଦଳରେ ଜଣେ କିମ୍ବା ୨ ଜଣ ଓଡ଼ିଆ ଖେଳାଳି ଟୋକିଓ ଯିବା ନିଶ୍ଚିତ । ଦୀପଗ୍ରେସ୍‍ ଏକ୍କା, ଲିଳିମା ମିଞ୍ଜ, ନମିତା ଟୋପ୍ପୋ, ଅମିତ ରୋହିଦାସ ଏବଂ ବିରେନ୍ଦ୍ର ଲାକ୍ରାଙ୍କ ସମ୍ଭାବନା ଅଧିକ ଉଜ୍ଜ୍ୱଳ । ସୁନୀତା ଯଦି ପୂର୍ଣ୍ଣ ମାତ୍ରାରେ ଫିଟ୍‍ ହୋଇପାରନ୍ତି ତାହେଲେ ସେ ମଧ୍ୟ ଯାଇପାରନ୍ତି ଟୋକିଓ । ତେବେ ଅଲିମ୍ପିକ୍‍ ବର୍ଷରେ କ୍ରୀଡ଼ା ମହାକୁମ୍ଭରୁ ପଦକ ଆସିବାର ସମ୍ଭାବନା ପ୍ରମୋଦଙ୍କ ମାଧ୍ୟମରେ ବନିବାକୁ ଯାଉଛି । ପାରା ଅଲିମ୍ପିକ୍‍ ଯାହା ଟୋକିଓରେ ହେବ ସେଥିରେ ପ୍ରମୋଦ ଭଗତ ସିଙ୍ଗଲ୍ସ ଓ ଡବଲ୍ସରେ ଜିତି ପାରନ୍ତି ମେଡ଼ାଲ । ସ୍ୱର୍ଣ୍ଣର ସମ୍ଭାବନା ମଧ୍ୟ ତାଙ୍କ ପାଇଁ ଖୁବ୍‍ ରହିଛି । ୨୦୨୦ରେ ଆମ ରଗ୍‍ବୀ , ଚେସ୍‍ ଖେଳାଳିମାନେ ମଧ୍ୟ ବିଶେଷ ଭାବରେ ଚମକିବେ । ତେବେ ସବୁଠାରୁ ଅଧିକ ଆଶା ବହୁବର୍ଷ ପରେ କ୍ରିକେଟ ଦଳ ଉପରେ ରହିଛି । ୭ ପଏଣ୍ଟ ଲେଖାଏଁ ଲଗାତାର ୩ ମ୍ୟାଚରୁ ବାହାର କରି ଗତବର୍ଷ ସରିଲା ବେଳକୁ ଓଡ଼ିଶା ରଣଜୀ ଦଳ ଟପ୍‍ ଫର୍ମରେ ରହିଛି । ନକ୍‍ଆଉଟକୁ ଯିବାର ସମ୍ଭାବନା ଦୃଢ଼ ହୋଇଯାଇଥିଲା ବେଳେ ନୂଆ କିଛି ଚମକ ୨୦୨୦ରେ ଶୁଭ୍ରାଂଶୁଙ୍କ ଦଳ ଦେଖାଇ ଦେଇପାରେ ।ଖେଳାଳିଙ୍କ ପ୍ରଦର୍ଶନ ସାଙ୍ଗକୁ ପ୍ରମୁଖ ଖେଳର ଆୟୋଜନ ଧାରା ମଧ୍ୟ ଏବର୍ଷ ଜାରି ରହିବାକୁ ଯାଉଛି । ପ୍ରୋ ହକି ଲିଗର ସମସ୍ତ ଘରୋଇ ମ୍ୟାଚ୍‍ କଳିଙ୍ଗରେ ଖେଳିବ ଭାରତ । ତା ସହ ଇଣ୍ଡିଆନ୍‍ ସୁପର ଲିଗ୍‍ର ମ୍ୟାଚ୍‍ ଗୁଡ଼ିକ ମଧ୍ୟ କଳିଙ୍ଗରେ ହେବ । ୧୭ ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍ ସେହି କଳିଙ୍ଗରେ ହେବାର ବଡ଼ ଆଶା ରହିଛି । ବଡ଼ ବଡ଼ ଆୟୋଜନ ସାଙ୍ଗକୁ କଳିଙ୍ଗ ଷ୍ଟାଡ଼ିୟମ ଭିତରେ କାମ କରିବା ଆରମ୍ଭ କରିଥିବା ଏକାଧିକ ପାରଦର୍ଶିତା କେନ୍ଦ୍ର ଓଡ଼ିଶା କ୍ରୀଡ଼ାକୁ ସଫଳତାର ବାଟରେ ନେଇଯିବ ପାଦ ଥାପିଥିବା ଏହି ବର୍ଷରେ ।

Leave A Reply

Your email address will not be published.