Latest Odisha News

BREAKING NEWS

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ ଫେରିବା ଲାଗି ବିସିସିଆଇକୁ ଚିଠି ଲେଖିଥିଲେ । ହେଲେ ବିିସିସିଆଇ ଯୁବରାଜଙ୍କୁ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି ।

ଆଗାମୀ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପ୍ରତିଯୋଗୀତାରେ ପଂଜାବ ତରଫରୁ ଖେଳିବାକୁ ଯୁବରାଜ ସିଂ ଆବେଦନ କରିଥିଲେ । ହେଲେ ବିସିସିଆଇ ଅନୁମତି ଦେବାକୁ ସିଧାସଳଖ ମନା କରିଦେଇଛି । ନିୟମ ଅନୁଯାୟୀ ଜଣେ ଭାରତୀୟ କ୍ରିକେଟ ଖେଳାଳି ଯଦି ବିଦେଶୀ ଲିଗରେ ସାମିଲ ହୁଅନ୍ତି, ତେବେ ସେ ଆଇପିଏଲ କିମ୍ବା ଘରୋଇ କ୍ରିକେଟ ଖେଳିବାରୁ ବଂଚିତ ରହିବେ । ଏହି ନିୟମ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଶେଷଥର ପାଇଁ ଖେଳିଥିବା ପ୍ରବୀଣ ତାମ୍ବେଙ୍କ ପାଇଁ ମଧ୍ୟ ଲାଗୁ ହୋଇଥିଲା । ଆଇପିଏଲ ଛଡା ସେ ବିଦେଶରେ ଏକ ଟି୧୦ କ୍ରିକେଟ୍ ଲିଗ୍‌ରେ ସାମିଲ ହୋଇଥିଲେ ।

ଅନେକ ଆଶା କରିଥିଲେ ବୋଧ ହୁଏ ବିସିସିଆଇ ଯୁବରାଜ ସିଂଙ୍କୁ ଗ୍ରୀନ୍ ସିଗନାଲ୍ ଦେବ । ହେଲେ ବିସିସିଆଇ ନିୟମକୁ ଅଧିକ ପ୍ରାଧାନ୍ୟ ଦେଇଛି । ପୂର୍ବରୁ ଅମ୍ବାତି ରାୟଡୁ କ୍ରିକେଟରୁ ସନ୍ୟାସ ନେଇଥିଲେ ବି ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ସେ କୌଣସି ବିଦେଶୀ କ୍ରିକେଟ୍ ଲିଗ୍ ଖେଳିନଥିବାରୁ ତାଙ୍କୁ ଅନୁମତି ମିଳିଥିଲା ।

ଅନ୍ୟପଟେ ଯୁବରାଜ କିନ୍ତୁ କାନାଡାରେ ଗ୍ଲୋବାଲ୍ ଟି୨୦ ସହ ଏକ ଟି୧୦ ଲିଗ୍ ମଧ୍ୟ ଖେଳିଥିଲେ । ଖାସ ଏହି କାରଣ ପାଇଁ ଯୁବରାଜ ଆଉ ଘରୋଇ କ୍ରିକେଟ ଖେଳିବାକୁ ଅନୁମତି ପାଇବେନି । ତେବେ କ୍ରିକେଟପ୍ରେମୀ ତାଙ୍କୁ ବିଦେଶୀ ଲିଗରେ ଖେଳିବାରେ ଦେଖିପାରିବେ ।

Leave A Reply

Your email address will not be published.