Latest Odisha News

ଆସ ବୁଲିଯିବା ଓଡିଶା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଡୋକରୀ ଚଞ୍ଚରା

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

କଳାହାଣ୍ଡି: ଆଉ ଦିନ କେଇଟା ପରେ ନୂଆବର୍ଷ । ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ କୋଳରେ ଦିନଟିଏ ଅତିବାହିତ କରିବା ପାଇଁ ସୁଯୋଗ ଥିବ।

ଚାରିଆଡେ ବଣ ପାହାଡ ଘେରା ପରିବେଶ । ଏହା ମଝିରେ ରହିଛି ପ୍ରାକୃତିକ ଝରଣା । ଝରଝର ହୋଇ ପାହାଡ ଉପରୁ ଝରି ଆସୁଛି ପାଣିର ସୁଅ । ଘଞ୍ଚ ଜଙ୍ଗଲ ଭିତରେ ଏହି ଝରଣାର ଦୃଶ୍ୟ କୌଣସି ଲୋକକୁ ବି ଆନମାନା କରିଦେବ । ଶୀତ ଦିନ ଆସିଲେ ଜମିଯାଏ ଏଠାରେ ପର୍ଯ୍ୟଟକଙ୍କ ଭିଡ । ପ୍ରକୃତି ରାଣୀର ଏକ ମନୋରମ ଓ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରୀ ଚଞ୍ଚରା । ଯେଉଁଠି ପ୍ରକୃତି ରାଣୀ ତାର ପସରାରେ ସଜାଇ ରଖିଛି ନିଆରା ଅନୁଭୂତି । କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। କିଏ ଭଗବାନଙ୍କ ଦର୍ଶନରେ ବ୍ୟସ୍ତ ତ ଅନ୍ୟ କିଏ ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/tampara-lake-attracts-more-tourists-in-ganjam/

ଚାରିଆଡେ ପାହାଡ ଓ ଜଙ୍ଗଲ ମଝିରେ ପଥରର ଏକ ବିସ୍ତୀର୍ଣ୍ଣ ଚଟାଣ । ଯେଉଁ ଚଟାଣ ଉପରେ ଝରଣା କୁଳୁକୁଳୁ ନାଦ କରି ବହିଯାଏ । ଚଟାଣର ଦୁଇ କଡରେ ଥିବା ଦୁଇ ସୁଉଚ୍ଚ ଜଳ ପ୍ରପାତ ହେଲା ଡୋକରୀ ଦର ଓ ଭଁଏରା ଘୁମର । ପାହାଡ ଦେଶରୁ ଝରି ପଡୁଥିବା ପାଣି ଦିନରେ ମଧ୍ୟ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରେ । ପୁଣି ସୁଉଚ୍ଚରୁ ଝରି ପଡୁଥିବା ଦୁଇ ଜଳ ପ୍ରପାତର ପାଣିରେ ଗାଧେଇବାର ମଜା ଅତ୍ୟନ୍ତ ନିଆରା । ଏଠାକାର ମନୋରମ ପରିବେଶ ପର୍ଯ୍ୟଟକଙ୍କ ଖୁସିକୁ ଦ୍ୱିଗୁଣିତ କରିଦିଏ । ଏହାବ୍ୟତୀତ ପ୍ରାଗ୍‌ ଐତିହାସିକ ଗୁମ୍ଫା ଗୁଡହାଣ୍ଡି ଏକ ଐତିହାସିକ କିମ୍ବଦନ୍ତୀ । ପ୍ରାଗ୍‌ ଐତିହାସିକ ଯୁଗର କିଛି ଶିଳାଲିପି ଏଠାରେ ଦେଖିବାକୁ ମିଳେ ।

ଏହାବ୍ୟତୀତ ଏଠାରେ ରହିଛି ଏକ ଭବ୍ୟ ରାମମନ୍ଦିର, ପୂଣ୍ୟକୁଣ୍ଡ, ସୀତାପାଦ, ରୁଷି ଗୁମ୍ଫା, ବଟ ବୃକ୍ଷ, ବିଭୂତି କୁଣ୍ଡ ଭଳି ପୌରାଣିକ କଥା ବହନ କରୁଥିବା ଅନେକ କିମ୍ବଦନ୍ତୀ । ଜନଶ୍ରୁତିରୁ ଜଣାପଡେ, ପ୍ରଭୁ ଶ୍ରୀରାମ ବନବାସ ସମୟରେ କିଛି ସମୟ ଏଠାରେ ଅତିବାହିତ କରିଥିଲେ । ଶ୍ରୀରାମ ନବମୀ ସମୟରେ ଏଠାରେ ସାତ ଦିନ ଧରି ଶ୍ରୀରାମଙ୍କ କଥାମୃତ ସହିତ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଜଳ ପ୍ରପାତ, ଝରଣା , ପାହାଡ, ଦୀର୍ଘ ଚଟାଣ ଦର୍ଶକଙ୍କୁ ଏଠାରେ ବାନ୍ଧି ରଖେ । ଖାଲି ସେତିକି ନୁହଁ ବନ୍ଧୁ ପ୍ରିୟଜନକଙ୍କ ସହ ଖୋଲା ଆକାଶ ତଳେ ବଣଭୋଜିର ମଜା ହାତଛଡା କରିବାକୁ କେହି ବି ଚାହୁଁନାହାଁନ୍ତି । ଜଳପ୍ରପାତ ବୁଲି ଦେଖିବା ସହ ଝରଣା ଜଳରେ ଗାଧୋଇବାର ମଜା ବି ପର୍ଯ୍ୟଟକ ନେଉଛନ୍ତ । ତେବେ କୋକସରା ବ୍ଲକ ସଦର ମହକୁମା ଠାରୁ ୨୨ କି.ମି ରାସ୍ତା ଅତିକ୍ରମ କଲାପରେ ଆଖି ଆଗରେ ଝଲସି ଉଠେ ଏହି ଗୁଡହାଣ୍ଡି ଡୋକରୀ ଚଞ୍ଚରାର ଦୁଇ ଜଳପ୍ରପାତ ।

Leave A Reply

Your email address will not be published.