ନୂଆଦିଲ୍ଲୀ: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆମେରିକା ପୁଣିଥରେ ସାମରିକ ଆକ୍ରମଣ କରିବାର ସମ୍ଭାବନାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଡ଼ାଇ ଦେଇନାହାନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ଏହି ସଂଘର୍ଷ ଖୁବ୍ ଶୀଘ୍ର ଶେଷ ହେବ ଏବଂ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇବ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଫକ୍ସ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ, କିନ୍ତୁ ଏବେ ସେ ବିଷୟରେ ଅଧିକ କିଛି ଖୋଲାଖୋଲି ଭାବେ କହିବାକୁ ଚାହୁଁନାହାନ୍ତି । ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ‘ଅପରେସନ ଇକୋନୋମିକ ଆଉଟକାଷ୍ଟ’ (ଅର୍ଥନୈତିକ କଟକଣା) ଜରିଆରେ ତେହେରାନକୁ ଏକଘରକିଆ କରିବାରେ ଆମେରିକା ବେଶ୍ ସଫଳ ହୋଇଛି ବୋଲି ସେ ଦାବି କରିଛନ୍ତି ।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ଆମେରିକାର କଟକଣା ଫଳରେ ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ସାମରିକ ଶକ୍ତି ବର୍ତ୍ତମାନ ଦୁର୍ବଳ ହୋଇପଡ଼ିଛି । ଯୁଦ୍ଧ ଶେଷ ହେଲେ ହରମୁଜ୍ ପ୍ରଣାଳୀ ଦେଇ ତୈଳ ଯୋଗାଣ ସ୍ୱାଭାବିକ ହେବ ଏବଂ ତୈଳ ଦର ପୂର୍ବ ସ୍ଥିତିକୁ ଫେରିଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନ ଯେପରି ପରମାଣୁ ଅସ୍ତ୍ର ହାସଲ ନକରେ, ସେଥିପ୍ରତି ଆମେରିକା କଠୋର ଦୃଷ୍ଟି ରଖିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ନିକଟରେ ଇରାନ ପକ୍ଷରୁ କରାଯାଇଥିବା ଚୁକ୍ତି ପ୍ରସ୍ତାବକୁ ଟ୍ରମ୍ପ ଖାରଜ କରିଦେଇଛନ୍ତି । ସେ କହିଛନ୍ତି ଯେ ଇରାନ ଏବେ ଯେଉଁ ସର୍ତ୍ତ ରଖୁଛି, ତାହା ଆମେରିକାର ଦାବି ପୂରଣ କରୁନାହିଁ । ଦୁଇ ଦେଶ ମଧ୍ୟରେ ତିକ୍ତତା ସତ୍ତ୍ୱେ ହରମୁଜ୍ ପ୍ରଣାଳୀ ଦେଇ ରାତିଆଡ଼ିକି ରେକର୍ଡ ପରିମାଣର ତୈଳ ପରିବହନ ହୋଇଥିବା ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ହରମୁଜ୍ ପ୍ରଣାଳୀ ହେଉଛି ବିଶ୍ୱ ତୈଳ ଏବଂ ଗ୍ୟାସ୍ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯେଉଁଠାରେ ଅଶାନ୍ତି ସୃଷ୍ଟି ହେଲେ ଏସିଆ ସମେତ ବିଶ୍ୱବଜାରରେ ଇନ୍ଧନ ଦର ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ ।
ଆମେରିକାର ଏହି ଆଭିମୁଖ୍ୟ ଉପରେ ଇରାନ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି । ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ତାଙ୍କ ଦେଶ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ । ଆନ୍ତର୍ଜାତିକ ନିୟମ ଅନୁଯାୟୀ ନିଜ ପରମାଣୁ କାର୍ଯ୍ୟକ୍ରମର ସୀମା ନିର୍ଦ୍ଧାରଣ ପାଇଁ ମଧ୍ୟ ଇରାନ ରାଜି ଅଛି । ତେବେ ଆମେରିକା ଇରାନରେ ସରକାର ପରିବର୍ତ୍ତନ କରିବାକୁ ଉଦ୍ୟମ ନକରୁ ବୋଲି ସେ ସର୍ତ୍ତ ରଖିଛନ୍ତି । ପେଜେସ୍କିଆନ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଆକ୍ରମଣ କରେ, ତେବେ ଇରାନ ନିଜର ଆତ୍ମରକ୍ଷା ପାଇଁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି । ସେହିପରି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇରାନ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ଯେକୌଣସି ପରିସ୍ଥିତିରେ ଯୁଦ୍ଧର ସାମ୍ନା କରିବାକୁ ପଛାଇବ ନାହିଁ ।

