Latest Odisha News

BREAKING NEWS

ଇରାନୀ ଧର୍ମଗୁରୁଙ୍କ ବଡ଼ ଦାବି: ଧ୍ୱଂସାବଶେଷରୁ ଉଦ୍ଧାର ହେଲେ ମୋଜତବା ଖାମେନେଇ

ତେହେରାନ: ଇରାନ-ଆମେରିକା ଯୁଦ୍ଧ ଚାଲିଥିବା ସମୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେହେରାନର ଏକ ହସପିଟାଲ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ମୋଜତବା ଖାମେନେଇଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇଥିଲା ବୋଲି ଜଣେ ବରିଷ୍ଠ ଇରାନୀ ଧର୍ମଗୁରୁ ତଥା ଆସେମ୍ବଲି ଅଫ୍ ଏକ୍ସପର୍ଟସର ସଦସ୍ୟ ମୋହସେନ୍ ହେଦାରୀ ସାର୍ବଜନୀନ ଭାବେ ଦାବି କରିଛନ୍ତି। କୁୱେତୀ ଟେଲିଭିଜନ ନେଟୱାର୍କ ‘ଅଲ୍ ଆରବୀ’କୁ ଦେଇଥିବା ଏକ ସାକ୍ଷାତକାରରେ ହେଦାରୀ କହିଛନ୍ତି ଯେ, ପୂର୍ବରୁ ହୋଇଥିବା ଆକ୍ରମଣରେ ଆହାତ ହେବା ପରେ ୫୬ ବର୍ଷୀୟ ମୋଜତବାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶତ୍ରୁପକ୍ଷ ସେହି ସମୟରେ ତେହେରାନର ତିନୋଟି ପ୍ରମୁଖ ହସପିଟାଲକୁ ଟାର୍ଗେଟ କରି ବୋମାବର୍ଷା କରିଥିଲେ। ମୋଜତବା ତୃତୀୟ ହସପିଟାଲରେ ଉପସ୍ଥିତ ଥିଲେ ଏବଂ ଆକ୍ରମଣ ଯୋଗୁଁ ସମ୍ପୂର୍ଣ୍ଣ ବିଲ୍ଡିଂ ଭାଙ୍ଗିଯିବାରୁ ସେ ଭଙ୍ଗା ଅବଶେଷ ତଳେ ଚାପି ହୋଇଯାଇଥିଲେ, ପରେ ଉଦ୍ଧାରକାରୀ ଦଳ ତାଙ୍କୁ ସେଠାରୁ ଜୀବନ୍ତ ଉଦ୍ଧାର କରି ଏକ ଅଜ୍ଞାତ ଏବଂ ସୁରକ୍ଷିତ ସ୍ଥାନକୁ ନେଇଥିଲେ।

ଏହି ଘଟଣା ପରଠାରୁ ମୋଜତବା ଖାମେନେଇ ସାର୍ବଜନୀନ ଭାବେ କୌଣସି ସ୍ଥାନରେ ନଜରକୁ ଆସିନାହାନ୍ତି। ଆମେରିକା ଗୁପ୍ତଚର ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ସେ ଅତ୍ୟନ୍ତ ଗୁରୁତର ଆହାତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦାବି କରିଥିଲେ ଯେ ମୋଜତବା ଜୀବିତ ଥିଲେ ବି ତାଙ୍କ ଶରୀରର ବାମ ପାର୍ଶ୍ୱ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ, ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ମୋଜତବା ଆରୋଗ୍ୟ ଲାଭ କରିସାରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

Leave A Reply

Your email address will not be published.