Latest Odisha News

BREAKING NEWS

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ ପ୍ରତ୍ୟେକ ଦିନ ଉଦବୁଦ୍ଧ କରିଥାଏ । ଖାଲି ସେତିକି ନୁହେଁ ଭାରତର ସଂସ୍କୃତି ଓ ପରମ୍ପରା ସହିତ ଭାରତୀୟ ଯୋଗ ଓ ଧ୍ୟାନ ପଦ୍ଧତି ଆଜି ସମଗ୍ର ବିଶ୍ୱରେ ଜନାଦୃତ ହୋଇପାରିଛି । ଯୁକ୍ତରାଷ୍ଟ୍ର ଆମେରିକାର ହାଭାର୍ଡ଼ ବିଶ୍ୱବିଦ୍ୟାଳୟ ତାଙ୍କର ପାଠ୍ୟକ୍ରମରେ ଯୋଗ ଓ ଧ୍ୟାନ ପଦ୍ଧତିକୁ ସ୍ଥାନ ଦେଇଛନ୍ତି । ଜର୍ମାନୀ ଓ ଇଂଲଣ୍ଡ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଯୋଗ ଓ ଧ୍ୟାନର ଉପକାରିତାକୁ ଗୁରୁତ୍ୱ ପ୍ରଦାନ କରାଯାଇ ଏହାର ପ୍ରସାର ଦାୟିତ୍ୱକୁ ହାତକୁ ନିଆଯାଇଛି ।

ଯୋଗ ଏବଂ ଧ୍ୟାନ ମାଧ୍ୟମରେ ଅନେକ ରୋଗ ଉପଶମ ହେବା ସହିତ ସୁସ୍ଥ ଜୀବନ ଯାପନ ଶୈଳୀରେ ବଞ୍ଚିବା ଲାଗି ଏହାର ଦୈନିକ ଅଭ୍ୟାସକୁ ଗୁରୁତ୍ୱ ଦେଉଛନ୍ତି ଏବେ ବିଶ୍ୱବାସୀ । ଧ୍ୟାନର ଅନେକ ଉପକାରିତାକୁ ହୃଦୟଙ୍ଗମ କରିପାରି ବିଭିନ୍ନ ରାଷ୍ଟ୍ରରେ ଏହାକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି ।
ନିତିଦିନ ମଣିଷ ସମୟ ସହିତ ତାଳ ଦେଇ ଜୀବନ ସହ ସଂଘର୍ଷ କରୁଥାଏ । ନିଜର ପେଶା ଓ ବୃତିକୁ ନେଇ ଅହରହ ପରିଶ୍ରମ କରୁଥାଏ । ପ୍ରତ୍ୟେକ ମଣିଷର ସଫଳତା ଓ ବିଫଳତା ତା’ର ପରିଶ୍ରମ ଓ ଚିନ୍ତାଧାରା ଉପରେ ନିର୍ଭର କରିଥାଏ । ମନୁଷ୍ୟ ତା’ର ଚିନ୍ତାଧାରା ଓ ମନର ନିୟନ୍ତ୍ରଣରେ କେବଳ ଯେ ସଫଳତାର ଶୀର୍ଷରେ ପହଁଚିଥାଏ ତାହାନୁହେଁ, ଅସାଧ୍ୟକୁ ମଧ୍ୟ ସାଧ୍ୟ କରିବାର ଦେଖାଯାଇଛି ।

ଦୈନନ୍ଦିନ ଜୀବନଚର୍ଯ୍ୟା ତଥା କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଭାରକୁ ସହଜରେ ସମାପନ କରିବାକୁ ସକ୍ଷମ ହୋଇଥାଏ । ଭାରତୀୟ ସଂସ୍କୃତି ତଥା ଦର୍ଶନରେ ଆତ୍ମା-ପରମାତ୍ମା ତଥା ଭଗବତ୍ ତତ୍ୱରେ ପୂର୍ଣ୍ଣ ବିଶ୍ୱାସ କରାଯାଏ । ବେଦ ପୁରାଣ ତଥା ଶାସ୍ତ୍ରାନୁସାରେ ମନ ନିୟନ୍ତ୍ରଣ ହିଁ ମନୁଷ୍ୟର ସାମଗ୍ରିକ ବିକାଶ ତଥା ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୁଏ । ମନକୁ ନିଜ ଆୟତକୁ ଆଣିବାକୁ ହେଲେ ଧ୍ୟାନ ହିଁ ମୁଖ୍ୟ ମାଧ୍ୟମ । ପ୍ରତ୍ୟେକ ଦିନ ମଣିଷ ଯେ କୌଣସି କାର୍ଯ୍ୟରେ ଲିପ୍ତ ରହିଲେ ମଧ୍ୟ ତା’ର ମନ ଦ୍ରୁତଗତିରେ ତା’ର କାର୍ଯ୍ୟ କରେ । ମନର ବେଗ ବଢ଼ିଲେ ଚିନ୍ତାଶକ୍ତିର ଅଯଥା ଶକ୍ତି ଅପଚୟ ଘଟିଥାଏ । ଫଳସ୍ୱରୂପ ସକାରାତ୍ମକ ଚିନ୍ତାଶକ୍ତିର ଅଭାବରେ ମନରେ ନାନା ପ୍ରକାରର ନକାରାତ୍ମକ ଚିନ୍ତା ପ୍ରଭାବ ବିସ୍ତାର କରି ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବେ ଦୂର୍ବଳ କରିଦିଏ ।

ମନ ସବୁବେଳେ ଅଶାନ୍ତ ଭାବେ କ୍ରିୟାଶୀଳ ଥିବା ହେତୁ ବିଶ୍ରାମ ପାଏନାହିଁ । ଧ୍ୟାନ ଦ୍ୱାରା ହିଁ ମନର ବିଶ୍ରାମ ଘଟି ଅଦ୍ଭୁତ ଭାବେ ଶକ୍ତି ସଂରକ୍ଷଣ ହୋଇପାରେ । ଫଳରେ ଅଶାନ୍ତ ମନକୁ ଯଥେଷ୍ଟ ପ୍ରାଣଶକ୍ତି ମିଳିପାରେ । ସାଧାରଣତଃ ଯେଉଁମାନେ ସର୍ବଦା ଧ୍ୟାନ କରିଥାନ୍ତି ସେମାନେ ନକାରାତ୍ମକ ଚିନ୍ତାରୁ ନିଜକୁ ଯଥେଷ୍ଟ ଦୂରରେ ରହିଥାନ୍ତି । ନକାରାତ୍ମକ ଚିନ୍ତା ମନର ଶକ୍ତିକୁ ଦୂର୍ବଳ କରିଦିଏ ତଥା ମାନସିକ ଭାବେ ବ୍ୟକ୍ତିକୁ ଦୂର୍ବଳ କରିଦେଇଥାଏ । ଆମର ଚତୁଃପାଶ୍ୱର୍ରେ ଭରପୁର ପ୍ରାଣଶକ୍ତି ବିଛୁରିତ ହୋଇ ରହିଛି । ସକାଳ ଓ ସଂଧ୍ୟା ସମୟରେ ଧ୍ୟାନ ଦ୍ୱାରା ହିଁ ଏହି ପ୍ରାଣଶକ୍ତିକୁ ଆମେ ଆହରଣ କରିପାରିବା । ପ୍ରତ୍ୟେକ ବ୍ୟକ୍ତି କର୍ମକ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିଲେ ମଧ୍ୟ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାରୁ ନିବୃତ ରହିବା କଥା ନୁହେଁ । ଭାରତୀୟ ଯୋଗ ଦର୍ଶନରେ ବିଭିନ୍ନ ମାଧ୍ୟମରେ ଧ୍ୟାନ କରାଯାଇଥାଏ ।

ଅନେକ ବ୍ୟକ୍ତି ନାମଧ୍ୟାନ କରିବା ଦ୍ୱାରା ମନରେ ମଧ୍ୟ ଅମାପ ଶକ୍ତି ଆହରଣ କରିଥାନ୍ତି । ଭାରତୀୟ ଧର୍ମ ପରମ୍ପରାରେ ଯୋଗ ସାଧନାକୁ ଅଗ୍ରାଧିକାର ଦିଆଯାଇଛି । କର୍ମବ୍ୟସ୍ତ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିବା ଉଚିତ ଯେ, ନିରାକାର ଭଗବାନହିଁ ସକଳ ଶକ୍ତି ଓ ଆଲୋକର ଉତ୍ସ । କେବଳ ଧ୍ୟାନ ଦ୍ୱାରା ସେହି ଅମାପ ଶକ୍ତିକୁ ଆମେମାନେ ଆହରଣ କରି ଶାରୀରିକ ଓ ମାନସିକ ରୂପେ ଶକ୍ତିଶାଳୀ ହୋଇପାରିବା । ତେଣୁ ପ୍ରତ୍ୟେକ ବ୍ୟକ୍ତି ମନ ନିୟନ୍ତ୍ରଣ କରି ଧ୍ୟାନର ଚମତ୍କାରୀତା ଉପଲବ୍ଧି କରିବା ଆବଶ୍ୟକ ।

Leave A Reply

Your email address will not be published.