Latest Odisha News

BREAKING NEWS

ଆଖି ବୁଜିଲା ଶିମିଳିପାଳର ଅନ୍ୟ ଏକ କୁମ୍‌କୀ ହାତୀ ‘ଭବାନୀ’

ବାରିପଦା: ଶିମିଳିପାଳରେ କୁମ୍‌କୀ ହାତୀ ‘ଭବାନୀ’ର ମୃତ୍ୟୁ । ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ ‘ଭାବନୀ’ର ମୃତ୍ୟୁ । ତେବେ ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ ଜାନୁଆରୀ ୧୨ ତାରିଖରେ ଶିମିଳିପାଳରେ ଅନ୍ୟ ଏକ କୁମକୀ ହାତୀ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । କିଛି ଦିନ ହେବ ଭବାନୀ ଅସୁସ୍ଥ ଥିବା ବେଳେ ତା’ର ଚିକିତ୍ସା ଚାଲିଥିଲା । କିନ୍ତୁ ଚିକିତ୍ସିତ ଅଭାବରେ ଶେଷରେ ଆଖି ବୁଜିଛି ଭବାନୀ ।

ସୂଚନା ଅନୁସାରେ, ଗତ ୨୦୦୧ ମସିହାରେ କର୍ଣ୍ଣାଟକରୁ ଶିମିଳିପାଳକୁ ଆସିଥିଲା ଭବାନୀ । ଭବାନୀକୁ ଆଣିବା ପାଇଁ କର୍ଣ୍ଣାଟକ ସରକାରଙ୍କ ବିରୋଧରେ କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ ଓଡିଶା ସରକାର । ଶେଷରେ ଶିମିଳିପାଳ ଆସିଥିଲା ଭବାନୀ । କୁହାଯାଉଥିଲା ଭବାନୀ ଶିଲିଡ଼ିପାଳର ରକ୍ଷକ ଥିଲା । ଶିକାରୀଙ୍କ ପ୍ରାଦୁର୍ଭାବରୁ ଶିମିଳିପାଳକୁ ରକ୍ଷା କରୁଥିଲା ଭବାନୀ । କେବଳ ଶିକାରୀ ମାନଙ୍କ କବଳରୁ ନୁହେଁ ପଡୋଶୀ ଜଙ୍ଗଲରୁ ଆସୁଥିବା ଜଙ୍ଗଲୀ ହାତୀ ମାନଙ୍କୁ ମଧ୍ୟ ଘଉଡାଉଥିଲା ଭବାନୀ । ଏପରିକି ବାଘ ଟ୍ରାକିଂ ତଥା ଜଙ୍ଗଲ ମଧ୍ୟକୁ ଯିବାକୁ ହେଲେ ଖୋଜା ପଡୁଥିଲା ସମସ୍ତଙ୍କ ପ୍ରିୟ ଭବାନୀ ।

ତେବେ ଶୁଣିବାକୁ ମିଳୁଥିଲା ଯେ, ଶିମିଳିପାଳର ନାୟିକା ଭବାନୀ କୁଆଡେ କୁମକୀ ହାତୀ ମହେନ୍ଦ୍ରର ପ୍ରେମରେ ପଡିଥିଲା । ଭବାନୀ ପାଇଁ ମହେନ୍ଦ୍ର ଥିଲା ତା’ର ମନର ନାୟକ । ମହେନ୍ଦ୍ର ଯୁଆଡେ ଯାଏ ସାଙ୍ଗରେ ଭବାନୀ ମଧ୍ୟ ଯାଏ । କେବଳ ଭବାନୀ ନୁହେଁ ମହେନ୍ଦ୍ରର ଆଉ ଜଣେ ମଧ୍ୟ ନାୟିକା ଥିଲା । କୁମକୀ ହାତୀ ଶୋଭା । କିନ୍ତୁ ବୟସାଧିକ କାରଣରୁ ପ୍ରଥମେ ଶୋଭାର ମୃତ୍ୟୁ ହୋଇଥିଲା । ଏହାପରେ ଗତ ଜାନୁଆରୀ ୧୨ ତାରିଖରେ ମହେନ୍ଦ୍ରର ମୃତ୍ୟୁ ହୋଇଥିଲା । ଶେଷରେ ଆଜି ଭବାନୀ ମଧ୍ୟ ଆଖି ବୁଜିଲା । ସତେ ଯେପରି ତିନି ଜଣ କେହି କାହାରିକୁ ଛାଡି ରହିପାରିଲେନି । ଡକା ଡକି ହୋଇ ତିନି ଜଣ ଯାକ ଶିମିଳିପାଳ ପାଇଁ ସ୍ମୃତି ହେଇଗଲେ ।

Comments are closed.