ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦ ଉପରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଅନେକ ବୈଠକ ପରେ ଏବେ ସକରାତ୍ମକ ପ୍ରଭାବ ପଡୁଛି । ବିବାଦୀୟ ସ୍ଥାନରୁ ଉଭୟ ଦେଶର ସୈନବାହିନୀ ହଟିବା ପରେ ଏବେ ଉଭୟ ଦେଶ ଶିବ ଭକ୍ତଙ୍କ ପାଇଁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ମଧ୍ୟ ସ୍ଵାକ୍ଷରିତ ହୋଇଛି। ଗତକାଲି ଭାରତ ଏବଂ ଚୀନ୍ ମିଳିତ ଭାବେ କୈଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଭଲ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁଇ ଦେଶ ୨୦୨୫ ଗ୍ରୀଷ୍ମ ମାସ ଆଡକୁ କୈଳାଶ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଅକ୍ଟୋବରରେ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ସହମତି ଅନୁଯାୟୀ, ଉଭୟ ପକ୍ଷ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ସ୍ଥିର ଏବଂ ସୁଦୃଢ଼ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସମ୍ପର୍କ ପୁନଃସ୍ଥାପିତ କରିବା ପାଇଁ ଦୁଇ ପକ୍ଷ ଲୋକ-କୈନ୍ଦ୍ରିକ ପଦକ୍ଷେପ ନେବାକୁ ସହମତ ହୋଇଛି।
ଆଗାମୀ ଦିନରେ ଭାରତ ଓ ଚୀନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ। ବିମାନ ଚଳାଚଳ ନିମନ୍ତେ ଦୁଇଦେଶ ମଧ୍ୟରେ ଏକ ବୁଝାମଣା ହେବ। ସେହିପରି ୨୦୨୦ ପରଠାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହେବ। ସେପଟେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଉଭୟ ପକ୍ଷ ଏହି ସୁଯୋଗର ଫାଇଦା ଉଠାଇବା, ପରସ୍ପରକୁ ଭେଟିବା, ଅଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏବଂ ପାରସ୍ପରିକ ବୁଝାମଣା, ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ।
୨୦୨୦ରେ କରୋନା ମହାମାରୀକୁ ନେଇ କୈଳାସ ମାନସରୋବର ଯାତ୍ରା ବନ୍ଦ ରହିଥିଲା।ଏହା ପରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ଦୁଇଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଫଳରେ ଏହି ଯାତ୍ରା ଆଉ ଆରମ୍ଭ ହୋଇପାରି ନଥିଲା। ଗଲୱାନ ସଂଘର୍ଷ ପରେ ସୀମାରେ ଏବେ ସ୍ଥିରତା ଆସିଛି । କୈଳାଶ ମାନସରୋବରର ଏକ ବଡ଼ ଅଞ୍ଚଳ ଚୀନ୍ ଅଧୀନରେ ଅଛି । ତେଣୁ ଏଠାକୁ ଯିବାକୁ ଚୀନ୍ ଠାରୁ ଅନୁମତି ନେବା ନିହାତି ଆବଶ୍ୟକ। ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ଶିବ ଏବଂ ତାଙ୍କ ପତ୍ନୀ ପାର୍ବତୀଙ୍କ ସହ କୈଳାଶ ପର୍ବତରେ ରୁହନ୍ତି, ତେଣୁ ଏହି ସ୍ଥାନ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଅଟେ। ୨୦୨୦ ପୂର୍ବରୁ, ପ୍ରତିବର୍ଷ ହଜାର ହଜାର ଲୋକ କୈଳାଶ ମାନସରୋବର ଯାତ୍ରା କରୁଥିଲେ ।
Comments are closed.