Latest Odisha News

BREAKING NEWS

ଆଭାସୀ ତ୍ରିଦିବସୀୟ ରଜ ଆସରରେ କାଳିଦାସ ଓ ଭଞ୍ଜ ସାହିତ୍ୟ ଚର୍ଚ୍ଚା

ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଆନୁକୂଲ୍ୟରେ ରଜ ଅବସରରେ ଅନଲାଇନ ମାଧ୍ୟମରେ ତିନିଦିନ ଧରି ଆଭାସୀ ରଜ ଆସରରେ ରଜ , କାଳିଦାସ ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଚର୍ଚ୍ଚା ଆୟୋଜିତ ହୋଇଯାଇଛି।

ପହିଲି ରଜ ଅବସରରେ ପରିଷଦର ଉପାଧ୍ୟକ୍ଷ ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ “ଆମ ସଂସ୍କୃତିରେ ରଜ” ଶୀର୍ଷକ ଆଲୋଚନା ଚକ୍ରରେ ଫକୀରମୋହନ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଦେବାଶିଷ ପାତ୍ର, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡାର ସମ୍ପାଦକ ରମେଶ ଚନ୍ଦ୍ର ମିଶ୍ର, ବିଶିଷ୍ଟ ଗାଳ୍ପିକା କବିତା ବାରିକ ଓ ଫୁଲମତୀ ହେମ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଆଲୋଚକ ଭାବେ ଯୋଗ ଦେଇ ରଜ ଓଡ଼ିଶାର ଗଣପର୍ବ ଏବଂ ଏହାର ପାଳନରେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ବିକାଶ ହେଉଛି ବୋଲି ଆଲୋଚକମାନେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ପରିଷଦର ସାଧାରଣ ସମ୍ପାଦକସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାଳିଦାସଙ୍କ ସାହିତ୍ୟ “ଆଷାଢ଼ସ୍ୟ ପ୍ରଥମ ଦିବସେ” ବିଷୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ସଂସ୍କୃତ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ରଘୁନାଥ ପଣ୍ଡା, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ବ୍ରଜସୁନ୍ଦର ମିଶ୍ର ଓ ଭାରତୀୟ ସଂସ୍କୃତି ପ୍ରଚାର ସମିତିର ସମ୍ପାଦକ ପଣ୍ଡିତ ନୃସିଂହଚରଣ ପଣ୍ଡା କାଳୀଦାସଙ୍କ ମେଘଦୂତ କାବ୍ୟରେ ଓଡ଼ିଶାର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ।

ଶେଷ ସନ୍ଧ୍ୟାରେ ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ “ବିଚିତ୍ର କବିତ୍ଵ ମାର୍ଗ ପ୍ରସରିଲା ବୁଦ୍ଧି” ଶୀର୍ଷକରେ ବିଶିଷ୍ଟ ଭଞ୍ଜ ସାହିତ୍ୟ ଗବେଷକ ମନମୋହନ ଆଚାର୍ଯ୍ୟ, ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ସଭାପତି ମଦନମୋହନ ଜେନା, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଭଞ୍ଜ ସାହିତ୍ୟ ଉପରେଆଲୋଚନା କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାର ତତ୍ତ, ରସ, ଭାବ, ପଦଲାଳିତ୍ୟ, ଉପମା ତଥା ଅଳଙ୍କାରର ସମାହାର ବୋଲି  ମତ ବ୍ୟକ୍ତ କରିଥିଲେ। ଏହା ସହ କଳିଙ୍ଗ ଭାରତୀର ସମ୍ପାଦକ ପୁରୁଷୋତ୍ତମ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚିନ୍ମୟ ବୋଡ଼େ, ପ୍ରାଧ୍ୟାପକ ସତ୍ୟନାରାୟଣ ଆଚାର୍ଯ୍ୟ ଓ ଲିଲି କୁମାରୀ ପାଢୀ ପ୍ରାରମ୍ଭରେ ସରସ୍ବତୀ ବନ୍ଦନା ଗାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଗୁଡ଼ିକ ଅନଲାଇନ ( ଜୁମ ଆପ୍ ଓ ଫେସ୍‌ବୁକ ଲାଇଭ )ମାଧ୍ୟମରେ ପ୍ରସାରିତ ହୋଇଥିଲା । ପରିଷଦର ସଂଗଠନ ସମ୍ପାଦକ ନାରାୟଣ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ, ଝାରସୁଗୁଡାରୁ ଶିବପ୍ରିୟା ମିଶ୍ର,ବ୍ରହ୍ମପୁରରୁ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, କୋରାପୁଟରୁ ସୌମେନ୍ଦ୍ର ସ୍ବାଇଁ, ବାରିପଦାରୁ ଡ଼. ରାମାକାନ୍ତ ମହନ୍ତ, ନୂଆପଡାରୁ ରୁଦ୍ରମାଧବ ବାରିକ, ବଲାଙ୍ଗୀରରୁ ରାମଚନ୍ଦ୍ର ପଟେଲ, ଅନୁଗୋଳରୁ ରାମକୃଷ୍ଣ ତ୍ରିପାଠୀ, କଳାହାଣ୍ଡିରୁ ମନୋଜ ନାୟକ, ନିଶ୍ଚିନ୍ତକୋଇଲିରୁ ଡ. ପ୍ରମୋଦ ଦାସ ଏବଂ ଭୁବନେଶ୍ବରରୁ ଭ୍ରମରବର ସାହୁ ଓ ବାଲାଜୀ ବିଶ୍ବନାଥ ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ।

Leave A Reply

Your email address will not be published.