ନୂଆଦିଲ୍ଲୀ:ପୂର୍ବତନ ଭାରତୀୟ ଓପନର ସଦଗୋପନ ରମେଶ ଟିମ୍ ଇଣ୍ଡିଆର ଚୟନ ପ୍ରକ୍ରିୟା ଏବଂ ନିୟମକୁ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି । ହର୍ଷିତ ରାଣା ଆଘାତରୁ ଫେରିବା ପରେ ସିଧାସଳଖ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ରମେଶ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କହିଛନ୍ତି ଯେ, ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କ ପରି ବିଜୟୀ ଓ ସଫଳ ବୋଲରଙ୍କୁ ଟେଷ୍ଟ କିମ୍ବା ଆନ୍ତର୍ଜାତୀୟ ମ୍ୟାଚ୍କୁ ଫେରିବା ପୂର୍ବରୁ ଘରୋଇ ମ୍ୟାଚ୍ ଖେଳି ନିଜର ଫିଟ୍ନେସ୍ ପ୍ରମାଣ କରିବାକୁ କୁହାଯାଉଛି । ଅନ୍ୟପଟେ, ହର୍ଷିତ ରାଣାଙ୍କୁ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ନ ଖେଳାଇ ସିଧାସଳଖ ଜାତୀୟ ଦଳରେ ସାମିଲ କରାଯାଇଛି । ସେ ଅଭିଯୋଗ କରିଛନ୍ତି ଯେ, ଟିମ୍ ମ୍ୟାନେଜମେଣ୍ଟ କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ପାଇଁ ନିୟମରେ କୋହଳ କରୁଛନ୍ତି ।
ଯେଉଁ ଖେଳାଳିମାନେ ନିଜକୁ ପ୍ରମାଣିତ କରିସାରିଛନ୍ତି, ସେମାନଙ୍କ ଉପରେ ହିଁ ଫିଟ୍ନେସ ପ୍ରମାଣ କରିବାର ସବୁଠୁ ଅଧିକ ଚାପ ରହୁଛି । ରମେଶଙ୍କ କହିବାନୁସାରେ, ସମସ୍ତ ଖେଳାଳିଙ୍କ ପାଇଁ ଗୋଟିଏ ସମାନ ମାପଦଣ୍ଡ ରହିବା ଉଚିତ । ଯଦି ହର୍ଷିତ ରାଣା ବିନା କୌଣସି ଅଭ୍ୟାସ ମ୍ୟାଚ୍ରେ ନିଜକୁ ପରଖି ସିଧାସଳଖ ଚୟନ ହୋଇପାରିବେ, ତେବେ ବୁମରାଙ୍କ ଭଳି ବୋଲରଙ୍କ ପାଇଁ ମଧ୍ୟ ସେହିଭଳି ନିୟମ ପ୍ରଯୁଜ୍ୟ ହେବା ଦରକାର । ହର୍ଷିତ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ ପରେ ପୁଣିଥରେ ଆଘାତପ୍ରାପ୍ତ ହୋଇଥିଲେ । ଫିଟ୍ନେସ୍ କ୍ଲିୟରାନ୍ସ ପାଇବା ପରେ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ମନୋନୀତ କରାଯାଇଛି । ରମେଶ ଏହି ଚୟନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏହିପ୍ରକାର ଚୟନ ନୀତି ଉପରେ ବିସିସିଆଇ, ସ୍ପଷ୍ଟୀକରଣ ଦେବା ଉଚିତ ।

