Latest Odisha News

BREAKING NEWS

ଅଦିନିଆ ରଥଯାତ୍ରା ବିବାଦ: ନିଜ ସଂସ୍ଥା ବିରୋଧରେ ଓହ୍ଲାଇଲା ଭୁବନେଶ୍ୱର ଇସ୍କନ, ଜିଦ୍ ଛାଡ଼ିବାକୁ GBCକୁ ନିବେଦନ

ଭୁବନେଶ୍ୱର: ବିଦେଶ ମାଟିରେ ବର୍ଷ ତମାମ ‘ଅଦିନିଆ ରଥଯାତ୍ରା’ ଆୟୋଜନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ କରୁଥିବା ଇସ୍କନର କେନ୍ଦ୍ରୀୟ କମିଟି ବିରୋଧରେ ଏବେ ସ୍ଥାନୀୟ ମହଲ ସ୍ୱର ଉତ୍ତୋଳନ କରିଛି। ସବୁଠାରୁ ବଡ଼ କଥା ହେଉଛି, ବିଶ୍ୱସ୍ତରୀୟ ନିଷ୍ପତ୍ତିକୁ ବିରୋଧ କରି ନିଜ ସଂସ୍ଥାର ଶୀର୍ଷ ନେତୃତ୍ୱ ବିରୋଧରେ ଓହ୍ଲାଇଛି ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର କର୍ତ୍ତୃପକ୍ଷ। ଅଦିନିଆ ରଥଯାତ୍ରା ବନ୍ଦ କରି ଶ୍ରୀଜଗନ୍ନାଥ ସଂସ୍କୃତିର ଶାସ୍ତ୍ରୀୟ ନିୟମକୁ ମାନିବା ପାଇଁ ଭୁବନେଶ୍ୱର ଇସ୍କନ ପକ୍ଷରୁ ସେମାନଙ୍କ ଗଭର୍ଣ୍ଣିଂ ବଡି କମିଶନକୁ ଜୋରଦାର ଅନୁରୋଧ କରାଯାଇଛି।

 

ଭୁବନେଶ୍ୱର ଇସ୍କନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶରେ ନିର୍ଦ୍ଧାରିତ ତିଥି ବାହାରେ ରଥଯାତ୍ରା କରାଯିବା ଦ୍ୱାରା ଓଡ଼ିଶା ସମେତ ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱର ଇସ୍କନର ବରିଷ୍ଠ କର୍ମକର୍ତ୍ତାମାନେ GBC କୁ ସେମାନଙ୍କ ଜିଦ୍‌ଖୋର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ଶତାବ୍ଦୀ ଶତାବ୍ଦୀର ପରମ୍ପରା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତିକୁ କ୍ଷୁଣ୍ଣ ନକରିବା ପାଇଁ ସେମାନେ ନିଜ ସଂସ୍ଥାକୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି।

 

ନିକଟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ଅମାନିଆ ଆଭିମୁଖ୍ୟ ବିରୋଧରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ଏବଂ ରଥଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଘୋଷଣା କରିବା ପରେ ଇସ୍କନ ଉପରେ ଚାପ ବହୁଗୁଣିତ ହୋଇଛି। ଏହି ସାଂସ୍କୃତିକ ମହାସଂଗ୍ରାମରେ ଓଡ଼ିଶାର ଜନସାଧାରଣ ଓ ସରକାର ଏକାଠି ହୋଇଥିବା ବେଳେ ଭୁବନେଶ୍ୱର ଇସ୍କନ ମଧ୍ୟ ନିଜ ସଂସ୍ଥାର ଭୁଲ୍ ନୀତିକୁ ସମର୍ଥନ ନକରି ମହାପ୍ରଭୁଙ୍କ ପରମ୍ପରା ସପକ୍ଷରେ ଠିଆ ହୋଇଛି।

 

ଭୁବନେଶ୍ୱର ଇସ୍କନ ମନ୍ଦିରର ମୁଖପାତ୍ର କହିଛନ୍ତି ଯେ, ଇସ୍କନ ସାରା ବିଶ୍ୱରେ ଜଗନ୍ନାଥ ଚେତନାର ପ୍ରଚାର ପ୍ରସାର କରୁଛି ସତ, କିନ୍ତୁ ମୂଳ ସନାତନ ପରମ୍ପରା ଏବଂ ପୁରୀ ଶ୍ରୀମନ୍ଦିରର ନିୟମାବଳୀ ସର୍ବୋପରି। ତେଣୁ ବିବାଦକୁ ଆହୁରି ନବଢ଼ାଇ ଇସ୍କନର GBC ଅଧ୍ୟକ୍ଷ ଏବଂ ସଦସ୍ୟମାନେ ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପ୍ରଶାସନ ସହ ସହମତି ପ୍ରକାଶ କରି ଏକ ସନ୍ତୋଷଜନକ ସମାଧାନର ବାଟ ବାହାର କରନ୍ତୁ।

Leave A Reply

Your email address will not be published.