Latest Odisha News

BREAKING NEWS

Delhi Police Strike: ଦିଲ୍ଲୀ ପୋଲିସର ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୩ ଶାର୍ପ ଶୁଟର ଗିରଫ, ଟାର୍ଗେଟ କିଲିଂ ଷଡଯନ୍ତ୍ରର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା। ରୋହିଣୀ ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ୩ ଜଣ ଶୁଟରଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଏହି ତିନିଜଣ କୌଣସି ବଡ଼ ଅପରାଧ ଘଟାଇବା ଏବଂ ଟାର୍ଗେଟ କିଲିଂ କରିବାର ଯୋଜନାରେ ଥିଲେ। ଗୁପ୍ତ ସୂଚନା ମିଳିବା ପରେ ପୋଲିସ ସେମାନଙ୍କୁ ଟ୍ରାକ୍ କରି ଶେଷରେ ଗିରଫ କରିବାରେ ସଫଳ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ବିଦେଶରେ ବସିଥିବା ଗ୍ୟାଙ୍ଗର ନେଟୱର୍କ ପକ୍ଷରୁ ଏହି ଶୁଟରମାନଙ୍କୁ ନିରନ୍ତର ନିର୍ଦ୍ଦେଶ ମିଳୁଥିଲା। ସେହି ନିର୍ଦ୍ଦେଶ ଅନୁସାରେ ସେମାନେ ବଡ଼ ଅପରାଧ ଘଟାଇବାକୁ ପ୍ରସ୍ତୁତି ଚଳାଇଥିଲେ। ଦିଲ୍ଲୀରେ ଘଟିଥିବା ଏକାଧିକ ଫାୟାରିଂ ଓ ଅନ୍ୟାନ୍ୟ ଅପରାଧିକ ଘଟଣାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ସେମାନେ ଟାର୍ଗେଟ କରି ଗୁଳିଚାଳନା ଘଟଣା ଘଟାଇଥିବା କଥା ପୋଲିସ କହିଛି।

ଏପଟେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ବିଦେଶରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଆମେରିକାରେ ଏଫ୍‌ବିଆଇ (FBI) ଜୁଲାଇ ୭ ତାରିଖରୁ ‘ଅପରେସନ୍ ହାର୍ଡ ବଲ୍’ ନାମରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅପରେସନ୍‌ରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ତାହାର ସହଯୋଗୀ ଗୋଲ୍ଡି ବରାଡ଼ ଓ ଜଗ୍ଗୁ ଭଗବାନପୁରିଆଙ୍କ ନେଟୱର୍କକୁ ଟାର୍ଗେଟ କରାଯାଉଛି। ଏହି ଅଭିଯାନରେ ଅନେକ ସନ୍ଦିଗ୍ଧଙ୍କୁ ଆୟତ୍ତକୁ ନିଆଯାଇଛି।

ଏହା ସହ ଏଫ୍‌ବିଆଇ ଗ୍ୟାଙ୍ଗଷ୍ଟର ସତିନ୍ଦରଜିତ ସିଂହ ଓରଫ୍ ଗୋଲ୍ଡି ବରାଡ଼ଙ୍କୁ ଧରାଇବା ପାଇଁ ୫୦ ହଜାର ଡଲାର (ପ୍ରାୟ ୪୩ ଲକ୍ଷ ଟଙ୍କା) ପୁରସ୍କାର ଘୋଷଣା କରିଛି। ତାଙ୍କ ଗିରଫରେ ସହାୟକ ସୂଚନା ଦେବାକୁ ଏହି ପୁରସ୍କାର ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଲରେନ୍ସ ବିଷ୍ଣୋଇଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ରଙ୍ଗଦାରି ଆଦାୟ ସମେତ ଅନେକ ଗୁରୁତର ମାମଲା ରହିଛି। ସେ ବର୍ତ୍ତମାନ ଜେଲରେ ଥିଲେ ମଧ୍ୟ ସେଠାରୁ ଗ୍ୟାଙ୍ଗର କାର୍ଯ୍ୟକଳାପ ପରିଚାଳନା କରୁଥିବା ଅଭିଯୋଗ ରହିଛି। ୩ ଶୁଟରଙ୍କ ଗିରଫ ସହ ଦିଲ୍ଲୀ ପୋଲିସ ଅପରାଧିକ ନେଟୱର୍କ ବିରୋଧରେ ବଡ଼ ସଫଳତା ହାସଲ କରିଥିବା ବୋଲି ମନେ କରାଯାଉଛି।

Leave A Reply

Your email address will not be published.