Latest Odisha News

BREAKING NEWS

ଟିଣ୍ଡର ଡେଟିଂ ଆପ୍ ମାମଲା: ପୁଅ ପାଇଁ ନ୍ୟାୟ ମାଗିଲା ମାଆ

ଭୁବନେଶ୍ୱର: ଜେଲ୍ ଭିତରେ ପୁଅ, ବାହାରେ ବସିଛନ୍ତି ମାଆ । ଟିଣ୍ଡର ଆପ୍ ମାମଲାରେ ଘରୋଇ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇ ଜେଲ୍ ଯିବା ପରେ ମଙ୍ଗଳବାର ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ । ତାଙ୍କ ପୁଅ ପ୍ରତି ଅନ୍ୟାୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ, ଯୁବତୀଙ୍କ ବିରୋଧରେ ଅଭିଯୋଗ ନେଇ ପ୍ରଥମେ ଥାନାକୁ ଯାଇଥିଲେ ବୋଲି ସେ କହିଛନ୍ତି । ଯଦି ସେ ସମ୍ପୃକ୍ତ ଯୁବତୀକୁ ଗିରଫ ନକରାଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

କିଛି ଦିନ ତଳେ ବ୍ଲାକମେଲିଂ ଓ ଅପହରଣ ଅଭିଯୋଗ ନେଇ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ ସଂପକ୍ତ ବ୍ୟାଙ୍କ ମ୍ୟାନେଜର । ଟିଣ୍ଡର ଆପ୍‌ରେ ତାଙ୍କୁ ଫସାଇ ଯୁବତୀ ଜଣକ ତାଙ୍କୁ ଅପହରଣ ଓ ପରେ ବ୍ଲାକମେଲିଂ କରିଥିବା ନେଇ ଅଭିଯୋଗ କରିଥିଲେ । ଏଥିସହ ତାଙ୍କର ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ । ତାଙ୍କ ଏଟିଏମ୍ କାର୍ଡରେ ଜବରଦସ୍ତ ସଫିଂ କରିଥିଲେ । ମାମଲା ରଫା ଦଫା କରିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ।

ଏପରିକି ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ମାଡ ମାରିଥିବା ସେ ଅଭିଯୋଗ କରିଥିଲେ । କିନ୍ତୁ କେସ ପୁରା ଓଲଟିଯାଇଥିଲା । ଏଥିରେ ସମ୍ପୃକ୍ତ ଥିବା ଯୁବତୀ ଜଣକ ସାମ୍ନାକୁ ଆସି ଯୁବକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ । ତାଙ୍କୁ କୋଲ୍ଡଡ୍ରିଙ୍କରେ ନିଶା ଦେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂମ୍ପର୍କ ସ୍ଥାପନ କରିଥିବା ପୋଲିସ ଆଗରେ ବୟାନ ରଖିଥିଲେ । ଦିନକ ତଳେ ପୋଲିସ ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ ଯୁବକ ଯୁବତୀଙ୍କ ସମେତ ୫ ଜଣକୁ ଗିରଫ କରିଥିଲେ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ପୋଲିସ ଦଫା ୩୨୮ ଏବଂ ୩୭୬ ମାମଲା ରୁଜୁ କରିଥିଲା । ସେହିପରି ଯୁବକଙ୍କ ଅଭିଯୋଗ ଅନୁସାରେ ଯୁବତୀ ଓ ୩ ସହଯୋଗୀଙ୍କ ବିରୋଧରେ ଦଫା ୩୬୫ ଅପହରଣ, ୫୦୬ ହତ୍ୟା ଧମକ, ୪୨୦ ଠକେଇ, ୩୭୯ ଚୋରି ମାମଲା ରୁଜୁ ହୋଇଥିଲା । ତେବେ ହଠାତ ସୋମବାର ପୋଲିସ ପ୍ରଥମେ ଅଭିଯୋଗ ଆଣିଥିବା ବ୍ୟାଙ୍କ ମ୍ୟାନେଜରକୁ ଗିରଫ କରିଥିବା ବେଳେ ଯୁବତୀଙ୍କୁ ଥାନାରୁ ହିଁ ଜାମିନ ଦେଇଥିଲା। ଏହିପରି ଭାବେ ଟିଣ୍ଡର ଆପ୍‌ର କେଶ୍ ଓଲଟି ଯାଇଥିଲା ।

Leave A Reply

Your email address will not be published.