ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ଅଧିକାଂଶ ଜଙ୍ଗଲରେ ଅବାଧ ଶିକାର ବୃଦ୍ଧି ପାଉଛି । ଶିକାରୀ ମାନଙ୍କର ଉତ୍ପତା ବଢିବାରେ ଲାଗିଛି । କେତବେଳେ ବାଘ ଛାଲ, ନଖ ଜବତ ହେଲାଣି ତ ଆଉ କେତବେଳେ ଜୀବନ୍ତ ବଜ୍ର କାପ୍ତା ଚୋରାଚାଲାଣ ବେଳେ ଧରା ପଡୁଛନ୍ତି । ଅନେକ ସମୟରେ ତ ବାରାହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ କରେଣ୍ଟରେ ହାତୀ ପଡି ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଏହିଥିରୁ ଅନୁମାନ କରିପାରୁଥିବେ କେତେ ମାତ୍ରାରେ ଅସୁରକ୍ଷିତ ହୋଇପଡିଛନ୍ତି ଜଙ୍ଗଲୀ ଜନ୍ତୁ ମାନେ ।
ଖାଲି ସେତିକି ନୁହେଁ ଅନେକ ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବା ଘଟଣା ମଧ୍ୟ ନଜରକୁ ଆସୁଛି ଫଳରେ ଅକାରଣରେ ଅନେକ ବନ୍ୟପ୍ରାଣୀ ମାନଙ୍କ ଜୀବନ ସଙ୍କଟରେ ପଡୁଛି । ଆଉ ଏହି ନିଆଁରେ ବହୁ ମୂଲ୍ୟବାନ ଓ ଔଷଧୀୟ ଗଛ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଉଛି ।
ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ସୁରକ୍ଷାକୁ ମଜବୁତ କରିବାକୁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଗକୁ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହେବ ୧୩୯ଟି ଗାଡ଼ି । ଏହି ଯାନ ଗୁଡ଼ିକ ମଧ୍ୟରେ ରହିଛି ୫୧ଟି ଅଲ-ଟେରେନ୍ ଯାନ, ୪୧ଟି ଜଳ ସିଞ୍ଚନ ଅଗ୍ନି ନିର୍ବାପକ ଏବଂ ୪୭ଟି ଅଗ୍ନି ନିରାକରଣ ସହାୟତା ଯାନ ।
ଏହି ଯୋଜନାରେ ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗକୁ ୩ ପ୍ରକାରର ୧୩୯ଟି ଯାନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଫଳରେ ଜଙ୍ଗଲ ସୁରକ୍ଷାରେ ଆହୁରି ବୃଦ୍ଧି ଘଟିବ । ରାଜ୍ୟ ଉଦ୍ଭିଦ ଉଦ୍ୟାନ ଠାରେ ବନ ବାହିନୀର ମୁଖ୍ୟ ଓ ବନ୍ୟପ୍ରାଣୀ ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଗାଡ଼ି ଗୁଡିକ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ସରକାରଙ୍କର ଏହି ଯୋଜନା ଆଗକୁ ଏହି ସବୁ ବିପତ୍ତିରୁ ଜଙ୍ଗଲୀ ଜନ୍ତୁ ଓ ବୃକ୍ଷ ମାନଙ୍କୁ ରକ୍ଷା କରିବାରେ ସହାୟକ ହେବବୋଲି ଆଶା ରହିଛି ।
Comments are closed.