Latest Odisha News

BREAKING NEWS

ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହ । ଜୁଲାଇ ୩୦ ରୁ ଅଗଷ୍ଟ ୨, ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ବିହାରରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ‘ସ୍ପୋର୍ଟସ୍ ସିଟି’ (Sports City) ଓ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ପାଇଁ ଅନୁଭୂତି ହାସଲ କରିବା ଏହି ଚାରିଦିନିଆ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାର ବିଶ୍ୱସ୍ତରୀୟ କ୍ରୀଡ଼ା ବ୍ୟବସ୍ଥା, ହାଇ-ପରଫରମାନ୍ସ ସେଣ୍ଟର (HPC) ଗୁଡ଼ିକର ପରିଚାଳନା, ସରକାରୀ-ବେସରକାରୀ ଭାଗିଦାରୀ (PPP) ଏବଂ କ୍ରୀଡ଼ା ବିଜ୍ଞାନର ବ୍ୟବହାର ବିଷୟରେ ଜାଣିବା ପାଇଁ ଏହି ଗସ୍ତ ଆୟୋଜିତ ହୋଇଛି।

କମନୱେଲଥ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଶ୍ରେୟସୀ ସିଂହଙ୍କ ସହ କ୍ରୀଡ଼ା ନିର୍ଦ୍ଦେଶକ ଆରିଫ୍ ଅହସାନ ଏବଂ BSSA ର ଉପ-ନିର୍ଦ୍ଦେଶକ ହିମାଂଶୁ ସିଂହଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ପରିଦର୍ଶନ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍ ପରିସର ଗସ୍ତ ସମୟରେ ମନ୍ତ୍ରୀ ଶ୍ରେୟସୀ ସିଂହ କଳିଙ୍ଗ ହକି ଷ୍ଟାଡିୟମ୍ ରେ ଥିବା ସୁଟିଂ ହାଇ-ପରଫରମାନ୍ସ ସେଣ୍ଟର, ଜିମ୍ନାଷ୍ଟିକ୍ସ ହାଇ-ପରଫରମାନ୍ସ ସେଣ୍ଟର, ଆକ୍ୱାଟିକ୍ ସେଣ୍ଟର (ସ୍ୱିମିଂ), ବ୍ୟାଡମିଣ୍ଟନ୍ ହାଇ-ପରଫରମାନ୍ସ ସେଣ୍ଟର, ହକି ହାଇ-ପରଫରମାନ୍ସ ସେଣ୍ଟର, ସ୍ପୋର୍ଟସ୍ ସାଇନ୍ସ ସେଣ୍ଟର (କ୍ରୀଡ଼ା ବିଜ୍ଞାନ କେନ୍ଦ୍ର), ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, ୱେଟଲିଫ୍ଟିଂ (ଭାରୋତ୍ତୋଳନ) ହାଇ-ପରଫରମାନ୍ସ ସେଣ୍ଟର, AIFF-FIFA ଟାଲେଣ୍ଟ ଏକାଡେମୀର ପରିଦର୍ଶନ କରି ସମୀକ୍ଷା କରି ଥିଲେ ।

ଦୁଇ ରାଜ୍ୟ ମଧ୍ୟରେ ସହଯୋଗ ପ୍ରତିବଦ୍ଧତାକୁ ଦୋହରାଇ ମନ୍ତ୍ରୀ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖେଳାଳିଙ୍କ ବିକାଶ, ପ୍ରଶାସନିକ କାର୍ଯ୍ୟଶୈଳୀ, ନୂଆ ପ୍ରତିଭା ଖୋଜିବା ଏବଂ ବଡ଼ ପ୍ରତିଯୋଗିତା ଆୟୋଜନର କୌଶଳ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଆଲୋଚନା ଏବଂ ପରିଦର୍ଶନ ସମୟରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡଃ ୟେଦୁଲ୍ଲା ବିଜୟ ଏବଂ ବିଭାଗର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ।

ଏହା ପରେ ପୁରୀସ୍ଥିତ ଖୋ-ଖୋ ହାଇ-ପରଫରମାନ୍ସ ସେଣ୍ଟର ଏବଂ କ୍ରୀଡ଼ା ହୋଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି, ଯାହା ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା ଜ୍ଞାନର ଆଦାନପ୍ରଦାନକୁ ଆହୁରି ମଜବୁତ୍ କରିବ।

ଏହି ଅବସରରେ ବିହାରର କ୍ରୀଡ଼ା ମନ୍ତ୍ରୀ କହି ଥିଲେ ଯେ “ଓଡ଼ିଶାର କ୍ରୀଡ଼ା ବ୍ୟବସ୍ଥା ଏବଂ ଖେଳାଳି-କେନ୍ଦ୍ରିକ ପରିବେଶ ସାରା ଦେଶ ପାଇଁ ଏକ ଉଦାହରଣ । ଏଠାକାର କାର୍ଯ୍ୟଶୈଳୀ ଏବଂ ବିଶ୍ୱସ୍ତରୀୟ ହାଇ-ପରଫରମାନ୍ସ ସେଣ୍ଟରଗୁଡ଼ିକରୁ ମିଳିଥିବା ଅନୁଭୂତି ବିହାରର ନୂଆ କ୍ରୀଡ଼ା ପ୍ରକଳ୍ପ ଏବଂ ଭିତ୍ତିଭୂମି ଗଢ଼ିବାରେ ବହୁତ ସାହାଯ୍ୟ କରିବ ।”

 

Leave A Reply

Your email address will not be published.