Latest Odisha News

BREAKING NEWS

ପାରଳାଖେମୁଣ୍ଡିରେ ତିରୁପତି ଯୁଆଡେ ବିଜୟ ସିଆଡେ !

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଆସନରେ ପ୍ରମୁଖ ଦଳର ଟିକେଟ ପାଇବା ପାଇଁ ବହୁ ହେଭିୱେଟଙ୍କ ଆଶା ରହିଛି।

ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ପାରଳାଖେମୁଣ୍ଡିରୁ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଜୋରଦାର ଚର୍ଚ୍ଚା।

କଂଗ୍ରେସରେ ମିଶିବା ପରେ ବିଜୟ ପଟ୍ଟନାୟକ ଦଳରେ ଗୁରୁତ୍ୱ ପାଇବା ସହ ନିଜର ସ୍ୱତନ୍ତ୍ର ଟିମ ମଧ୍ୟ ତିଆରି କରି କାମ କରୁଛନ୍ତି। ଏପରିକି ପ୍ରତ୍ୟେକ ଅଞ୍ଚଳକୁ ଯାଇ ସେ ଭିନ୍ନ ଅନ୍ଦାଜରେ ଲୋକଙ୍କ ସମସ୍ୟା ସହ ଆଞ୍ଚଳିକ ସମସ୍ୟା ସମାଧାନ କରୁଥିବା ଦେଖିବାକୁ ମିଳିଛି।

ନିଜେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ବହୁ ବର୍ଷ ଧରି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ସହ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିବାରୁ ସିଧା ସ୍ପଟରୁ ସରକାରୀ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା କହି କାମକୁ ତ୍ୱରାନ୍ୱିତ କରୁଛନ୍ତି। ତା ମାନେ ବିଜୟଙ୍କର ଫଇସଲା ଅନ ଦ ସ୍ପଟ ଏବେ ଚର୍ଚ୍ଚାରେ ରହିଛି। ସ୍ଥାନୀୟ ବାସିନ୍ଦା ହୋଇଥିବାରୁ କଂଗ୍ରେସ ଏଥର ତାଙ୍କୁ ପ୍ରାର୍ଥୀ କରିପାରେ।

ସେହିପରି ତିରୁପତି ପାଣିଗ୍ରାହୀ ସେ ଅଞ୍ଚଳର ଆଉ ଜଣେ ବଡ ହେଭିୱେଟ ଭାବେ ଜଣାଶୁଣା। ପୂର୍ବରୁ କଂଗ୍ରେସ ଟିକେଟ ପାଇଁ ଲବି କରୁଥିବା ତିରୁପତି ପାଣିଗ୍ରାହୀ ବିଜେଡିର କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ତେଣୁ ସେ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ ଏହି ଆସନ ଏବେ ବିଜେପି ହାତରେ ରହିଛି। ବିଜେପିର କେ ନାରାୟଣ ରାଓ ବିଧାୟକ ଅଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ କେ ନାରାୟଣ ରାଓ ୫୨ ହଜାର ୪୧୫ ଖଣ୍ଡ ଭୋଟ ପାଇ ଜିତିଥିଲେ। ତିରୁପତି ପାଣିଗ୍ରାହୀ ସ୍ୱାଧୀନ ଭାବେ ଲଢ଼ିବା ସହ ବିଜେପି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଥିଲେ।

କଂଗ୍ରେସ ଟିକେଟ ପାଇଁ ଲବି କରି ଟିକେଟ ନ ପାଇବାରୁ ସ୍ୱାଧୀନ ଭାବେ ଲଢ଼ି ମଧ୍ୟ ସେ ୩୭ ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ୨୦୧୪ ରେ କଂଗ୍ରେସ ବିଧାୟକ ଭାବେ ଜିତିଥିବା କେ ସୂର୍ଯ୍ୟ ରାଓ ଚତୁର୍ଥ ସ୍ଥାନକୁ ଖସିଥିଲେ।

ତିରୁପତି ପାଣିଗ୍ରାହୀ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ଅଧିକାଂଶ କଂଗ୍ରେସ ଭୋଟ କାଟିଥିବାରୁ କଂଗ୍ରେସ ଚତୁର୍ଥ ସ୍ଥାନକୁ ଖସିଥିବା କୁହାଯାଏ। ବିଜେଡି ପ୍ରାର୍ଥୀ କଲ୍ୟାଣି ଗଜପତି ୨୬ ହଜାର ୬୪୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

୨୦୧୪ ନିର୍ବାଚନରେ କିନ୍ତୁ କେ ନାରାୟଣ ରାଓ ଶାସକ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ କେ ସୂର୍ଯ୍ୟ ରାଓ ତାଙ୍କୁ ୧୪୧୯ ଖଣ୍ଡ ଭୋଟରେ ହରାଇଥିଲେ। ବିଜେପି ପ୍ରାର୍ଥୀ ସାତ ହଜାର ଭୋଟ ମଧ୍ୟରେ ସୀମିତ ରହିଯାଇଥିଲେ।

୨୦୦୯ ରେ ବିଜେଡି ପ୍ରାର୍ଥୀ କେ ନାରାୟଣ ରାଓ କଂଗ୍ରେସର ତ୍ରିନାଥ ସାହୁଙ୍କୁ ହରାଇଥିଲେ। ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ବଦଳିଛି। କେ ନାରାୟଣ ରାଓ ୨୦୧୯ ରେ ବିଜେଡି ଟିକେଟ ନ ପାଇବାରୁ ବିଜେପିରୁ ପ୍ରାର୍ଥୀ ହୋଇ ଏବେ ବିଧାୟକ ରହିଛନ୍ତି।

ତେଣୁ ଆଗକୁ ବିଜେଡିରୁ ପ୍ରାର୍ଥୀ ହେବାକୁ ପୂର୍ବତନ ବିଧାୟକ ପ୍ରାର୍ଥୀ କଲ୍ୟାଣି ଗଜପତି ଦୌଡ଼ରେ ଥିବାବେଳେ ତିରୁପତି ପାଣିଗ୍ରାହୀ ତଥା ଅଞ୍ଚଳର ବହୁ ଯୁବ ନେତା ଲବିରେ ରହିଛନ୍ତି।

ଗୋଟିଏ ପଟେ ବିଧାୟକ କେ ନାରାୟଣ ରାଓଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିବା ପ୍ରାୟ ସ୍ପଷ୍ଟ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ। ତେଣୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତା ଉପରେ ନଜର।

Leave A Reply

Your email address will not be published.