Latest Odisha News

BREAKING NEWS

ଝାରସୁଗୁଡ଼ାର ବିସ୍ମୟ ବାଳିକା ଦିପ୍ତି, ଟାଇପିଂ କରି ଭାଙ୍ଗିଚାଲିଛନ୍ତି ରେକର୍ଡ଼ !

ଝାରସୁଗୁଡ଼ା: ନଅ ବର୍ଷର କୁନି ଝିଅ ଦିପ୍ତି ଶର୍ମା । ଏବେ ଦିପ୍ତୀଙ୍କୁ ସମସ୍ତେ କହୁଛନ୍ତି, ‘ଝାରସୁଗୁଡ଼ାର ବିସ୍ମୟ’ । ଦିପ୍ତୀ କମ୍ପ୍ୟୁଟର୍ ନଦେଖି ଅଦ୍ଭୁତଭାବେ ଟାଇପିଂ କରିପାରୁଛନ୍ତି । ତାଙ୍କର ଟାଇପିଂ ଦକ୍ଷତା ଦେଖି ବଡ଼ ବଡ଼ ଟାଇପିଷ୍ଟମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତାରେ ସେ ଆଜି ଅନେକ ପୁରସ୍କାର ମଧ୍ୟ ହାସଲ କରିସାରିଲେଣି । ସବୁଠୁ ବଡ଼ କଥା ହେଲା ଓଡ଼ିଶାର ଏହି କୁନି ଝିଅଟି ନିକଟରେ ‘ଇଣ୍ଡିଆ ବୁକ୍ ଅଫ ରେକର୍ଡ଼’ରେ ସ୍ଥାନ ପାଇଛନ୍ତି ।

ଦିପ୍ତୀ ଏବେ ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି । ଦୃଢ ମନୋବଳ, ଅଦମ୍ୟ ଚେଷ୍ଟା ତଥା କଠିନ ପରିଶ୍ରମ ବଳରେ କୁନି ଝିଅ ଦିପ୍ତୀ ମାତ୍ର ୪ ସେକେଣ୍ଡରେ ୨୬ଟି ଅକ୍ଷର କିବୋର୍ଡ଼ରେ ଟାଇପିଂ କରିପାରୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଲା ଦିପ୍ତୀ ମାତ୍ର ୩.୫୪ ସେକେଣ୍ଡରେ ଇଂରାଜୀ ‘ଏ’ ରୁ ‘ଜେଡ଼’ ଅକ୍ଷର ଟାଇପ୍ କରିପାରି ଏକ ପ୍ରକାର ବିସ୍ମୟ ସୃଷ୍ଟି କରିଛନ୍ତି ।

ଦିପ୍ତୀ ସବୁ ପିଲାଙ୍କ ପରି ପାଠ ପଢିବା ସହିତ ଅବସର ସମୟରେ ଖେଳାଖେଳି କରିଥାଆନ୍ତି । ମାତ୍ର ସୁଯୋଗ ପାଇଲା ମାତ୍ରେ ବାପାଙ୍କ ଲାପଟପରେ ବସି ଅନେକ ସମୟ ଧରି ଟାଇପିଂ ପ୍ରାକ୍ସିସ କରିଥାଆନ୍ତି ।

ଲାପଟପକୁ ନ ଅନାଇ ଆଖିରେ ପଟି ବାନ୍ଧି ଟାଇପିଂ କଲେ ମଧ୍ୟ ଦ୍ରୁତଗତିରେ ଟାଇପିଂ କରିପାରୁଥିବା ଦିପ୍ତି ଏବେ ‘ଗିିନିଜ୍ ବୁକ୍ ଅଫ ରେକର୍ଡ଼ସ’ରେ ସ୍ଥାନ ପାଇବାକୁ ପ୍ରବଳ ପରିଶ୍ରମ କରୁଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଦିପ୍ତୀ କହିଛନ୍ତି ବଡ଼ ହେଲେ ବୈଜ୍ଞାନିକ ହେବେ । ତାଙ୍କ ମାଆ କହିଛନ୍ତି ଯେ, ସେ ନିଜେ ମଧ୍ୟ ଏହାକୁ ବିଶ୍ୱାସ କରିପାରୁନଥିଲେ । ଦିପ୍ତୀଙ୍କ ପିତା ହିଁ ତାଙ୍କୁ ସମସ୍ତ ପ୍ରେରଣା ଯୋଗାଇଦେବା ସହିତ ସବୁବେଳେ ଅଧିକ ଦ୍ରୁତ ଟାଇପିଂ ଲାଗି ଉତ୍ସାହିତ କରିଥାଆନ୍ତି ।

ଦୀପ୍ତୀଙ୍କୁ ତାଙ୍କର ସହପାଠୀଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ତଥା ପ୍ରିନସିପାଲ୍ ମଧ୍ୟ ସହଯୋଗ କରିବା ସହିତ ଉଚ୍ଚ ପ୍ରଶଂସା କରିଥାଆନ୍ତି ।

ଏବେ ଝାରସଗୁଡ଼ାବାସୀଙ୍କ ଅତି ପ୍ରିୟ ହୋଇଯାଇଛନ୍ତି କୁନି ଟାଇପିଷ୍ଟ୍ ଦିପ୍ତୀ ଶର୍ମା । ସମସ୍ତେ ଆଶା ରଖିଛନ୍ତି ଦିପ୍ତୀ ଖୁବ୍ ଶିଘ୍ର ‘ଗିନିଜ୍ ବୁକ୍ ଅଫ ରେକର୍ଡ଼ସ’ରେ ସ୍ଥାନ ପାଆନ୍ତୁ ।

Leave A Reply

Your email address will not be published.