ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ କଠୋର କଟକଣା ଲଗାଇଛି। ଯେଉଁଥିରେ ସିନ୍ଧୁ ଚୁକ୍ତିନାମା ମଧ୍ୟ ସାମିଲ। ଭାରତ ସିନ୍ଧୁ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେବା ପରେ ଚିନ୍ତାରେ ପାକିସ୍ତାନ ସରକାର। ଭାରତର ଏହି ପଦକ୍ଷେପକୁ ପାକିସ୍ତାନର ଶାସକ ଦଳ ଏବଂ ବିରୋଧୀ ଉଭୟ ବିରୋଧ କରୁଛନ୍ତି।
ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତ ବିରୋଧରେ ଧମକପୂର୍ଣ୍ଣ ଭାଷଣ ଦେଇଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆମର ପାଣି ସିନ୍ଧୁ ନଦୀରେ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ପ୍ରବାହିତ ହେବ। ସିନ୍ଧୁ ନଦୀ କେବଳ ଆମର।
ସେ ଆହୁରି ମଧ୍ଯ କହିଥିଲେ ଯେ ଆପଣ ଏକା ଥରକେ ସିନ୍ଧୁ ଜଳ ଚୁକ୍ତିନାମା ଭାଙ୍ଗିପାରିବେ ନୁହେଁ। ଆମ ଲୋକମାନେ ଏହାକୁ ଗ୍ରହଣ କରନ୍ତି ନାହିଁ। ଆମେ ହଜାର ହଜାର ବର୍ଷ ଧରି ଏହି ନଦୀର ଉତ୍ତରାଧିକାରୀ। ଭାରତରେ ଅଧିକ ଜନସଂଖ୍ୟା ଥିବାରୁ ପାଣି କାହାର ହେବ ତାହା ନିଷ୍ପତ୍ତି ସେମାନେ ନେଇପାରିବେ ନାହିଁ। ପାକିସ୍ତାନର ଲୋକମାନେ ସାହସୀ ଲୋକ, ଆମେ ସାହସର ସହିତ ଲଢ଼ିବୁ। ସୀମାରେ ଆମର ସେନା ପ୍ରତ୍ୟେକ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୩ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ଏଥିରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ଅଂଶଗ୍ରହଣ କରିଥିଲେ। ବୈଠକ ପରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ କହିଥିଲେ ଯେ ସିନ୍ଧୁ ଜଳକୁ ରୋକିବା ପାଇଁ ତିନି ପ୍ରକାରର ରଣନୀତି ପ୍ରସ୍ତୁତ କରାଯାଉଛି। ପାକିସ୍ତାନକୁ ଗୋଟିଏ ବି ବୁନ୍ଦା ପାଣି ମିଳିବ ନାହିଁ।
Comments are closed.