Latest Odisha News

BREAKING NEWS

ଏମିତି ପାକିସ୍ତାନ ଉପରେ ପ୍ରତିଶୋଧ ନେବ ଭାରତ !

ନୂଆଦିଲ୍ଲୀ: ଏପ୍ରିଲ ୨୨, ଭାରତ ପାଇଁ କଳାଦିବସ । ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଆତଙ୍କବାଦୀ । ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଆକ୍ରୋଶ । ପ୍ରାଥମିକ ତଦନ୍ତରୁ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଥିବା ନେଇ ସନ୍ଦେଶ ମିଳୁଛି । ହମଲାର ଜବାବୀ ଆକ୍ସନ୍ ପାଇଁ ଭାରତ ପାଖରେ ଅନେକ ବିକଳ୍ପ ରହିଛି । ସୀମାରେ କାର୍ଯ୍ୟାନୁଷ୍ଠାନଠାରୁ ଆରମ୍ଭ କରି ଯୁଦ୍ଧ ପର୍ଯ୍ୟନ୍ତ ଭାରତ ପାଖରେ ଅନେକ ସାମରିକ ବିକଳ୍ପ । ପୁଲଓ୍ବାମା ହମଲା ପରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକ ପରି ଆକ୍ସନ୍ ନେବାକୁ ବି କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, ପାକିସ୍ତାନ ଉପରେ ଏତିକି ଆକ୍ସନ୍ ପର୍ଯ୍ୟାପ୍ତ ହେବ କି ?

ଅସ୍ତ୍ରବିରତି ଚୁକ୍ତି ରଦ୍ଦ

ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୧ରୁ ଅସ୍ତ୍ରବିରତି ଚୁକ୍ତି ଲାଗୁ ହୋଇଛି । ଏହାକୁ ଦୁଇ ଦେଶ ଅଧିକାଂଶ ସମୟରେ ପାଳନ କରିଛନ୍ତି । ଚୁକ୍ତିନାମା ଯୋଗୁଁ କାଶ୍ମୀରର ସୀମାବର୍ତ୍ତି ଅଞ୍ଚଳରେ ଶାନ୍ତି ସ୍ଥାପନ ହୋଇଥିଲା । ହେଲେ ଏହାର ଫାଇଦା ନେଇଥିଲା ପାକିସ୍ତାନ । ଏଲଓସିରୁ ସେନା ହଟାଇ ଅଫଗାନିସ୍ତାନ ସୀମା ଓ ବଲୁଚ ବିଦ୍ରୋହୀଙ୍କ ବିରୋଧରେ ମୁତୟନ କରିଥିଲା । ଯଦି ଭାରତ ଅସ୍ତ୍ରବିରତିକୁ ରଦ୍ଦ କରେ ପାକିସ୍ତାନକୁ ବାଧ୍ୟ ହୋଇ ଏଲଓସିରେ ସେନା ମୁତୟନ କରିବାକୁ ପଡିବ ।

ଆତଙ୍କୀ ଶିବିରକୁ ଟାର୍ଗେଟ୍

ଭାରତର ଗୁଇନ୍ଦା ସଂସ୍ଥା ଏଲଓସି ଆର ପାଖରେ ଆତଙ୍କୀ ଶିବିର ନେଇ ସୂଚନା ଦେଇଆସୁଛନ୍ତି । ଏବେ ସେସବୁ ଶିବିରକୁ ଟାର୍ଗେଟ୍ କରିପାରେ ଭାରତ । ଟେରର କ୍ୟାମ୍ପ ନେଇ ସୂଚନା ପାଇବା ମାତ୍ରେ ଏହାକୁ ଟାର୍ଗେଟ୍ କରିପାରିବ । ଫଳରେ ଆତଙ୍କବାଦୀଙ୍କ ରଣନୀତିକୁ ଝଟକା ଲାଗିବା ସହ ଅନୁପ୍ରବେଶ ବି ସହଜ ହେବନି । ସେହିପରି ଭାରତ ପାଖରେ ଟାର୍ଗେଟ୍ କିଲିଂ ଅପସନ ବି ରହିଛି । ଇସ୍ରାଏଲ୍ ଯେଉଁଭଳି ହମାସ ନେତା ଇସ୍ମାଇଲ ହାନିୟେହକୁ ଟାର୍ଗେଟ୍ କରିଥିଲା ପାକିସ୍ତାନ ପାଇଁ ସମାନ ରଣନୀତି ଆପଣାଇପାରେ ଭାରତ । ଏଥିରେ ପାକିସ୍ତାନୀ ସେନାର ପ୍ରମୁଖ ଅଧିକାରୀ ବା ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନର ନେତାଙ୍କୁ ନିଶାନା ବନା ଯାଇପାରିବ । ଆଧୁନିକ ଟେକ୍ନୋଲୋଜି ଓ ଟାର୍ଗେଟ୍ ସିଷ୍ଟମ ମାଧ୍ୟମରେ ଏହା କରାଯାଇପାରିବ ।

ମିସାଇଲ୍ ହମଲା

ଭାରତ ପାଖରେ ଶକ୍ତିଶାଳୀ ମିସାଇଲର ଭଣ୍ଡାର ରହିଛି । ପୃଥ୍ବୀ, ଅଗ୍ନୀ ପରି ମିସାଇଲ୍ ଦ୍ବାରା ପୂରା ପାକିସ୍ତାନକୁ ନିଶାନା ବନା ଯାଇପାରିବ । ମୋବାଇଲ୍ ଲ୍ୟାଣ୍ଡ ପ୍ଲାଟଫର୍ମରୁ ଏସବୁ ମିସାଇଲଗୁଡିକୁ ଲଞ୍ଚ କରିପାରେ ଭାରତ । ଭାରତ ପାଖରେ ଆକାଶମାର୍ଗ ଓ ସମୁଦ୍ରରୁ ମିସାଇଲ୍ ଛାଡିବାର କ୍ଷମତା ବି ରହିଛି । ସେହିପରି ଭାରତର ହାଇପରସୋନିକ ମିସାଇଲକୁ କୌଣସି ମିସାଇଲ୍ ପ୍ରତିରୋଧ ପ୍ରଣାଳୀ ରୋକି ପାରିବନି । ଏହାସହ ଭାରତର ପରମାଣୁ ନୀତି ଏପର୍ଯ୍ୟନ୍ତ ନୋ ଫାଷ୍ଟ ୟୁଜ୍ ଉପରେ ଆଧାରିତ । ଏହାର ଅର୍ଥ ପ୍ରଥମେ ଭାରତ ପରମାଣୁ ଆକ୍ରମଣ କରିବନି । ନୀତିରେ ପରିବର୍ତ୍ତନ ପାକିସ୍ତାନର ଭୟ ବଢାଇପାରେ । କାରଣ ସ୍ଥଳ, ଜଳ, ଆକାଶ ପଥରୁ ପରମାଣୁ ମିସାଇଲ୍ ଛାଡି ପାରିବ ।

ପାକିସ୍ତାନ ସିମଲା ରାଜିନାମା ସ୍ଥଗିତ ରଖିଥିବା ବେଳେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରର କିଛି ରଣନୈତିକ କ୍ଷେତ୍ର ଉପରେ କବଜା କରିପାରେ । ପାକିସ୍ତାନର ଅଧିକାଂଶ ବାଣିଜ୍ୟ ସମୁଦ୍ର ପଥରେ ହେଉଥିବା ବେଳେ ଆରବ ସାଗରରେ ନାକାବନ୍ଦୀ କରିପାରେ ଭାରତ । ସବୁଠୁ ବଡ଼ ପଦକ୍ଷେର ଭାବେ ପୂର୍ଣ୍ଣ ସେନା ଅଭିଯାନ କରିପାରେ ଭାରତ । ତେବେ ଏଥିପାଇଁ ସେନା ଅଭିଯାନ ପାଇଁ ସ୍ପଷ୍ଟ ଲକ୍ଷ୍ୟ ରହିବା ଜରୁରୀ । ଉଭୟ ଭାରତ ଓ ପାକିସ୍ତାନ ପାଖରେ ପରମାଣୁ ଶକ୍ତି ରହିଛି । ତେଣୁ ପୂର୍ଣ୍ଣ ସେନା ଅଭିଯାନ ନିଷ୍ପତ୍ତି ଅନେକ ଭାବିଚିନ୍ତି ନେବାକୁ ପଡିବ । ୨୦୧୯ରେ ଏଲଓସି ପାର କରି ବାଲାକୋଟ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ । ତେବେ ଏହାର ସେଭଳି ପ୍ରଭାବ ପାକିସ୍ତାନ ଉପରେ ପଡିନଥିବା କୁହାଯାଉଛି । ତେଣୁ ଭାରତକୁ ଏଭଳି ପଦକ୍ଷେପ ନେବାକୁ ପଡିବ, ଯେମିତି ଭବିଷ୍ୟତରେ ପହଲଗାମ ହମଲାର ପୁନରାବୃତ୍ତି କରିବାକୁ ଚିନ୍ତା ବି କରିବନି ଶତ୍ରୁ ଦେଶ ।

Comments are closed.