Latest Odisha News

BREAKING NEWS

ଏଲଓସି ବା ଲାଇନ୍ ଅଫ୍ କଣ୍ଟ୍ରୋଲ କ’ଣ?

ନୂଆଦିଲ୍ଲୀ: ପହଲଗାମ ହମଲା ପରଠୁ ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ବଢିଛି । ଜାମ୍ମୁ କାଶ୍ମୀର ଏଲଓସିରେ ବି ଗୁଳିବିନିମୟ ହୋଇଛି । ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ କରାଯିବା ପରେ ଭାରତୀୟ ସେନା ଜବାବି ଗୁଳି ବିନିମୟ କରିଥିଲା। ବିଭିନ୍ନ ଭାରତୀୟ ପୋଷ୍ଟକୁ ପାକିସ୍ତାନୀ ସେନା ଟାର୍ଗେଟ୍ କରିଥିଲା । ପହଲଗାମ ଆକ୍ରମଣରେ ସୀମାପାର ଲିଙ୍କ ନେଇ ଭାରତ ସରକାର ପାକିସ୍ତାନ ବିରୋଧରେ ଅନେକ କଡା ପଦକ୍ଷେପ ନେଇଛନ୍ତି । ଏହାପରେ ସିମଲା ଚୁକ୍ତିରୁ ଓହରିଯିବାକୁ ଘୋଷଣା କରିଛି ପାକିସ୍ତାନ । ସିମଲା ରାଜିନାମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏଲଓସି ନିର୍ଦ୍ଧାରିତ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି, ଏଲଓସି କ’ଣ? କେବେଠୁ ଓ କେମିତି ଏହାକୁ ନିର୍ଦ୍ଧାରଣ କରାଯାଇଥିଲା?

ଏଲଓସି କ’ଣ?

ଏଲଓସି ବା ଲାଇନ୍ ଅଫ୍ କଣ୍ଟ୍ରୋଲ ଜାମ୍ମୁ କାଶ୍ମୀର ଓ ଲଦାଖରେ ଭାରତ ଏବଂ ପାକିସ୍ତାନକୁ ପୃଥକ କରୁଥିବା ଏକ ବାଉଣ୍ଡରୀ । ୧୯୭୨ ମସିହାରେ ସିମଲା ଚୁକ୍ତିନାମାରେ ଏଲଓସି ଉପରେ ମୋହର ବାଜିଥିଲା । ଏହା ଦ୍ବିପାକ୍ଷିକ ସହମତିରେ ପ୍ରସ୍ତୁତ ସାମରିକ ସୀମା । ତେବେ ଏହା ଆଇନଗତ ଭାବେ ସ୍ବୀକୃତ ସୀମା ନୁହେଁ । ଏଲଓସି ପାକିସ୍ତାନ ଅଧିକୃତ କାଶ୍ମୀର ଓ ଭାରତର ଜାମ୍ମୁ କାଶ୍ମୀରକୁ ଚିହ୍ନଟ କରେ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ କରିବା ସହ କେନ୍ଦ୍ରଶାସିତ ଅଞ୍ଚଳ ପାଲଟିଥିଲା ଲଦାଖ । ପୂର୍ବରୁ ଏହା ଜାମ୍ମୁ କାଶ୍ମୀରର ଅଂଶ ବିଶେଷ ରହିଥିଲା ।

ଏଲଓସିର ଇତିହାସ କ’ଣ?

୧୯୪୭ ମସିହା ଅକ୍ଟୋବର ୨୭ତାରିଖରେ ପାକିସ୍ତାନ ସମର୍ଥିତ ଲସ୍କରର ଆକ୍ରମଣରୁ ଜାମ୍ମୁ କାଶ୍ମୀରକୁ ସୁରକ୍ଷା ଦେବାକୁ ଭାରତୀୟ ସେନା ଶ୍ରୀନଗରରେ ପହଞ୍ଚିଥିଲା । ଜାମ୍ମୁ କାଶ୍ମୀର ଭାରତରେ ସାମିଲ ହେବା ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୧୯୪୮ ମସିହା ଶେଷ ପର୍ଯ୍ୟନ୍ତ ଚାଲିଥିଲା । ୧୯୪୯ମସିହାରେ ଜାତିସଂଘ ମଧ୍ୟସ୍ଥତାରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ଏହାପରେ ଦୁଇ ଦେଶର ସେନା ମଧ୍ୟରେ ୧୯୪୯ରେ କରାଚି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଏଥିରେ ଦୁଇ ଦେଶ ମଧ୍ୟରେ ସୀମା ଚିହ୍ନଟ କରିବା ନେଇ ଉଲ୍ଲେଖ ରହିଥିଲା । ଅନୁମୋଦନ ତାରିଖରୁ ୩୦ଦିନ ମଧ୍ୟରେ ଉଭୟ ପକ୍ଷକୁ ସ୍ଥିର ହୋଇଥିବା ଯୁଦ୍ଧ ବିରତି ସୀମା ବାହାରେ ଅଧିକୃତ ଅଞ୍ଚଳ ଖାଲି କରିବାକୁ କୁହାଯାଇଥିଲା ।

ଚୁକ୍ତିନାମା ଭାଙ୍ଗିଲା ପାକିସ୍ତାନ

କରାଚି ଚୁକ୍ତିନାମା ପରେ ବି ଦୁଇ ଦେଶ ମଧ୍ୟରେ ଶତ୍ରୁତା ଜାରି ରହିଲା । ୧୯୬୫ରେ ପାକିସ୍ତାନ ଚୁକ୍ତିନାମା ଉଲ୍ଲଂଘନ କରିବା ସହ ଯୁଦ୍ଧବିରତି ସୀମା ପାର କରିଥିଲା । ପରେ ତାସକେଣ୍ଟ ଚୁକ୍ତି ପରେ  ଅସ୍ତ୍ରବିରତି ହୋଇଥିଲା । ଏହାର ୬ବର୍ଷ ପରେ ୧୯୭୧ ଯୁଦ୍ଧରେ ପାକିସ୍ତାନଠାରୁ ପୂର୍ବ ପାକିସ୍ତାନ ଅଲଗା ହେବା ସହ ବାଂଲାଦେଶ ଗଠନ ହୋଇଥିଲା । ପରେ ୧୯୭୨ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକ୍ ପ୍ରତିପକ୍ଷ ଜୁଲଫିକର ଅଲି ଭୁଟ୍ଟୋଙ୍କ ମଧ୍ୟରେ ସିମଲା ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଏଥିରେ ୧୯୭୧ ଭାରତ-ପାକ୍ ଯୁଦ୍ଧ ପରେ ସ୍ଥାପିତ ଯୁଦ୍ଧବିରତି ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସି ରୂପେ ଉଭୟ ପକ୍ଷ ସ୍ବୀକୃତି ଦେଇଥିଲେ ।

ପହଲଗାମ ହମଲା ପରେ ଭାରତ ପାକିସ୍ତାନକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିବା ପରେ ବିଚଳିତ ପାକିସ୍ତାନ ଐତିହାସିକ ସିମଲା ରାଜିନାମା ସହ ସମସ୍ତ ଦ୍ବିପାକ୍ଷିକ ଚୁକ୍ତିକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ୧୯୭୨ରେ ସ୍ବାକ୍ଷରିତ ସିମଲା ରାଜିନାମା ଦୁଇ ଦେଶ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିର୍ଦ୍ଧାରିତ କରିଛି । ତେବେ ପାକିସ୍ତାନ ରାଜିନାମା ବାତିଲ କରିବା ପରେ ସୀମାରେ ଉତ୍ତେଜନା ଦେଖାଦେବା ନେଇ ଆଶଙ୍କା ବଢିଛି । ସେପଟେ ସିମଲା ଚୁକ୍ତିରୁ ପାକିସ୍ତାନ ଓହରିବା ସହ ଭାରତ ଏବେ ପାକ୍ ଅଧିକୃତ କାଶ୍ମୀର ବା ପିଓକେକୁ ଫେରାଇ ଆଣିବାକୁ ପଦକ୍ଷେପ ନେଇପାରିବ । ଫଳରେ ନିଜ ଜାଲରେ ହିଁ ଫସି ଯାଇପାରେ ପାକିସ୍ତାନ ।

Comments are closed.