Latest Odisha News

BREAKING NEWS

ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି

‘ବସୁଦେବ ସୁତ ଦେବଂ କଂସ,ଚାଣୁର ମର୍ଦନଂ।
ଦେବକୀ ପରମାନଂଦମ କୃଷ୍ଣମ ବନ୍ଦେ ଜଗତଗୁରୁମ। ।’

ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ସାନ୍ଧ୍ୟ ଧୂପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ସୁଧସୁଆର ସେବକ ଭଣ୍ଡାର ଦ୍ୱାର ଆଗରେ (ଭିତର କାଠ ସମ୍ମୁଖ) ପୋଛା ମାରନ୍ତି । ତତ୍ପରେ, ପୂଜାପଣ୍ଡା ସେବକ ପାଞ୍ଚ ବର୍ଣ୍ଣ ମୁରୁଜରେ ମଣ୍ଡଳ କାଟିଥାନ୍ତି। ଏହି ମଣ୍ଡଳ ମଧ୍ୟରେ ଷଷ୍ଠୀ ଦେବୀ ଅବସ୍ଥାନ କରିଥାନ୍ତି । ତତ୍ପରେ, ଏକ ଭଦ୍ରମଣ୍ଡଳ ଅଙ୍କନ କରାଯାଇଥାଏ । ମଣ୍ଡଳ ନିକଟରେ ଶାଳ କିମ୍ବା ଶ୍ରୀପର୍ଣ୍ଣ କାଠରେ ପୀଠାସନ ରଖାଯାଏ, ସେହି ଆସନ ଉପରେ ଚିତ୍ରପଟ ରଖାଯାଏ । ଏହି ଚିତ୍ରପଟକୁ ଜନ୍ମପଟି କୁହାଯାଏ ।

ଏହାପରେ ଗମ୍ଭୀରା ସମ୍ମୁଖ ଅଞ୍ଚଳରେ ପାଣି ପଡ଼ି ଧୁଆ ହୋଇଥାଏ । ସୁଧସୁଆର ମଣ୍ଡଳ ପାଖେ ପୂଜା ଠା’ କରିଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ବସି ସଂକଳ୍ପ ବାକ୍ୟ କରିଥାନ୍ତି । ଏହାପରେ ବରୁଣ ପୂଜା ହୋଇଥାଏ । ଚିତ୍ରକାର ସେବକ ଦେଇଥିବା କୃଷ୍ଣ ଜନ୍ମପଟି ଉପରେ ଏକ କୃଷ୍ଣ ଚିତ୍ରତ ସ୍ବର୍ଣ୍ଣ ପଦକ ରଖା ଯାଇଥାଏ । ଏହାପରେ ଚକଡ଼ା ଛାମୁରେ ପାଣି ପଡି ନଅଟି ପନ୍ତି ଭୋଗ ବଢ଼ା ହୋଇଥାଏ । ଫୁଲମାଳ ଓ ଚନ୍ଦନ ଲାଗି ହୋଇଥାଏ । ପୂଜାପଣ୍ଡା ପଂଚଉପଚାରରେ ପୂଜା କରି ପନ୍ତି ଭୋଗ ଓ ତାମ୍ବୁଳ ପୁଷ୍ପାଞ୍ଜଳି ଆଦି ଅର୍ପଣ କରିଥାନ୍ତି ।

ଏହାପରେ ଦକ୍ଷିଣୀ ଘରୁ ଶ୍ରୀମଦନମୋହନ ଙ୍କୁ ଆଣି ରତ୍ନସିଂହାସନ ଉପରେ ବିଜେ କରାହୋଇଥାଏ । ଆଜ୍ଞା ମାଳ ପ୍ରଦାନ ହୋଇଥାଏ । ତତ୍ପରେ ମହାଜନ ସେବକ ଶ୍ରୀମଦନମୋହନଙ୍କୁ ଆଣି ମଣ୍ଡଳର ପୂର୍ବଭାଗରେ ବିଜେ କରିଥାନ୍ତି । ନୈବେଦ୍ୟ ଦ୍ରବ୍ୟ ଶ୍ରୀଜୀଉଙ୍କ ସମ୍ମୁଖରେ ରଖାଯାଇଥାଏ । ପୂଜାପଣ୍ଡା ସେବକ ଶ୍ରୀମଦନମୋହନ (ଶ୍ରୀ କୃଷ୍ଣ), ଦେବକୀ ଗର୍ଭରେ ଅଛନ୍ତି ଏହା ଚିନ୍ତା କରି ବାଳ କୃଷ୍ଣ ମନ୍ତ୍ର ରେ ପୂଜା କରିଥାନ୍ତି । ପୂଜା ଶେଷରେ ରୁପା ପାତ୍ରରେ ହଳଦୀ ପାଣି ଧରି ଦେଵକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହେଲେ ଭାବି ତାଙ୍କର ପାଦ ତଳେ ସେହି ହରିଦ୍ରା ଜଳ ଢାଳିଥାନ୍ତି । ଦୋଷ କାଟିବା ପାଇଁ ଜିରା, ଜାଇଫଳ, ଲବଙ୍ଗ, ତେଜପତ୍ରକୁ ଚୂର୍ଣ୍ଣ କରି ମିଠା ଓ ଗାଈ ଘିଅ ମିଶ୍ରିତ କରି ପ୍ରଭୁଙ୍କୁ ନିବେଦନ କରନ୍ତି । ତତ୍ପରେ ମୁଦିରସ୍ତ ହଳଦିଆ ବସ୍ତ୍ର, ଚନ୍ଦନ ଓ ଦୟଣାମାଳ ସମର୍ପଣ କରିଥାନ୍ତି । ଏହିପରି ଭାବେ ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡଶ ଉପଚାର ରେ ମଣୋହି କରିଥାନ୍ତି । ଏହାପରେ ଦୁଇଜଣ ମହାଜନ ଲୁଗା ଘୋଡାଇ ହୋଇ ଦେବକୀ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ା ଠାରେ ଶ୍ରୀ କୃଷ୍ଣ ଙ୍କୁ ଜନ୍ମ କରାଇଥାନ୍ତି । ତତ୍ପରେ, ମୁଦିରସ୍ତ ସେବକ ପ୍ରସାଦ ଲାଗି କରିଥାନ୍ତି । ପାଳିଆ ମହାସୁଆର ଦୁଧ, ଲହୁଣୀ ଓ ଗାଣ୍ଡୁଷ ମସଲା ଦେଲେ ପୂଜାପଣ୍ଡା ସମର୍ପଣ କରି ମଣୋହି କରାଇଥାନ୍ତି ଓ କର୍ପୁର ଆଳତି କରିଥାନ୍ତି ।

‘ଦୀନବନ୍ଧୋ କୃପାସିନ୍ଧୋ ଧର୍ମପାଳନତତ୍ପର !
ଦାନବାନାଂ ବିନାଶାୟ ଋକ୍ଷଣାୟ ସତ୍ୟଂ ପୁନଃ ॥
ତ୍ୱତ୍ତୋ ଭବନ୍ତି ମତ୍ସାଦ୍ୟା ଅବତାରାସ୍ତବାଜ୍ଞୟା !
ଇଦାନୀଂ କୃଷ୍ଣଚନ୍ଦ୍ରସ୍ୟ ଜନ୍ମନେ ପଦ୍ମଲୋଚନ !
ଆଜ୍ଞାଂ କରୁ ମହାବାହୋ ଦାରୁବ୍ରହ୍ମ ନମୋସ୍ତୁତେ !!’

ଏହାପରେ ଭଣ୍ଡାର ସେବକ ଦେଇଥିବା ରୂପା ଥାଳିରେ ଶ୍ରୀ ମଦନମୋହନଙ୍କୁ (କୃଷ୍ଣ) ମହାଜନ ସେବକ ହାତରେ ବସୁଦେବ ସଙ୍ଗେ ବିଜେ ହୋଇ ଭୁବନେଶ୍ଵରୀ ମନ୍ଦିର ଆଗରେ ଉପସ୍ଥିତ ହୋଇଥାନ୍ତି । ଏହି ସମୟରେ ଉକ୍ତ ସ୍ଥାନଟିକୁ ଯମୁନା ନଦୀ ପରିକଳ୍ପନା କରାଯାଇଥାଏ । ଜନୈକ ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଦଣ୍ଡ ପ୍ରଣାମ କରିଥାନ୍ତି । ଏହି ସମୟରେ ବେହେରା ଖୁଣ୍ଟିଆ ସେବକ ଦିଅଁ ଙ୍କ ଶିର ଉପରେ ସପ୍ତଫେଣା ବାସୁକୀ ଧରି ଚାଲିଥାନ୍ତି । ଏହାପରେ ଘଣ୍ଟ, ଛତ୍ର, କାହାଳୀ ସହ ଦିଅଁ ଭିତର ବେଢ଼ା ସ୍ଥିତ ନାଭିକଟା ମଣ୍ଡପଠାରେ ଖଟ ଶେଜ ଉପରେ ବିଜେ ହୋଇଥାନ୍ତି ।

ପୂଜାପଣ୍ଡା ସେବକ ସେଠାରେ ବସୁଧାରା ଦେଇ କୁଶରେ ଶ୍ରୀ ମଦନମୋହନ (କୃଷ୍ଣ)ଙ୍କ ନାଭି ଛେଦନ କରିଥାନ୍ତି ଏବଂ ପଞ୍ଚାମୃତରେ ମହାସ୍ନାନ ବଢ଼ିଥାଏ । ଶ୍ରୀକୃଷ୍ଣ ନାମ ଉଚ୍ଚାରଣ ପୂର୍ବକ ତାଙ୍କର ନାମକରଣ ହୋଇଥାଏ । ତତ୍ପରେ ଅନ୍ନପ୍ରାଶନ ହୋଇଥାଏ । ବହିଃ ନିଷ୍କମଣ ହୋଇ ଚୂଡ଼ାକରଣ ହୋଇଥାଏ । ବସ୍ତ୍ର ପରିଧାନ କରାଯାଇଥାଏ ଓ ଯଜ୍ଞୋପବିତ ଧାରଣ କରିଥାନ୍ତି । ଏହାପରେ କଂସ ବଧ ନିମନ୍ତେ ଜାତ ହୋଇଥିବାରୁ ଅର୍ଘ୍ୟ ଓ ପୁଷ୍ପାଞ୍ଜଳି ଦିଆଯାଇଥାଏ । ତତ୍ପରେ ଦୋଳିକୁ ବିଜେ, ଶୀତଳ ଭୋଗ (ରାଶି ଲଡୁ ଓ କୋରା) ଇତ୍ୟାଦି ନୀତି ଅନୁଷ୍ଠିତ ହୋଇ ଜନ୍ମଲୀଳା ନୀତି ସମାପ୍ତ ହୋଇଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.