Latest Odisha News

BREAKING NEWS

କେନ୍ଦ୍ର ଟାର୍ଗେଟରେ ବିଜେଡି !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ତାତି ସେତିକି ଅଧିକ ଅନୁଭୂତ ହେଉଛି। ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀମାନଙ୍କର ରାଜ୍ୟକୁ ଟାର୍ଗେଟ ଦେଖିବାକୁ ମିଳିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରୁଛନ୍ତି।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଓଡିଶା ଗସ୍ତରେ ଆସିଥିବା ବେଳେ ଗସ୍ତର ଆରମ୍ଭରୁ ଶେଷ ଯାଏ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ। ଗିରିରାଜ ସିଂ ପିଏମ ଆବାସ ପ୍ରସଙ୍ଗକୁ ନେଇ ରାଜ୍ୟକୁ ଟାର୍ଗେଟ କରିଥିବା ଦେଖାଯାଇଥିଲା। ଓଡ଼ିଶାରେ ପହଂଚିବା ପରେ ରାଜ୍ୟରେ ପିଏମ ଆବାସ ଘରର ଯାଞ୍ଚ ହେବ ବୋଲି କହିଥିଲେ ଗିରିରାଜ।

ପଞ୍ଚାୟତିରାଜ ବିଭାଗରେ ରାଜ୍ୟ ସରକାର ଦୁର୍ନୀତି କରୁଛନ୍ତି ବୋଲି କହିବା ସହ ପିଏମ ଆବାସ ଯୋଜନାରେ ଘୋଟାଲା ସମ୍ପର୍କରେ ମଧ୍ୟ କହିଛନ୍ତି। ଏପରିକି ଗସ୍ତ ସାରି ଯିବା ସମୟରେ ମଧ୍ୟ ଗିରିରାଜ ସିଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଓଡ଼ିଶାରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ପ୍ରସଙ୍ଗ ଓ ସମ୍ବଲପୁର ଦଙ୍ଗା ଘଟଣାକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ଗିରିରାଜ। ସେପଟେ ଓଡିଶା ଗସ୍ତରେ ଥିବା କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ମଧ୍ୟ ରାଜ୍ୟରେ ଜନହିତକର ଯୋଜନାର କ୍ରିୟାନ୍ଵୟନ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର ସହଯୋଗ କରୁ ନ ଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି। ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ନିର୍ମାଣ ଧିମା ଗତିରେ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ। ଏଥିସହିତ ଆଯୁଷ୍ମାନ ଯୋଜନାରେ ବହୁ ପୁରୀବାସୀ ବଂଚିତ ଓ ହସ୍ତତନ୍ତ ହସ୍ତଶିଳ୍ପରେ କେତେ କାରିଗର ପଞ୍ଜିକୃତ ହୋଇଛନ୍ତି ସେ ତଥ୍ୟ ମିଳିପାରି ନ ଥିବା ସେ କହିଛନ୍ତି। ଏପରିକି ଉଜ୍ବଳା ଯୋଜନା ପାଇବାରୁ ପୁରୀର ଅର୍ଦ୍ଧାଧିକ ଲୋକେ ବଂଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶ ନୟାଗଡ ଗସ୍ତରେ ଯାଇ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ସହ ଫସଲ ବୀମା ଓ ପିଏମ କିଶାନ ସମ୍ମାନ ନିଧି ଯୋଜନାର ସଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି।

ଆଗକୁ ନିର୍ବାଚନ ଆସୁଥିବା ବେଳେ ଏକା ସମୟରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟର ବିଜେଡି ସରକାରଙ୍କ ଉପରେ ଏଭଳି ବର୍ଷିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିଭିନ୍ନ ସମୟରେ ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଉପରେ ବର୍ଷିଥିବା ବେଳେ କେନ୍ଦ୍ରୀୟ ନେତା କିନ୍ତୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଥାନ୍ତି। ଯାହାକୁ ବିଜେଡି ଅସ୍ତ୍ର କରିବା ସହ ରାଜ୍ୟ ବିଜେପିର ଅଭିଯୋଗକୁ ସେତେ ଗୁରୁତ୍ୱ ଦିଏ ନାହିଁ।

କିନ୍ତୁ ଏବେ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟକୁ ଆଟାକ ସହ ରାଜ୍ୟ ବିଜେପି ମଧ୍ୟ ଆକ୍ଟିଭ। ପିଏମ ଆବାସ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ରାଜ୍ୟ ବିଜେପି ମଧ୍ୟ ଏ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିଛି। ବର୍ଷା ଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ମିଳିଲେ ରାଜରାସ୍ତାରେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛି ରାଜ୍ୟ ବିଜେପି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଆଗାମୀ ନିର୍ବାଚନ ପାଇଁ ବିଜେପି ବିଜେଡି ବିରୋଧରେ ଆଟାକିଙ୍ଗ ହେଉ ନାହିଁ ତ ବୋଲି ପ୍ରଶ୍ନ ଉଠିଛି। ଆଗକୁ ଏ ସବୁ ପ୍ରସଙ୍ଗ କୁଆଡେ ଗତି କରୁଛି ତା ଉପରେ ନଜର।

Leave A Reply

Your email address will not be published.