Latest Odisha News

BREAKING NEWS

ଆଜି ଘୋଷଣା ହୋଇପାରେ ବିଜେଡି-ବିଜେପି ମେଂଟ, କାହାକୁ କେତେ ସିଟ୍ ମିଳିବା ସମ୍ଭାବନା?

ଭୁବନେଶ୍ୱର: ଚବିଶ ଗ୍ରାଉଣ୍ଡରେ ଗୋଟିଏ ଟିମରୁ ଖେଳିବେ ବିଜେଡି-ବିଜେପି । ଯେକୌଣସି ମୁହୁର୍ତରେ ହୋଇପାରେ ମେଂଟ ଘୋଷଣା । ହେଲେ ବଡ ପ୍ରଶ୍ନ, ପ୍ଲେଇଂ ଇଲେଭେନରେ କିଏ ? କାହାକୁ ମିଳିବ କେତେ ଟିକେଟ୍ ? ସିଟ୍ ସମୀକରଣକୁ ନେଇ ଟପରୁ ବଟମ୍ ବଢିଲାଣି ଟେନସନ୍ । ୧୪୭ ବିଧାନସଭା ୨୧ ଲୋକସଭାରୁ ବିଜେଡିକୁ କେତେ ଆଉ ବିଜେପିକୁ ମିଳିବ କେତେ ସିଟ୍ ? ରିପିଟ୍ ହେବ କି ପୁରୁଣା ଫର୍ମୂଲା, ନା ଆବଶ୍ୟକତା ଅନୁସାରେ ବଛାଯିବେ ପ୍ଲେୟାର୍ ? ଟିଭି ସ୍କ୍ରିନରୁ ସୋସିଆଲ୍ ମିଡିଆ, ସଂଖ୍ୟା ସମୀକରଣକୁ ନେଇ ଚାଲିଛି ତର୍କ ବିତର୍କ ।

ବିଜେଡି-ବିଜେପି ମଧ୍ୟରେ ମେଂଟ ନୂଆ ନୁହେଁ । ୧୯୯୮ମସିହାରେ ଉଭୟ ଦଳ ମଧ୍ୟରେ ପ୍ରଥମେ ମେଂଟ ହୋଇଥିଲା । ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ଏବଂ ୨୦୦୦ ଓ ୨୦୦୪ରେ ବିଧାନସଭା ନିର୍ବାଚନ ଏକାଠି ଲଢିଥିଲେ ଦୁଇ ଦଳ । ସେତେବେଳେ ୪:୩ ରେସିଓରେ ହୋଇଥିଲା ସିଟ୍ ବୁଝାମଣା । ବିଧାନସଭାରେ ବିଜେଡି ୮୪ ଓ ବିଜେପି ୬୩ ଆସନରେ ମଇଦାନକୁ ଓହ୍ଲାଇଥିବା ବେଳେ ଲୋକସଭାରେ ୧୨ଟିରେ ବିଜେଡି ଓ ୯ଟିରେ ବିଜେପି ପ୍ରାର୍ଥୀ ଦେଇଥିଲ।। ଏହା ଭିତରେ ବଦଳିଛି ରାଜନୈତିକ ଦୃଶ୍ୟପଟ୍ଟ । ଏବେ ବିଜେପିର ଫୋକସ୍ ଲୋକସଭା ତ ବିଜେଡିର ବିଧାନସଭା । ଏଭଳି ସ୍ଥିତିରେ ବିଜେଡି-ବିଜେପି ମେଂଟ ୨.୦ରେ କଣ ରହିବ ଆସନ ବୁଝାମଣା ଫର୍ମୂଲା? ତାକୁ ନେଇ ପାର୍ଟି ଅଫିସରୁ ଖବରବଜାର ସବୁଠି ଜୋରଦାର ଚର୍ଚ୍ଚା ।

ମେଂଟ ଏକପ୍ରକାର ନିଶ୍ଚିତ, ତେବେ ପ୍ରଶ୍ନ, ସିଟ୍ ବୁଝାମଣାରେ କେଉଁଠି ଛିଡୁନି ଅଙ୍କ ? ୨୦୧୯ ନିର୍ବାଚନରେ ବିଜେଡି ଜିତିଥିଲା ୧୧୨ ବିଧାନସଭା ଆସନ । ଏଥର ଜିତିଥିବା ସମସ୍ତ ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇବାକୁ ଚାହୁଁଛି ବିଜେଡି । ବାକି ୩୫ ଆସନ ବିଜେପିକୁ ଦେବାକୁ ଦଳ ରାଜି । ହେଲେ ୪୨ ଆସନରେ ଅଡି ବସିଛି ବିଜେପିା ସେହିପରି ବିଜେପି ୧୪ଟି ଲୋକସଭା ଆସନ ଚାହୁଁଥିବା ବେଳେ ବିଜେଡି ପ୍ରଥମେ ୯ ଆଉ ଏବେ ୧୦ଯାଏଁ ଦେବାକୁ ପ୍ରସ୍ତୁତ ରହିଥିବା ଅନ୍ଦର ମହଲରେ ଚର୍ଚ୍ଚା ହେଉଛି । ଯଦି ବିଜେଡିର ପୂର୍ବ ଫରଫର୍ମାନ୍ସ ରିପୋର୍ଟ ଦେଖିବା, ୨୦୧୯ ନିର୍ବାଚନ ପରେ ରାଜ୍ୟରେ ୮ଟି ବିଧାନସଭାରେ ଉପନିର୍ବାଚନ ହୋଇଛି।

କେବଳ ଧାମନଗରକୁ ଛାଡି ଦେଲେ ବାକି ସମସ୍ତ ଆସନ କବଜା କରିଛି ବିଜେଡି । ଗତ ପଂଚାୟତ ନିର୍ବାଚନରେ ୮୫୧ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୬ ଜିତିଛି । ପୌର ନିର୍ବାଚନରେ ବି ଜବରଦସ୍ତ ପରଫର୍ମ କରିଛି ଦଳ । ତେଣୁ ଲୋକସଭା ଅପେକ୍ଷା ବିଧାନସଭା ସିଟ୍ ଉପରେ ଅଧିକ ନଜର ରଖିଛି ବିଜେଡି । ସେପଟେ ବିଜେପିର ଯୁକ୍ତି, ଗ୍ରାଉଣ୍ଡରେ ବିଜେପି ସପକ୍ଷରେ ହାୱା ବହୁଛି ଯାହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ହେବ ୱିନିଂ ଫ୍ୟାକ୍ଟର । ମୋଦି ଲହର, ନବୀନ ସରକାର ବିରୋଧରେ ଆଂଟି ଇନକମ୍ବାନ୍ସି ଭଳି କାରଣ ଦେଖାଇ ବାର୍ଗେନିଂ କରୁଛି ବିଜେପି । ତେବେ ସିଟ୍ ସେୟାରିଂର ଫାଇନାଲ୍ ରୂପରେଖ ଉପରେ ଏପର୍ଯ୍ୟନ୍ତ ମୋହର ଲାଗିନି ।

Leave A Reply

Your email address will not be published.