Latest Odisha News

BREAKING NEWS

ବିଜେଡି-ବିଜେପି ମେଂଟ ପଛରେ କିଏ ?

ଭୁବନେଶ୍ୱର: ୧୫ବର୍ଷ ଧରି ଭିନ୍ନ ଭିନ୍ନ ଟ୍ରାକରେ ଥିବା ବିଜେଡି- ବିଜେପି ପାଇଁ କିଏ ହେଲେ ସମଝୌତା ଏକ୍ସପ୍ରେସ୍ ? ଓଡିଶା ଓ ନୂଆଦିଲ୍ଲୀ ମଧ୍ୟରେ କିଏ ସାଜିଲେ ମଧ୍ୟସ୍ଥି ? ବିଜେଡି-ବିଜେପି ମେଂଟ ପଛର ଚେହେରା କିଏ ? କୁହାଯାଉଛି, ବିଜେପି-ବିଜେଡି ମେଂଟ ପଛରେ ରହିଛନ୍ତି ୫ପ୍ରମୁଖ ଚେହେରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଏବଂ ଏମାନଙ୍କ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ସଂପର୍କର ସେତୁ ସାଜିଥିବା ବିଶ୍ୱାସ କରାଯାଉଛି ।

ପ୍ରଶ୍ନ ଉଠୁଛି, ମେଂଟ ନିଷ୍ପତି ହଠାତ୍ ନିଆଗଲା କି ? ଉତର ନା । ଅଶ୍ୱିନୀ ବୈଷ୍ଣବ ରାଜନୀତିରେ ସକ୍ରିୟ ହେବା ପରଠୁ କେଉଁଠି ନା କେଉଁଠି ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ରହିଥିବା ଚର୍ଚ୍ଚା ହେଉଛି । ବୁଝାମଣାର ଏ ଗଣିତ ଜାଣିବାକୁ ହେଲେ ଆମକୁ ଫ୍ଲାସବ୍ୟାକକୁ ଯିବାକୁ ପଡିବ । ୨୦୧୭ ପଂଚାୟତ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା ବିଜେପି ।

୨୦୦୯ରେ ବିଜେଡିଠୁ ବିଚ୍ଛେଦ ହେବାର କ୍ଷୋଭ ସାଙ୍ଗକୁ ପଂଚାୟତ ବିଜୟ ବିଜେପି ନେତାଙ୍କ କନଫିଡେନ୍ସକୁ ଆକାଶଛୁଆଁ କରିଥିଲା । କେନ୍ଦ୍ରୀୟ ନେତା ବି ଓଡିଶା ମଇଦାନରେ ବିଜେପିର ଉଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ବିଜେଡି ଥିଲା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ଆଉ ସେଥିପାଇଁ ସେ ସମୟରେ ବିଜେଡି-ବିଜେପି ମଧ୍ୟରେ ତିକ୍ତତା ସବୁଠୁ ପିକରେ ଥିଲା । ମିଶନ୍‌-୧୨୦ର ନାରା ଦେବା ସହ ନବୀନ ସରକାରକୁ ପୋଡା ଟ୍ରାନସ୍ଫର୍ମର କହିଥିଲେ ଅମିତ ଶାହ।

ଓଡିଶାରେ ବିଜେପି ସୁଯୋଗ ଦେଖୁଥିଲା ଆଉ ବିଜେଡି ବିଜେପିର ବଳ ବଢିବା ଆଶଙ୍କାରେ ବିଷୋଦଗାର କରୁଥିଲା । ସଡକରୁ ସୋସିଆଲ୍ ମିଡିଆ, ସଂସଦରୁ ବିଧାନସଭା ସବୁଠି ସଂପର୍କର ଗୋଟିଏ ନାଁ ଥିଲା, ଶତ୍ରୁତା । ହେଲେ ୨୦୧୯ ବେଳକୁ ବଦଳି ଯାଇଥିଲା ଏହି ସଂପର୍କର ସଂଜ୍ଞା । ପରସ୍ପରର କଟ୍ଟର ବିରୋଧୀ ସାଜିଥିବା ବିଜେଡି ଓ ବିଜେପି ରାଜ୍ୟସଭା ନିର୍ବାଚନ ବେଳେ ଏକାଠି ହୋଇଥିଲେ । ବିଜେଡି କୋଟାରୁ ରାଜ୍ୟସଭା ଗଲେ ଅଶ୍ୱିନୀ ବୈଷ୍ଣବ । ଖବର ବଜାରରେ ବିଜେଡି-ବିଜେପି ଚୋରା ପୀରତି ଚର୍ଚ୍ଚା ଉଠିଲା ପଡିଲା । ତାପରଠୁ ଉଭୟ ପକ୍ଷର ସ୍ୱର ଧୀରେ ଧୀରେ ନରମିବାକୁ ଲାଗିଲା । ଏମିତି ବାହାରକୁ ତ ବିଜେଡି ରାଜ୍ୟ ଶାସନ ଗାଦିରେ ଆଉ ବିଜେପି ଥିଲା ମୁଖ୍ୟ ବିରୋଧୀ ଦଳ । ହେଲେ ବିରୋଧ କେବଳ ଉପରେ ଉପରେ ହେଉଥିବା ବେଳେ ଭିତିରି ବୁଝାମଣା ରହିଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

ସଂସଦରେ ଯେବେବି ମୋଦି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ, ବିପଦ ବେଳର ବନ୍ଧୁ ଭଳି ସାଙ୍ଗରେ ଠିଆ ହୋଇଛି ବିଜେଡି । ଦିଲ୍ଲୀ ସର୍ଭିସ୍ ବିଲରେ କେନ୍ଦ୍ରକୁ ସମର୍ଥନ ହେଉ କି ବିରୋଧୀ ମେଂଟର ଅନାସ୍ଥା ପ୍ରସ୍ତାବକୁ ବିରୋଧ, କେନ୍ଦ୍ର ସପକ୍ଷରେ ସଂସଦରେ ବାରମ୍ବାର ସ୍ୱର ଉଠାଇ ସଚ୍ଚା ବନ୍ଧୁତାର ପ୍ରମାଣ ଦେଇଛି ବିଜେଡି । ରାଜ୍ୟ ସ୍ୱାର୍ଥ, ସଂଘୀୟ ବ୍ୟବସ୍ଥା ଭଳି ଉତର ଦେଇ ବିଜେଡି ରାଜନୈତିକ ସଂପର୍କ ମଜବୁତ କରୁଥିବା ଚର୍ଚା ହେଉଛିା ଆଉ ବନ୍ଧୁଙ୍କୁ ରିଟର୍ଣ୍ଣ ଗିଫ୍ଟ ବି ଦେଇଛି ବିଜେପି । ୨୦୧୭ର ଆକ୍ରାମକ ମୁଦ୍ରା ନରମିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍‌-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ପ୍ରତି ସିଧାସଳଖ ଟାର୍ଗେଟ୍ କରିନାହାନ୍ତି ବିଜେପି ନେତା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରି ବିଜେପି ବିରୋଧୀ ନେତାଙ୍କୁ ଇଡି କାଠଗଡାକୁ ଟାଣୁଥିବା ବେଳେ ନବୀନଙ୍କ ଆଡକୁ କେବେ ଆଙ୍ଗୁଳି ଉଠିନି । ଏପରିକି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେବେଳେ ନବୀନଙ୍କୁ ବନ୍ଧୁ କହିଛନ୍ତି ତ କେତେବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ପ୍ରଶଂସାରେ ପୋତି ପକାଇଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ଭିତିରି ବୁଝାମଣାକୁ ମିଳିପାରେ ବିଧିବଦ୍ଧ ସ୍ୱୀକୃତି । ସମଝୌତା ଏକ୍ସପ୍ରେସକୁ ଗ୍ରୀନ୍ ସିଗନାଲ ପଛରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଭୂମିକା ଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.