Latest Odisha News

BREAKING NEWS

ପଦ୍ମପୁରରେ ଏଥର ପୁଣି ପଦ୍ମ-ଶଙ୍ଖ ଲଢ଼େଇ !

ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

ବରଗଡ଼: ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ଏହି ଆସନରୁ ପୂର୍ବରୁ  ନିର୍ବାଚନ ମଧ୍ୟ ଜିତିଛନ୍ତି । ତେଣୁ ଏହି ଆସନରେ ତିନି ଦଳର ଭୋଟର ରହିଛନ୍ତି । ନିଜ ଦଳର ଭୋଟର ସହ ମୁକ୍ତ ଭୋଟରଙ୍କୁ ଯିଏ ଆକୃଷ୍ଟ କରିପାରିବ ସେହିଁ ବିଜୟୀ ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ବିଶେଷ କରି ଏହି ଆସନରେ ୮୦ ପ୍ରତିଶତ ଚାଷୀ । ତେଣୁ ତାଙ୍କର ସମର୍ଥନ ଯେଉଁ ଦଳ ପାଇବ ସେହି ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଆଲୋଚନା ହେଉଛି ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨୦୧୪ ମସିହାରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୦୪ରେ ଏଠାରୁ ନିର୍ବାଚନ ଜିତିଥିଲେ ।୧୯୯୦,୧୯୯୫,୨୦୦୦, ୨୦୦୯,ଏବଂ ୨୦୧୯ରେ ଦିବଙ୍ଗତ ବିଜରରଂଜନ ସିଂହ ବରିହା ଏହି ଆସନରୁ ନିର୍ବାଚନ ଜିତିଥିଲେ । ତେଣୁ ଏଥର ମଧ୍ୟ ବିଜେଡି ତାଙ୍କ ପରିବାରରୁ କାହାକୁ ଟିକେଟ ଦେବା ଥୟ । କାରଣ ଏହି ପରିବାରର ପ୍ରାର୍ଥୀହେଲେ ଅନୁକଂପାମୂଳକ ଭୋଟ ମିଳିବାର ସଂଭାବନା ଅଧିକ । ତେବେ ଗତଥର ବିଜେତା ନେତା ପ୍ରଦୀପ ପୁରୋହିତଙ୍କର ମଧ୍ୟ ଜିତିବାର ସଂଭାବନା ରହିଛି । ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଏଠାରେ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।

୨୦୦୪ ଓ ୨୦୦୯ ମସିହାରେ ଏଠାରେ ବିଜେଡି ସହ କଂଗ୍ରେସର ଲଢ଼େଇ ହୋଇଥିଲା । କାରଣ ସେତେବେଳେ ମେଂଟ ସରକାର ଥିଲା । ତେବେ ୨୦୧୪ ଏବଂ ୨୦୧୯ରେ ଏଠାରେ ବିଜେଡି ସହ ବିଜେପିର ଲଢ଼େଇ ହେଉଛି । ୨୦୧୯ରେ ବିଜେଡି ଏଠାରେ ୮୩ ହଜାର ୨୯୯ ଭୋଟ ପାଇଥିଲା । ଯାହାକି ୪୧ ପ୍ରତିଶତ ଭୋଟ । ବିଜେପିର ପ୍ରଦୀପ ପୁରୋହିତ ୭୭ ହଜାର ୫୬୫ ଭୋଟ ପାଇଥିଲେ । ଯାହା କି ୩୮ ପ୍ରତିଶତ । ସତ୍ୟଭୂଷର ସାହୁ ୩୨ ହଜାର ୭୮୭ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ତେଣୁ ଦେଖିବାକୁ ଗଲେ ତିନି ଦଳର ଏଠାରେ ନିଜ ନିଜର ପକେଟ ଭୋଟ ରହିଛି ।

ତେଣୁ ୨୦୧୪ ଏବଂ ୨୦୧୯ ଭୋଟକୁ ଦେଖିଲେ ଏଠାରେ ଭୋଟ ମାର୍ଜିନ ୫ ହଜାର ଭୋଟ ଭିତରେ ରହୁଛି । ବିଜେଡି ହେଉ କି ବିଜେପି ହେଉ ଯେଉଁ ଦଳ ଏହି ୫ ହଜାର ଭୋଟ ଅଧିକା ପାଇବ ସେହି ଦଳର ପ୍ରାର୍ଥୀ ଭୋଟ ଜିତିବେ ବୋଲି କୁହାଯାଉଛି । ଗତ ଦୁଇଟି ନିର୍ବାଚନ ଦେଖିଲେ ଝାରବନ୍ଧ, ପାଇକମାଳ, ପଦ୍ମପୁର ବ୍ଲକରେ ଉଭୟ ବିଜେଡି ଏବଂ ବିଜେପିର ଲଢ଼େଇ ଚାଲିଛି । ତେବେ ଏଥର କିଏ କାହାକୁ ପରାଜିତ କରୁଛି ପଦ୍ମପୁରବାସୀ ସ୍ଥିର କରିବେ ।

ତେବେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୭ ଥିବାବେଳେ ଏପର‌୍ୟ୍ୟନ୍ତ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନା‌ହିଁ। ବିଜେଡିର ଏକାଧିକ ଆଶାୟୀ ଥିବାରୁ କାହାକୁ ଟିକେଟ ମିଳିବ ତାହା ସ୍ଥିର ହୋଇପାରୁନାହିଁ ।

ବିଜେଡି ବିଧାୟକ ବିଜୟରଞନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଥିବ‌ା ପଦ୍ମପୁରରେ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ହେବ । ବିଜେପି ଏବଂ କଂଗ୍ରେସ ପ୍ରଚାର ଆରମ୍ଭ କରିସାରିଲେଣି ।  ପ୍ରଦୀପ ପୁରୋହିତ ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ସେହିଭଳି କଂଗ୍ରେସ ପକ୍ଷରୁ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।

ବିଜେଡିର  କିଏ ପ୍ରାର୍ଥୀ  ତାହା ଚୂଡ଼ାନ୍ତ ହୋଇପାରୁନାହିଁ। ଏଣେ ଭିତିରି ଖବର ଅନୁସାରେ ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରିବାର ଭିତରେ ଜଣଙ୍କୁ ଟିକେଟ ଦେବ ବିଜେଡି  । ଅନେକବାର ଏହି ଆସନରେ ପୂର୍ବରୁ ଦିବଂଗତ ବିଧାୟକଙ୍କ ପରିବାରରୁ ହିଁ ଟିକଟ୍‌ ମିଳିଛି।

ଏହି କ୍ରମରେ ଟିକଟ୍‌ର ପ୍ରଥମ ଦାବିଦାର ହେଲେ ସ୍ବର୍ଗତ ବିଜୟରଂଜନଙ୍କ ପତ୍ନୀ ତିଳୋତ୍ତମା। ଦ୍ବିତୀୟ ଦାବିଦାର ହେଲେ ବିଜୟରଂଜନଙ୍କ ବଡ଼ଭାଇ ମନୋରଂଜନ ସିଂ ବରିହା । ମନୋରଂଜନ ପୂର୍ବରୁ ଦୁଇଥର ଜିଲ୍ଲା ପରିଷଦ ସଭାପତି ବି ରହିଥିଲେ। ସେ ଟିକଟ ପାଇଁ ଢେର୍‌ ଆଶାବାଦୀ ରହିଛନ୍ତି। ସେହିପରି ବିଜୟରଂଜନଙ୍କ ବଡ଼ଝିଅ ବର୍ଷାରାଣୀ ବି ବିଜେଡି ଟିକଟ୍‌ ଦୌଡ଼ରେ ଅଛନ୍ତି ।  ବର୍ଷାରାଣୀ  ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆର ସିଂଙ୍କ ପୁଅଙ୍କୁ ବାହା ହୋଇଛନ୍ତି। ରାଜନୀତି ପରିବାର ମଧ୍ୟରେ ତାଙ୍କର ମଧ୍ୟ କିଛି ଆଶା ଅଛି । ତେବେ ବିଜେଡିର କିଛି ନେତା ନାମ ସ୍ଥିର କରିବାକୁ ଘନ ଘନ ବୈଠକ କରୁଛନ୍ତି । ତେବେ ଆଉ ଦିନକ ମଧ୍ୟରେ ବିଜେଡି ପ୍ରାର୍ଥୀ ଘୋଷଣା କରିପାରେ । କିନ୍ତୁ ପ୍ରଶ୍ନ ହେଉଛି ଏହି ଆସନ ବିଜେଡି ରଖିପାରିବ ତ? ନା ବିଜେପି ଖାତାକୁ ଯିବ । ଯାହାକୁ ନେଇ ଓଡ଼ିଶା ରାଜନୀତିର ଭବିଷ୍ୟତରେ କିଛି ବଡ଼ ମେସେଜ ଯାଇପାରେ । ବିଜେଡି ହାରିଲେ ଦଳର ସମ୍ମାନ ହାନି ହେବା ସହ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କର ସମ୍ମାନ ହାନି ହେବ ବୋଲି ରାଜନୀତି ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.