Latest Odisha News

BREAKING NEWS

ଶିଶୁ ଗଳ୍ପ : ଶିଶୁ ହସିଲେ ଦୁନିଆ ହସେ

କୁଞ୍ଜ ବିହାରୀ ସାହୁ 

ଫୁଲ ବଗିଚାରେ ବୁଲୁଥିଲା ସୋନି । ଗଛଗୁଡ଼ିକୁ ମନଖୁସିରେ ଆଉଁଷିଦେଲା । ଛନଛନିଆ ଦିଶୁଛି । କେତେ ରକମର, କେତେ ରଙ୍ଗର ଫୁଲ ଫୁଟିଛି ବଗିଚାରେ । ଫୁଲମାନେ ସୋନିକୁ ପଚାରିଲେ – ‘ତୁ ଆମ ପାଖକୁ ଆସିଛୁ । ବଢିଆ ହେଲା । ଆମେ ଗପିବା, ଗୀତ ଗାଇବା, ମଜା କରିବା ।’

ସୋନି ମୁରୁକି ହସିଦେଲା । ଗେହ୍ଲେଇ ଗେହ୍ଲେଇ କହିଲା – ‘ସତରେ ତୁମମାନଙ୍କର ମୁହଁଟା ସୁନ୍ଦର ଦିଶୁଛି । ଦେହ ବି ବାସୁଛି । ନାଲି, ନେଳି, ହଳଦିଆ, ନାରଙ୍ଗୀ, ବାଇଗଣି, ଗୋଲାପି, ଶାଗୁଆ ଏଇମିତି କେତେ ରଙ୍ଗର । ଦେଖିଲେ ମୋତେ ଲାଗୁଛି ଇନ୍ଦ୍ରଧନୁର ସାତୋଟି ରଙ୍ଗ ଏ ଫୁଲ ବଗିଚାରେ ବିଛେଇ ହେଇ ପଡିଛି ।’

ସୋନିର କଥା ଶୁଣି ଫୁଲମାନେ ଖିଲିଖିଲି ହସିଲେ । ମନମଉଜରେ କହିଲେ – “ଆମେ ଦିନେ ତୋଅରି ପରି ଛୋଟ ଥିଲୁ । ତୁମ ବାପା ବୋଉ ଆମକୁ ପାଣି, ସାର, ଖତ ଦେଇଛନ୍ତି । ଆମର ଯତ୍ନ ନେଇଛନ୍ତି । ଆମକୁ ବଡ଼ କରିଛନ୍ତି । ଆମେ ଛୋଟ ଥିଲାବେଳେ ଆମକୁ ଫୁଲ କଢ଼ ବୋଲି ସଭିଏଁ  କହୁଥିଲେ । କଢ଼ଟି ଫୁଟିଲାପରେ ଫୁଲ ହେଇଛୁ । ଆମେ ମହକ ବାଣ୍ଟିଦେଉଛୁ । ଆମ ବାସରେ ବଗିଚାଟି ମହକିଯାଉଛି । ଯିଏ ଆସୁଛି ଘଡ଼ିଏ ଅନେଇ ରହୁଛି । ଆମକୁ ଆଦର କରୁଛନ୍ତି । ଗୋଲାପ ଫୁଲଟି ଚଟାପଟ କହିଦେଲା – ‘ମୁଁ ପରା ଚାଚାଜୀଙ୍କ ଅତି ପ୍ରିୟ । ସେ ତାଙ୍କ ଜାମାରେ ମୋତେ ସାଇତି ରଖୁଥିଲେ । କହୁଥିଲେ – ତୋ ପରିକା ଶିଶୁ ହେଉଛି ଗୋଲାପ ଫୁଲ ପରି । ମୁଁ ଯେମିତି ଫୁଟିଲେ ଚଉଦିଗ ମହକୁଛି, ଛୋଟ ଛୋଟ ପିଲାଏ ଖୁସି ହେଲେ ଗାଁ ଗଣ୍ଡା, ସହର, ରାଇଜ ମହକିଯାଉଛି । ଛୋଟ ପିଲାଏ ପରା ଦେଶକୁ ଗଢିବେ । ସେମାନେ ହସିଲେ ଏ ଦେଶ କିରିକିରି ହସିଉଠିବ।”

ଗୋଲାପଫୁଲର କଥାଟି ସୋନିକୁ ଭଲ ଲାଗିଲା । କହିଲା – “ସେଇଥିପାଇଁ ଶିଶୁଦିବସରେ ଚାଚାଜୀଙ୍କୁ ସଭିଏଁ ମନେପକାନ୍ତି । ଆମ ସ୍କୁଲରେ ବହୁତ ମଜା ହୁଏ । ଚକୋଲେଟ, କେକ୍, ମିଠା ବଣ୍ଟାଯାଏ । ଆମେ ସଭିଏ ଏକାଠି ଖେଳୁ, ବୁଲୁ, ମଉଜ କରୁ ।’

ହଁ.. ହଁ.. ତୁ ଠିକ୍ କଥା କହିଛୁ ସୋନି ।

ଅନ୍ୟ ଫୁଲମାନେ କହିଲେ – ‘ଜାଣିଛୁ ସୋନି, ତୁମ ବାପା-ବୋଉଙ୍କ ଆଦର ପାଇ ଆମେ ଖୁସିରେ ଅଛୁ । ତୁ ସବୁବେଳେ ମନ ଦେଇ ପାଠ ପଢିବୁ । ବାପା-ବୋଉଙ୍କ ବୋଲ ମାନିବୁ । ପ୍ଲେ ସ୍କୁଲରେ ସାଥୀପିଲାଙ୍କ ସହ ମିଳିମିଶି ଖେଳିବୁ ।ସମସ୍ତଙ୍କୁ ଆଦର କରିବୁ । ତୁ ଭଲରେ ରହିଲେ ତୁମ ବାପା-ବୋଉ, ଶିକ୍ଷକମାନେ ଖୁସିହେବେ । ଗେଲ କରିବେ । ତୁ ବହି ପଢି ଚାଚାଜୀଙ୍କ ପରି ବଡ଼ମଣିଷ ହେବୁ । ଦେଶ ସେବା କରିବୁ । ତୁ ହସିଦେଲେ ସଭିଏଁ ଖୁସି ହେଇଯିବେ । ଏ ଦେଶ ଭାରତବର୍ଷ ବି ହସିବ । ତୁ ହସିବୁ ନା ସୋନି !

ହଁ…ମୁଁ ନିଶ୍ଚୟ ହସିବି । ତୁମ କଥା ମାନିବି । ପାଠ ପଢ଼ିବି । ବଡ଼ ହେଇ ଦେଶ ସେବା କରିବି । ସବୁବେଳେ କହିବି – ଚାଚାଜୀ ଜୟ..ଚାଚାଜୀ ଜୟ ।

ଫୁଲମାନେ ମୁଣ୍ଡ ନୁଆଁଇ ସୋନିକୁ ଆଶୀର୍ବାଦ ଦେଲେ । ମନଖୁସିରେ ଘରକୁ ଫେରିଆସିଲା ସୋନି । ଚାଚାଜୀଙ୍କ ଫଟୋକୁ ଚାହିଁ ମୁଣ୍ଡିଆ ମାରିଲା ।

ଏଲ୍.ଆଇ.ଜି – ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର

Leave A Reply

Your email address will not be published.